ଟ୍ରାକ୍ଟର ଓଲଟି ଚାଳକ ମୃତ

ଗୋଡ଼ଭଗା: ଅତାବିରା ଥାନା ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଲହଣ୍ଡା ବଡ଼ମାଳ ଗାଁରେ ବୁଧବାର ଏକ ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନାନୁସାରେ ବଡ଼ମାଳର ରବି ରାୟଙ୍କ ହୀରାକୁଦ ନଦୀ ବନ୍ଧ ରାଇଟ୍‌ ଡାଇକ୍‌ କଡ଼ରେ ଥିବା ଜମିକୁ ସୁରେନ୍ଦ୍ର ଓରାମ ଭାଗ ସୂତ୍ରରେ ନେଇ ଚାଷ କରୁଥିଲେ। ବୁଧବାର ଜମିକୁ କାଦୁ କରିବାକୁ ସେ ଲହଣ୍ଡାର ନାଗେଶ ପ୍ରଧାନଙ୍କ ଟ୍ରାକ୍ଟର (ଓଆର୍‌ ୧୫ଡି-୮୨୧୭)କୁ ଭଡ଼ାରେ ନେଇଥିଲେ। ଚାଳକ ରାଏସିଂ ବରିହା (୪୫) ଜମି କାଦୁଅ କରି ସାରି ଡଇକ୍‌ ହିଡ଼ ଉପରକୁ ଉଠୁଥିବା ବେଳେ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା।

ଫଳରେ ତା’ ତଳେ ଚାପି ହୋଇ ରାଏସିଂଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା। ଖବର ପାଇ ଗୋଡ଼ଭଗା ଫାଣ୍ଡି ଅଧିକାରୀ ସୁଶାନ୍ତ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଗାଡ଼ିଟିକୁ ଜବତ କରିଥିଲେ। ଏ ନେଇ ଥାନା କେସ୍‌ ନଂ. ୨୯୬/୧୭ରେ ମାମଲା ରୁଜୁ କରି ପୁଲିସ୍‌ ତଦନ୍ତ ଜାରି ରଖିଛି। ତେଣେ ରାଏସିଂଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀଙ୍କ ସହ ଦୁଇ ପୁଅ ଓ ଗୋଟିଏ ଝିଅ ସଂପୂର୍ଣ୍ଣ ଅସହାୟ ହୋଇ ପଡ଼ିଛନ୍ତି। ତୁରନ୍ତ ସେମାନଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର