ବରଗଡ଼: କିଛି ଦିନ ହେଲେ ବରଗଡ଼ ଜିଲ୍ଲାରେ କୋହଲା ପାଗ ରହିିଛି। ଆକାଶରେ ମେଘ ଭାସୁଛି। ଏଣେ ଆଗକୁ ବର୍ଷା ଭିଜାଇବ ବୋଲି ପାଣିପାଗ ପୂର୍ବାନୁମାନ ରହିଛି। ଚାଷୀ ନିଜ ଧାନକୁ ସୁରକ୍ଷିତ ରଖିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଥିବାବେଳେ ପ୍ରଶାସନ ପକ୍ଷରୁ କିଛି ଜରୁରୀ ବ୍ୟବସ୍ଥା ହେଲା ନାହିଁ। ଫଳରେ ଖୋଲା ଆକାଶ ତଳେ ହଜାର ହଜାର ବସ୍ତା ଧାନ ପଡ଼ିଛି। ସ୍ଥାନାଭାବରୁ ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି। ଧାନ ଶୁଖାଇବା ପାଇଁ ପର୍ଯ୍ୟାପ୍ତ ଯାଗା ନ ଥିବାରୁ ଚାଷୀ ରାଜପଥ ଉପରକୁ ଉଠି ଆସିଛି। ରାଜପଥର ଗୋଟିଏ କଡ଼ରେ ଧାନ ଶୁଖାଯାଉଛି। ଫଳରେ ଯାନବାହାନ ଚଳାଚଳ ଦ୍ବାରା ଗୋଡ଼ି ବାଲି ଧାନରେ ମିଶି ଯାଉଛି। ଆକଶରେ ମେଘ ଦେଖିଲେ ଚାଷୀ ତରତର ହୋଇ ଗୋଡ଼ି ବାଲି ମିଶା ଧାନ ବସ୍ତାରେ ପୂରାଇ ମଣ୍ଡିକୁ ନେଉଛି।
ରାତିରେ କାକରରେ ବି ଧାନ ଓଦା ହୋଇଯାଉଛି। ଆର୍ଦ୍ରତା ଯୋଗୁଁ ଧାନର ମାନ କମି ଯାଇଥିବା ଏବଂ ଗୋଡ଼ି ବାଲି ମିଶିଥିବା ଦର୍ଶାଇ ପ୍ରବଳ କଟ୍ନି ଛଟ୍ନି ଚାଲିଛି। ଜିଲ୍ଲାରେ ଖରିଫ୍ ଧାନ ବିକିବାକୁ ମୋଟ୍ ୧,୪୬,୮୫୪ ଜଣ ଚାଷୀ ପଞ୍ଜୀକୃତ। ଏମାନଙ୍କ ମଧ୍ୟରୁ ବର୍ତମାନ ଯାଏ ୪୧୫୬ଜଣଙ୍କ ୨,୨୫,୪୧୦ କ୍ବିଣ୍ଟାଲ ଧାନ କିଣା ସରିଛି। ୨୧ ତାରିଖରୁ ମଣ୍ଡି ଖୋଲି ଥିଲେ ହେଁ ଧାନ କିଣା ମନ୍ଥର ଚାଲିଛି। ଅଧିକାଂଶ ଚାଷୀ ଏବେ କଟ୍ନି ଛଟ୍ନିର ଶିକାର ହେଉଥିବା ଖୋଲାଖୋଲି ଅଭିଯୋଗ କରୁଛନ୍ତି। ଜିଲ୍ଲାର ମଣ୍ଡିଗୁଡ଼ିକରେ ମାତ୍ର ୫ରୁ ୭ ହଜାର କ୍ବିଣ୍ଟାଲ ଧାନ ରଖିବା କ୍ଷମତା ରହିଛି। ଅର୍ଥାତ ବଳକା ଧାନ ଖୋଲା ଆକାଶ ତଳେ ପଡ଼ି ରହୁଛି। ଧାନ ଶୁଖାଇବା ଭିତ୍ତିଭୂମି ନ ଥିବାରୁ ଚାଷୀ ରାଜରାସ୍ତାକୁ ଆସୁଛି। ଆର୍ଏମ୍ସି ପକ୍ଷରୁ ଚାଷୀଙ୍କୁ ପର୍ଯ୍ୟାପ୍ତ ପଲିଥିନ୍ ଯୋଗାଇ ଦିଆଇନଥିବା ଚାଷୀ ଅଭିଯୋଗ କରିଛନ୍ତି। ଚାଷୀ ବାଧ୍ୟ ହୋଇ ନିଜ ଖର୍ଚ୍ଚରେ ପଲିଥିନ୍ କିଣି ଧାନର ସୁରକ୍ଷା ଦେଇଛି। ଯଦି ଆଗକୁ ଲଗାତାର ବର୍ଷା ହୁଏ ତାହେଲେ ବହୁ ପରିମାଣରେ କ୍ଷତି ହେବା ଆଶଂକା ରହିଛି। ଅନ୍ୟପକ୍ଷରେ ଧାନ କିଣା ଏଭଳି ମନ୍ଥର ରୁହେ, ତେବେ ଚାଷୀ ତ ଅଭାବୀ ବିକ୍ରିର ସମ୍ମୁଖୀନ ହେବେ, ଲକ୍ଷାଧିକ କ୍ବିଣ୍ଟାଲ ଧାନ ପୂର୍ବ ବର୍ଷ ଭଳି ନଷ୍ଟ ହେବା ଆଶଂକା ରହିଛି।