ବରଗଡ଼: ଜାତୀୟ ମେଡିକାଲ ଆୟୋଗ (ଏନ୍ଏମ୍ସି) ବିଲ୍କୁ ବିରୋଧ କରି ଆଇଏମ୍ଏ ବରଗଡ଼ ଶାଖାର କର୍ମକର୍ତା ରାସ୍ତାକୁ ଓହ୍ଲାଇଛନ୍ତି। ବିଲ୍କୁ ପ୍ରତ୍ୟାହାର ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି। ଏନ୍ଏମ୍ସି ଲାଗୁ ହେଲେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦୁର୍ନୀତି ଆହୁରି ବଢ଼ିବ। ବିଲ୍ ଅନୁସାରେ, ମେଡିକାଲ୍ କଲେଜଟିଏ ଖୋଲିବାକୁ ଆଉ କିଛି ଦସ୍ତାବିଜ୍ ଜରୁରୀ ହେବ ନାହିଁ। ଘରୋଇ ମେଡିକାଲ୍ କଲେଜ ମନଇଚ୍ଛା ସିଟ୍ ବୃଦ୍ଧି କରିପାରିବେ। ଘରୋଇ ମେଡିକାଲ କଲେଜର ମାତ୍ର ୪୦ ପ୍ରତିଶତ ସିଟ୍ ସରକାରଙ୍କ ନିୟନ୍ତ୍ରଣରେ ରହିବ।
ବଳକା ୬୦ ପ୍ରତିଶତ ସିଟ୍ ପାଇଁ କଲେଜ କର୍ତୃପକ୍ଷ ନିଜ ହିସାବରେ ଫି’ ଧାର୍ଯ୍ୟ କରିପାରିବେ। ଫଳରେ ଗରିବ ଏବଂ ଦଳିତ ଶ୍ରେଣୀର ପିଲା ଡାକ୍ତରୀ ପାଠ ପଢ଼ାରୁ ବଂଚିତ ରହିବେ ବୋଲି ଡାକ୍ତରମାନେ ଯୁକ୍ତି ରଖିଛନ୍ତି। ସେହିପରି ବିଲ୍ରେ ଡାକ୍ତର ମାନଙ୍କୁ ଅହେତୁକ ଆର୍ଥିକ ଦଣ୍ଡ ଉଲ୍ଲେଖ ରହିଛି। ତେଣୁ ଉକ୍ତ ବିଲ୍ କେବଳ ଦୁର୍ନୀତି ଏବଂ କର୍ପୋରେଟ୍ ସଂସ୍ଥାକୁ ସୁହାଇବ। ଭିତ୍ତିଭୂମି ବିକାଶ ବଦଳରେ ସ୍ୱାସ୍ଥ୍ୟସେବା ଆହୁରି ନିମ୍ନଗାମୀ ହେବ ବୋଲି ଦାବିପତ୍ରରେ କୁହାଯାଇଛି। ତୁରନ୍ତ ବିଲ୍ ପ୍ରତ୍ୟାହାର ପାଇଁ ସଭାପତି ଡା. ରବିନାରାୟଣ ତ୍ରିପାଠୀ, ସଂପାଦକ ଡା. ସୁବଳ କର, ଡା. ରାମକୃଷ୍ଣ ପୁରୋହିତ ଏବଂ ଅନ୍ୟ ସଦସ୍ୟ ଜିଲ୍ଲାପାଳଙ୍କୁ ଦାବି ଜଣାଇଛନ୍ତି।