ଗଂଜେଇ ଓ କଫ ସିରପ୍‌ ଜବତ, ଜଣେ ଗିରଫ

ଗିରଫ ବ୍ୟକ୍ତି ପଡ଼ା ଗାଁ ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ: ପୁଲିସ୍‌

ପଦ୍ମପୁର: ମଙ୍ଗଳବାର ପଦ୍ମପୁର ପୁଲିସ୍‌ ଛତିଶଗଡ଼ରୁ ଚାଲାଣ ହେଉଥିବା ଗଞ୍ଜେଇ ଓ କଫ ସିରପ୍‌ ଜବତ କରିବା ସହ ଜଣକୁ ଗିରଫ କରିଛି। ପ୍ରାପ୍ତ ସୂଚାନୁସାରେ ଛତିଶଗଡ଼ର ସରାଇପାଲିରୁ ଏକ ବଲେରୋରେ ନିଶା ସାମଗ୍ରୀ ଚୋଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପଦ୍ମପୁର ଥାନାଧିକାରୀ କେ. ପ୍ରିୟଙ୍କା ରାଉତରାୟଙ୍କ ନେତୃତ୍ୱରେ ପୁଲିସ୍‌ ଟିମ୍‌ ସତୀଭଟା ଛକ ନିକଟରେ ଜଗି ରହିଥିଲେ। ସକାଳ ପ୍ରାୟ ୭ଟା ବେଳେ ସେଠାରେ ଏକ ଧଳା ରଙ୍ଗର ବଲେରୋ ପହଞ୍ଚିଥିଲା। ତେବେ ତା’ର ନମ୍ବର ପ୍ଲେଟ୍‌ଟିକୁ କାର୍ବନ୍‌ ଲଗାଇ ଢଙ୍କା ଯାଇଥିବା ଦେଖି ପୁଲିସ୍‌ ଗାଡ଼ିଟିକୁ ଜବତ କରିବା ସହ ସେଥିରେ ଥିବା ବରଗଡ଼ ଅମ୍ବାପାଲିର ଅର୍ସତ ଖାନ୍‌ ଓରଫ୍‌ ରାଜାକୁ ଥାନାକୁ ଆଣିଥିଲେ। ଥାନାରେ ମାଜିଷ୍ଟ୍ରେଟ ଅନିଲ ହୋତାଙ୍କ ଉପସ୍ଥିତିରେ ଯାଞ୍ଚ ବେଳେ ଗାଡ଼ିରୁ ୧ କିଲୋ ୬୫ ଗ୍ରାମ୍‌ ଗଂଜେଇ, ୨୦ଟି କଫ ସିରପ୍‌, ୫ଟି ୯ ଏମଏମ ଜୀବନ୍ତ ଗୁଳି ଓ ଏକ ମୋବାଇଲ ଜବତ କରିବା ସହ ରାଜାକୁ ଗିରଫ କରିଥିଲେ। ତା’ ନାମରେ ପୂର୍ବରୁ ମଧ୍ୟ ସୋହେଲା ଓ ବିଜେପୁର ଥାନାରେ ୫ଟି ମାମଲା ଥିବା ବେଳେ ସେ ବିଜେପୁର ଉପନିର୍ବାଚନ ପୂର୍ବରୁ ଘଟିଥିବା ପଡ଼ା ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ପଦ୍ମପୁର ଏସ୍‌ଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର