ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ପଞ୍ଚାୟତ ଅଧିକାରୀ

ବରଗଡ଼/ପଦ୍ମପୁର/ଝାରବନ୍ଧ : ନଗଦ ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ ଛବିଳ ବରିହା। ଶ୍ରୀ ବରିହା ପଦ୍ମପୁର ବ୍ଲକ ପୁରେନା ପଞ୍ଚାୟତରେ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩୦ହଜାର ଟଙ୍କାର ଚୂଡ଼ାନ୍ତ ବିଲ୍‌ କରିଦେବା ପାଇଁ ସେ ପଦ୍ମପୁର ଥାନା ସତୀଭଟା ଗାଁର ଅରବିନ୍ଦ ଲୁହାରଙ୍କ ଠାରୁ ବାରମ୍ବାର ୭ହଜାର ଟଙ୍କା ଦାବି କରୁଥିଲେ। ଏନେଇ ଅରବିନ୍ଦ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ।

ଯୋଜନା ଅନୁଯାୟୀ, ବୁଧବାର ଭିଜିଲାନ୍ସ ଅଧିକାରୀମାନେ ପୁରେନା ପଞ୍ଚାୟତ ଅଫିସ୍‌ ନିକଟରେ ଛପି ବସିଥିଲେ। ଅରବିନ୍ଦ ରଂଗବୋଳା ୭ହଜାର ଟଙ୍କା ଶ୍ରୀ ବରିହାଙ୍କୁ ଦେବା ବେଳେ ଅଧିକାରୀମାନେ ମାଡ଼ି ବସିଥିଲେ। ଶ୍ରୀ ବରିହାଙ୍କୁ ଟଙ୍କା ସମେତ ଗିରଫ କରିଥିଲେ। ଶ୍ରୀ ବରିହାଙ୍କ ଝାରବନ୍ଧସ୍ଥିତ ଭଡ଼ା ଘରେ ମଧ୍ୟ ଭିଜିଲାନ୍ସ ବିଭାଗ ଚଢ଼ଉ କରିଥିଲା। ସେଠାରେ ତାଙ୍କ ସଂପତ୍ତି ତାଲିକା ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି। ସୋନପୁର ଭିଜିଲାନ୍ସ ଡିଏସ୍‌ପି ଦାଶରଥୀ ସେଠୀ, ବଲାଂଗୀର ଡିଏସ୍‌ପି ପି. କିଷାନଙ୍କ ନେତୃତ୍ୱରେ ଇନ୍ସପେକ୍ଟର ସଦାନନ୍ଦ ପାଣି, ପି. ବାଗ, ଏସ୍‌ଏନ୍‌ ଦାସ, ତାପସ ନାୟକ ପ୍ରମୁଖ ଚଢ଼ଉରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର