ବରଗଡ଼: ଖରିଫ ଧାନକିଣା ସରିଛି। ରାଜ୍ୟ ସରକାର ବରଗଡ଼ ଜିଲ୍ଲାରୁ ଯେତେ ଧାନ କିଣିବାକୁ ଟାର୍ଗେଟ୍ ରଖିଥିଲେ, ସେତିକି ବି କିଣି ପାରିନାହାନ୍ତି। କାରଣ ଖୋଜିବା ବେଳକୁ ଜଣାପଡ଼ିଛି ବରଗଡ଼ ଜିଲ୍ଲାର ଧାନ ଏଥର ବିପୁଳ ପରିମାଣରେ ଛତିଶଗଡ଼କୁ ଯାଇଛି। ଏପରିକି ଖୋଦ ଯୋଗାଣ ବିଭାଗ ମୁଖ୍ୟ ଯୋଗାଣ ଅଧିକାରୀ ମଧ୍ୟ ଏ କଥାକୁ ସ୍ୱୀକାର କରିଛନ୍ତି।
ଖରିଫ ଧାନ କିଣା ବିଳମ୍ବିତ ହେବାରୁ ଏଥର ବରଗଡ଼ ଜିଲ୍ଲାରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ନଭେମ୍ବର ପହିଲାରୁ ମଣ୍ଡି ଖୋଲିବାକୁ ଦାବି କରିଥିଲେ। କିନ୍ତୁ ମଣ୍ଡି ଖୋଲିନଥିଲା। ଫଳରେ ପଦ୍ମପୁର ଉପଖଣ୍ଡର ଚାଷୀମାନେ ଅମଳ ଧାନକୁ ଛତିଶଗଡ଼ର ବେପାରୀଙ୍କୁ ବିକ୍ରି କରି ଦେଇଥିଲେ। ଡିଏଲ୍ପିସି ବୈଠକରେ ପ୍ରଶାସନ ବାହାର ରାଜ୍ୟକୁ ଧାନ କିଭଳି ନଯିବ ସେ ଦିଗରେ ପ୍ରଶାସନ ଟିମ୍ ଗଠନ କରି ନଜର ରଖିବ ବୋଲି ନିଷ୍ପତ୍ତି ନେଇଥିଲା। କିନ୍ତୁ ବୈଠକ ପରେ ଭୁଲି ଯାଇଥିଲା। ଫଳରେ ବିନଦାସ ବାହାର ରାଜ୍ୟର ବେପାରୀ ଆସି ଏଠାରେ କାୟାବିସ୍ତାର କରିଥିଲେ। ଛତିଶଗଡ଼ରେ ଧାନର ଏମ୍ଏସପି ମୂଲ୍ୟ ଅଧିକ ଥିବାରୁ ଏଠିକାର ଅଧିକାରୀଙ୍କୁ ହାତ କରି ଏଠାରୁ ଧାନ ଛତିଶଗଡ଼କୁ ନେବାରେ ସକ୍ଷମ ହୋଇଥିଲେ। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏଥର ୨୦୨୩-୨୪ ଖରିଫରେ ୭୫ ଲକ୍ଷ ୯୮ହଜାର ୫୨୯ କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଆସିଥିଲା। କିନ୍ତୁ ପ୍ରଶାସନ ୭୩ ଲକ୍ଷ ୬୭ ହଜାର ୧୪୩ କୁଇଣ୍ଟାଲ ଧାନ କିଣିଛି। ମୋଟ୍ ୧ ଲକ୍ଷ ୫୧ ହଜାର ଜଣ ଚାଷୀ ଧାନ ବିକିବାକୁ ପଂଜୀକୃତ ହୋଇଥିଲେ। ସେଥିରୁ ସେଟେଲାଇଟ ସର୍ଭେରେ ୫ହଜାର ଚାଷୀଙ୍କୁ ବାଦ ଦିଆଯାଇଥିଲା। ୧ ଲକ୍ଷ ୩୫ ହଜାର ୭୯୧ ଜଣ ଚାଷୀ ଧାନ ବିକ୍ରି କରିଥିଲେ। ଏଠି ପ୍ରଶ୍ନ, ପ୍ରାୟ ୧୧ ହଜାର ଜଣ ଚାଷୀଙ୍କ ଧାନ ଗଲା କୁଆଡେ?
Sambad is now on WhatsApp
Join and get latest news updates delivered to you via WhatsApp
ବିଗତ ବର୍ଷର ତଥ୍ୟକୁ ଦେଖିଲେ ୨୦୨୨-୨୩ ବର୍ଷରେ ୭୫ ଲକ୍ଷ ୨୩ ହଜାର ୩୬୭ କୁଇଣ୍ଟାଲ ଧାନ କିଣିବାକୁ ରାଜ୍ୟରୁ ଟାର୍ଗେଟ ଆସିଥିଲା। କିନ୍ତୁ ପ୍ରଶାସନ ୭୪ ଲକ୍ଷ ୭୯ ହଜାର ୨୬୦ କୁଇଣ୍ଟାଲ ଧାନ କିଣିଥିଲା। ୨୦୨୧-୨୨ ବର୍ଷରେ ଠିକ୍ ସେମିତି ୬୫ ଲକ୍ଷ ୮ହଜାର ୮୨୩ କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ରହିଥିବା ବେଳେ ୬୧ ଲକ୍ଷ ୪୧ ହଜାର ୨୧ କୁଇଣ୍ଟାଲ ଧାନ କିଣାଯାଇଥିଲା। ବିଗତ ବର୍ଷର ତଥ୍ୟକୁ ଅନୁଧ୍ୟାନ କଲେ ଟାର୍ଗେଟଠାରୁ ସବୁ ବର୍ଷ ପାଖାପାଖି ଦେଢ଼ଲକ୍ଷ କୁଇଣ୍ଟାଲ ଧାନ କମ କିଣୁଛି ପ୍ରଶାସନ। ସେହି ଧାନ ସବୁତକ ଯାଉଛି କୁଆଡ଼େ? ଅନ୍ୟପଟେ ଟୋକନ ପାଇ ଧାନ ବିକିଥିବା ଚାଷୀ ପାଖରେ ବି ଧାନ ବଳକା ରହୁଛି। ସେହି ଧାନ ମଧ୍ୟ କୁଆଡ଼େ ଯାଉଛି ତାହା ପ୍ରଶାସନ ପାଖରେ ଖବର ନାହିଁ। ମୋଟାମୋଟି ବରଗଡ଼ ଜିଲ୍ଲାର ଧାନ ସବୁ ବର୍ଷ ଛତିଶଗଡ଼କୁ ଯାଉଛି। ଆଉ ଚଳିତ ବର୍ଷ ସବୁଠୁ ଅଧିକ ଧାନ ଛତିଶଗଡ଼ ଯାଇଛି। ଏଥିରେ ଭିତିରିଆ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟ ସମର୍ଥନ ରହିଥିବା ଚାଷୀ ସଂଗଠନ ଅଭିଯୋଗ କରୁଛନ୍ତି। ଚାଷୀ ନେତା ରମେଶ ମହାପାତ୍ର କହିଛନ୍ତି, ବରଗଡ଼ ଜିଲ୍ଲାର ଅମ୍ବାଭୋନା, ଭଟଲି, ସୋହେଲା, ପଦ୍ମପୁର, ଝାରବନ୍ଧ, ପାଇକମାଳ ଆଦି ସୀମାନ୍ତ ଅଂଚଳର ଗାଁର ଚାଷୀମାନେ ଛତିଶଗଡ଼ ବେପାରୀଙ୍କୁ ଧାନ ବିକିଛନ୍ତି। ଏଠି କଟ୍ନିଛଟ୍ନି ଥିବାବେଳେ ସେଠିକାର ବେପାରୀ ଆସି ଓଡ଼ିଶା ଏମ୍ଏସ୍ପି ଦରରୁ ବି କମ୍ ଟଙ୍କାରେ ଧାନ କିଣି ନେଇଛନ୍ତି। ପଂଜୀକୃତ ଚାଷୀ ସମସ୍ତଙ୍କଠାରୁ ବି ଧାନ କିଣିବାରେ ପ୍ରଶାସନ ଫେଲ୍ ମାରିଛି। ଆଉ ସବୁ ବର୍ଷ ଟାର୍ଗେଟ୍ ଓ ଧାନ କିଣାକୁ ଦେଖିଲେ ପ୍ରଶାସନର କାର୍ଯ୍ୟକଳାପ ସନ୍ଦେହ ଘେରରେ ରହୁଛି। ଏହାର ତଦନ୍ତ ହେବା ଦରକାର ବୋଲି ସେ କହିଛନ୍ତି।