ବରଗଡ଼: ମଙ୍ଗଳବାର ବରଗଡ଼ ସହର ଗାନ୍ଧୀ ଛକଠାରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ରଙ୍କ ବାଟ ଓଗାଳିଛି କୋଶଳସେନା। କୋଶଳାଞ୍ଚଳକୁ ସ୍ବତନ୍ତ୍ର ରାଜ୍ୟ ଘୋଷଣା ଏବଂ ସମ୍ବଲପୁରୀ-କୋଶଲି ଭାଷାକୁ ସାମ୍ବିଧାନିକ ସ୍ବୀକୃତି ଦାବିରେ କୋଶଳସେନାର କର୍ମୀମାନେ ପ୍ଲାକାର୍ଡ ପ୍ରଦର୍ଶନ କରି ମନ୍ତ୍ରୀ ଶ୍ରୀ ପାତ୍ରଙ୍କ କାର୍କେଡ୍ ସମ୍ମୁଖକୁ ଚାଲି ଆସିଥିଲେ। ମନ୍ତ୍ରୀ ଶ୍ରୀ ପାତ୍ର ଭେଡ଼େନ ବ୍ଲକ୍ ଦେକୁଲବାଠାରେ ଆୟୋଜିତ ହେଉଥିବା ଗିରି ଗୋବର୍ଦ୍ଧନ ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେବା ପାଇଁ ବରଗଡ଼ ସର୍କିଟ୍ ହାଉସ୍ଠାରୁ ବାହାରିଥିଲେ।
ସଂଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ପାଇଲଟିଂ ଗାଡ଼ି ସହ କାର୍କେଡ୍ ତାଙ୍କ ଗାଡ଼ି ସମ୍ମୁଖରେ ବାହାରିଥିଲା। ପରେ ଗାନ୍ଧୀ ଛକ ସମ୍ମୁଖ ଦେଇ କାର୍କେଡ୍ ଅତିକ୍ରମ କରୁଥିବା ବେଳେ କୋଶଳସେନାର ସଦସ୍ୟମାନେ ବିଚ୍ ରାସ୍ତା ଉପରକୁ ଚାଲି ଆସିଥିଲେ। ସମସ୍ତଙ୍କ ହାତରେ ପ୍ଲାକାର୍ଡ ରହିଥିଲା। ଏଥିରେ କୋଶଳାଞ୍ଚଳକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଏବଂ ସମ୍ବଲପୁରୀ-କୋଶଲି ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବି ସଂପର୍କରେ ଉଲ୍ଲେଖ ରହିଥିଲା। କିଛି ସମୟ ଧରି ସହରର ଏହି ପ୍ରମୁଖ ଛକଠାରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ମନ୍ତ୍ରୀଙ୍କ କାର୍କେଡ୍ କିଛି ସମୟ ଅଟକି ଯାଇଥିଲା। ପରେ ପୁଲିସ୍ ପ୍ଲାକାର୍ଡଧାରୀ କୋଶଳସେନାର ସଦସ୍ୟଙ୍କୁ କାବୁ କରିବା ପରେ କାର୍କେଡ୍ ଗନ୍ତବ୍ୟ ସ୍ଥଳକୁ ବାହାରିଥିଲା।