ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ବୀମା ରାଶି ପ୍ରଦାନ ଦାବିରେ ରାଜ ବୋଡ଼ାସମ୍ବର କୃଷକ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ପଦ୍ମପୁର ଉପଖଣ୍ଡର ୬ଟି ବ୍ଲକରେ ଥିବା ଚାଷୀମାନେ ଏଥିରେ ସାମିଲ ହୋଇ ବନ୍ଦ ପାଳନ କରୁଛନ୍ତି। ଆଜି ପଦ୍ମପୁର ଉପଖଣ୍ଡର ସମସ୍ତ ଦୋକାନବଜାର ବନ୍ଦ ରହିଛି। ଏହାଛଡ଼ା ଗାଡ଼ି ଚଳାଚଳ ବି ବାଧାପ୍ରାପ୍ତ ହୋଇଥିବାର ପରିଲକ୍ଷିତ ହୋଇଛି। ପଦ୍ମପୁରର ଗାଇସିଲେଟ ସହିଦ ଛକ, ତାଳପାଲି ଓ ଭେଉଁରିଆ ଛକରେ ଚାଷୀମାନେ ରାସ୍ତାରୋକ କରିଛନ୍ତି।
/sambad/media/post_attachments/wp-content/uploads/2022/07/217fa560-d742-43a8-bb53-67c0eeaa9e20.jpg)
ସୂଚନାଯୋଗ୍ୟ, ୨୦୨୧ ଖରିଫରେ ବର୍ଷା ଅଭାବରୁ ଧାନ ଫସଲ ମରୁଡ଼ି ହୋଇ ଅଂଚଳର ଚାଷୀକୁଳ ବ୍ୟାପକ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥିଲେ। ଚାଷୀମାନେ ଫସଲହାନି କ୍ଷତିପୂରଣ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ସାମିଲ ହୋଇ ଆବଶ୍ୟକ ବୀମା ପ୍ରିମିଅମ ଟଙ୍କା ପଇଠ କରିଥିଲେ। କିନ୍ତୁ ଦୀର୍ଘ ଏକବର୍ଷରୁ ଅଧିକ ସମୟ ବିତିଯିବା ସତ୍ୱେ କ୍ଷତିପୂରଣ ପ୍ରଦାନରେ ବୀମା କଂପାନି ଟାଳଟୁଳ ନୀତି ଅବଲମ୍ବନ କରୁଛି। ବୀମାରାଶି ପ୍ରଦାନ ଦାବିରେ ଚାଷୀମାନଙ୍କ ଦ୍ୱାରା ବାରମ୍ବାର ଆନ୍ଦୋଳନ, ଧାରଣା , ରାସ୍ତାରୋକ କରିବା ସତ୍ୱେ କୌଣସି ସୁଫଳ ମିଳୁନାହିଁ। ବୀମା କମ୍ପାନି ଓ ସରକାରଙ୍କ ଏପରି ମନୋବୃତ୍ତିର ପ୍ରତିବାଦରେ ବରଗଡ଼ ଜିଲ୍ଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡର ଚାଷୀମାନେ ସଂଗଠିତ ହୋଇ ଆସନ୍ତା ୧୮ତାରିଖ ଦିନ ଆନ୍ଦୋଳନ କରିବାର ନିଷ୍ପତ୍ତି ନେଇଥିଲେ।
/sambad/media/post_attachments/wp-content/uploads/2022/07/bab0c759-a750-45fc-81c7-69eacaa0ea6b.jpg)
ଏହି କ୍ରମରେ ପୂର୍ବରୁ ସୋହେଲା କୃଷକ ବିକାଶ ମଂଚର କାର୍ଯ୍ୟକାରୀ ସଭାପତି ମନୋହର ମାଝୀଙ୍କ ନେତୃତ୍ୱରେ ଅନ୍ତର୍ଯ୍ୟାମୀ ପାତ୍ର, ଲକ୍ଷ୍ମଣ ପ୍ରଧାନ, ମନୋହର ସାହୁ, ଶ୍ରୀକାନ୍ତ ସେନାପତି, ନୀଳକଣ୍ଠ ସେନାପତି ପ୍ରମୁଖ ବହୁ ଚାଷୀ ସ୍ଥାନୀୟ ତହସିଲ କାର୍ଯ୍ୟାଳୟକୁ ଯାଇ ତହସିଲଦାରଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ଅଂଶୁମାନ ଷଡ଼ଙ୍ଗୀଙ୍କୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/becbeb20-6ea2-49d9-b51a-050aa6566a72.jpg)
