ଅତାବିରା: ବରଗଡ଼ ଜିଲ୍ଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ଲାଦରପାଲି ରାମଚଣ୍ଡୀ ମନ୍ଦିରଠାରେ ଜନକଲ୍ୟାଣ କୁଲତା ସମାଜ ଓ ଆଞ୍ଚଳିକ ସାହିତ୍ୟ ପରିଷଦ ଅତାବିରା ତରଫରୁ ଗୁରୁ ଭଗବାନ ସାହୁଙ୍କ ସ୍ମୁତିରେ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
କୁଲତା ସମାଜର ସଭାପତି ସୁରେନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ତଥା ପ୍ରାକ୍ତନ ଅଧ୍ୟକ୍ଷ ଡ. ଚିତ୍ତବ୍ରତ ଦତ୍ତ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ନେତ୍ରାନନ୍ଦ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଅଭିନେତା ପ୍ରଦୀପ ଦେବତା, ସାମ୍ବାଦିକ ଭବାନୀଶ ଭୋଇ, ସମାଜସେବୀ ଦିବାକର ପ୍ରଧାନ ପ୍ରମୁଖ ଯୋଗଦେଇ ଗୁରୁ ଭଗବାନ ସାହୁ କିଭଳି ପରିସ୍ଥିତିରେ ସମ୍ବଲପୁରୀ ଭାଷା, ଲୋକ ସଂସ୍କୃତିର ପ୍ରଚାର କରିଥିଲେ ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ରୋହିତ ପଟେଲ, କବି ସନ୍ଦୀପ କୁଅଁର, କବି ସନ୍ତୋଷ ପଧାନ, କବୟିତ୍ରୀ ଜୀବେଶ୍ୱରୀ ପଟେଲ, କବୟିତ୍ରୀ ଭାରତୀ ହୋତା, ନାଟ୍ୟକାର ରାଜକୁମାର ସାହୁ, ବାମଣ୍ଡା ସାହିତ୍ୟ ସଂସଦ, ଦେବଗଡ଼ ଓ ପଶ୍ଚିମା ଅନୁଷ୍ଠାନ କୁଚିଣ୍ଡାକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଲରମ୍ଭା କଲେଜର ଓଡ଼ିଆ ଅଧ୍ୟାପକ ଡ. ଅଜିତ ନାଥଙ୍କ ‘ଆମ ଅଞ୍ଚଳର ଲୋକ ବିଶ୍ୱାସ ଓ ପରମ୍ପରା’ ଓ କାଣ୍ଡପାଲି ଗ୍ରାମର ନାଟ୍ୟକାର ମନୋଜ ଭୋଇଙ୍କ ‘ନାଟ୍ ପସରା’ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ତଥା ଶିକ୍ଷକ ଧର୍ମରାଜ ପ୍ରଧାନ ସଂଯୋଜନା କରିଥିବା ବେଳେ ଅଞ୍ଚଳିକ ସାହିତ୍ୟ ପରିଷଦର ସଭାପତି ଦଶରଥ ଭୋଇ ଧନ୍ୟବାଦ ଦେଇଥିଲେ।
Bargarh