ସୁବିଧା ସୁଯୋଗ ପାଇଁ ଛତିଶଗଡ ପ୍ରତି ଆକୃଷ୍ଟ ହେଉଛନ୍ତି ବରଗଡ଼ ଜିଲ୍ଲୀର ସୀମାନ୍ତରେ ରହୁଥିବା ଗ୍ରାମବାସୀ

ବରଗଡ଼: ଓଡ଼ିଶାର ଲୋକ ଏବେ ଛତିଶଗଡ଼ର ନାଗରିକ । ଓଡ଼ିଶା ଜମିରେ ରହିଛି, ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ବିର୍ଜୁପାଲି ଗାଁ । ଆଉ ଏକ ନାଳ ପାରିହେଲେ ଛତିଶଗଡ଼ର ମଧୁଢିପା ଗାଁ । ଏହି ମଧୁଢିପାର ସମସ୍ତ ବାସିନ୍ଦା ଓଡ଼ିଶାର । ଛତିଶଗଡରେ ଅଧିକ ସୁବିଧା ସୁଯୋଗ ମିଳୁଥିବାରୁ ବିର୍ଜୁପାଲି ଗାଁରୁ ପ୍ରାୟ ୪୦ ପରିବାର ଯାଇ ମଧୁଢିପାରେ ଗାଁ ବସେଇ ରହୁଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ନିରବଚ୍ଛିନ୍ନ ବିଜୁଳି ସେବା, ଚାଷ ପାଇଁ ଜଳ ଯୋଗାଣ ଓ ମଣ୍ଡିରେ ସୁବ୍ୟବସ୍ଥା ଥିବାରୁ ସୀମାନ୍ତବାସୀ ଏବେ ଛତିଶଗଡ ମୁହାଁ ।

ବିର୍ଜୁପାଲି ଓ ମଧୁଢିପା ଗାଁକୁ ବିଭାଜିତ କରୁଥିବା ଏହି ନାଳ ହିଁ ଓଡ଼ିଶା ଓ ଛତିଶଗଡର ସୀମା । ହେଲେ ବିକାଶ କାମ ଦେଖିଲେ ବିର୍ଜୁପାଲିଠୁ ଢେର ଆଗରେ ମଧୁଢିପା ଗାଁ । ୩୫ ବର୍ଷ ପୂର୍ବେ ବିର୍ଜୁପାଲି ଗାଁର ୪ଟି ପରିବାର ମାତ୍ର ୨ଶହ ମିଟର ଦୂର ଛତିଶଗଡ ଅଂଚଳକୁ ଯାଇ ରହିବା ଆରମ୍ଭ କରିଥିଲେ । ଛତିଶଗଡରେ ଭୋଟର ତାଲିକା ଉଠିବା ପରେ ସେମାନ ପାଉଥିବା ସୁବିଧା ଦେଖି ଧିରେ ଧିରେ ୩୫ରୁ ୪୦ ପରିବାର ଯାଇ ସେଠାରେ ସ୍ଥାୟୀ ବାସିନ୍ଦା ହେଲେଣି ।

ବରଗଡ଼ ଜିଲ୍ଲୀର ସୀମାନ୍ତରେ ରହୁଥିବା ଗ୍ରାମବାସୀ ସୁବିଧା ସୁଯୋଗ ପାଇଁ ଛତିଶଗଡ ପ୍ରତି ଆକୃଷ୍ଟ ହେଉଛନ୍ତି । ଯେଉଁମାନେ ଯାଇଛନ୍ତି ସେମାନଙ୍କ ପରିବାରବର୍ଗ ଓଡ଼ିଶାରେ ରହିଥିଲେ ମଧ୍ୟ ପୁଣି ଓଡିଶା ଫେରିଆସିବାକୁ ସେମାନେ ରାଜି ନୁହଁନ୍ତି । ବେଳ ଥାଉ ସରକାର ଓ ଜିଲ୍ଲା ପ୍ରଶାସନ ପଦକ୍ଷେପ ନନେଲେ ସୀମାନ୍ତବର୍ତ୍ତୀ ଅଂଚଳର ବହୁ ଲୋକ ଛତିଶଗଡ ଚାଲିଯିବା ଆଶଙ୍କା ରହିଛି ।

ସମ୍ବନ୍ଧିତ ଖବର