ଛତିଶଗଡ଼କୁ ଲମ୍ବିଛି ଚେର: ୨ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ, କିଙ୍ଗପିନ୍ ସମେତ ୩ ଗିରଫ

ବରଗଡ଼ ଭଟଲି ଛକରୁ ଧରିଲା ଏସ୍‌ଟିଏଫ୍, ପ୍ଲେସମେଣ୍ଟ ଅଫିସ ଖୋଲି ଚାଲିଥିଲା କାରବାର

ଭୁବନେଶ୍ବର/ବରଗଡ଼ : ରାଜ୍ୟରେ ବଢ଼ି ଚାଲିଛି ଜାଲ ନୋଟ୍ କାରବାର। ବିଭିନ୍ନ ଅଞ୍ଚଳରେ ଘୂରି ବୁଲୁଛନ୍ତି ଏଜେଣ୍ଟ। କେବଳ ସହରରେ ନୁହେଁ; ଉପାନ୍ତ ଅଞ୍ଚ​ଳରେ ବି ମାଡ଼ି ଗଲେଣି ଜାଲ୍ ନୋଟ୍ ଏଜେଣ୍ଟ। ନେଟଵର୍କ ତିଆରି କରି ଚଳାଇଛନ୍ତି ଜାଲ୍ ନୋଟ୍ କାରବାର। କ୍ରାଇମବ୍ରାଞ୍ଚ ଏସଟିଏଫ୍ ହାତରେ ଏଭଳି ଏକ ଗ୍ୟାଙ୍ଗ ଧରାପଡ଼ିଛି। ବରଗଡ଼ ଜିଲ୍ଲା ଭଟଲି ବଜାରରେ ଚାଲିଥିବା ଜାଲ ନୋଟ୍ କାରବାରର କିଙ୍ଗପିନ୍ ସମେତ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍। ସେମାନଙ୍କଠାରୁ ୨ ଲକ୍ଷ ୬ ଶହ ଟଙ୍କାର ଜାଲ୍ ନୋଟ୍, ମୋବାଇଲ ଫୋନ୍, ପ୍ରିଣ୍ଟର, କମ୍ପ୍ୟୁଟର, ବାଇକ୍ ଜବତ କରାଯାଇଛି। ଏହି ମାମଲାକୁ ଏସଟିଏଫ୍ ବରଗଡ଼ ଟାଉନ୍ ଥାନାକୁ ହସ୍ତାନ୍ତର କରିଛି। ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଟାଉନ୍ ଥାନା ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ରାକେଟର କିଙ୍ଗପିନ୍ କଟକ ସେଲଟର ଛକର ମୂଳ ବାସିନ୍ଦା ତଥା ବରଗଡ଼ରେ ରହୁଥିବା ସୁଦର୍ଶନ ମହାନ୍ତି, ଦୁଇ ଏଜେଣ୍ଟ ବରପାଲିର ପ୍ରଫୁଲ ମେହେର ଓ ଛତିଶଗଡ଼ ରାୟଗଡ଼ ସରିଆ ଥାନ୍ତା ଅନ୍ତର୍ଗତ ବ୍ରହ୍ମପୁରା ଅଞ୍ଚଳର ମଙ୍ଗଳୁ ମାଲଖର। ଅଧିକ ତଦନ୍ତ ପାଇଁ କିଙ୍ଗପିନ୍ ସୁଦର୍ଶନକୁ ଏସଟିଏଫ୍ ରିମାଣ୍ଡରେ ଆଣିବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, କିଙ୍ଗପିନ୍ ସୁଦର୍ଶନ ୨୦୦୨ରୁ ବରଗଡ଼ରେ ରହି ଆସୁଛି। କିଛି ବର୍ଷ ହେଲା ଭଟଲି ଛକରେ ପ୍ଲେସମେଣ୍ଟ ଅଫିସ୍ ଓ ହେଲଥ୍ କେୟାର ଟିପସ୍ ସାଇନ୍ ବୋର୍ଡ ଲଗାଇ ଅଫିସ୍ କରିଥିଲା। ଅଫିସକୁ ଢାଲ କରି ଜାଲ୍ ନୋଟ୍ କାରବାର କରୁଥିବା କ୍ରାଇମବ୍ରାଞ୍ଚ ଏସଟିଏଫ୍ ପାଖରେ ଖବର ପହଞ୍ଚିଥିଲା। ଗତକାଲିଠାରୁ ଏସଟିଏଫ୍ ୭ ଜଣ ଅଫିସର ୩ଟି ଟିମ୍‌ରେ ଭାଗ ହୋଇ ଭଟଲିରେ ଡେରା ପକାଇଥିଲେ। ସନ୍ଧ୍ୟାରେ ସୁଦର୍ଶନକୁ କାବୁ କରି ନେଇଥିଲା ଏସଟିଏଫ୍ ଟିମ୍। ସୁଦର୍ଶନକୁ ଟାଉନ ଥାନାକୁ ନେଇ ଜେରା କରିବା ପରେ ଛତିଶଗଡ଼ର ଏଜେଣ୍ଟ ମଙ୍ଗଳୁ ଓ ବରପାଲିର ପ୍ରଫୁଲ ମେହେର ସମ୍ପର୍କରେ ଖବର ପାଇଥିଲା ଏସଟିଏଫ୍। ଏହା ପରେ ଗୋଟିଏ ଟିମ୍ ରାୟଗଡ଼ର ବ୍ରହ୍ମପୁରା ଓ ଆଉ ଗୋଟିଏ ଟିମ୍ ବରପାଲି ଯାଇ ଦୁଇ ଏଜେଣ୍ଟଙ୍କୁ ଉଠାଇ ଆଣିଥିଲେ। ସେମାନଙ୍କ ନିକଟରୁ ୨୮୮ ଖଣ୍ଡ ୫୦୦ ଶହ ଟଙ୍କିଆ, ୨୩୩ ଖଣ୍ଡ ୨୦୦ ଟଙ୍କିଆ ଓ ୧୦୦ ଖଣ୍ଡ ୧୦୦ ଟଙ୍କିଆ ନୋଟ୍ ବାହାରିଥିଲା। ଛତିଶଗଡ଼କୁ ଚୋରା ଚାଲାଣ ହେଉଥିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ଗିରଫ ଅଭିଯୁକ୍ତମାନଙ୍କୁ ବରଗଡ଼ ଟାଉନ୍ ଥାନା ପୁଲିସ ଜେରା କରୁଥିବା ବେଳେ ସେମାନଙ୍କ ସମ୍ପର୍କରେ ଅଧିକ ଖୋ​ଳତାଡ଼ ଜାରି ରଖିଛି। ଏମାନଙ୍କ ନେଟଵର୍କରେ ଆଉ କେଉଁମାନେ ଅଛନ୍ତି, ଜାଲ୍ ନୋଟ୍ କେଉଁଠିକି ଚାଲାଣ କରା ଯାଉଥିଲା, କେଉଁଠି ଛପା ଯାଉଥିଲା, ଆଉ କେଉଁ ରାଜ୍ୟକୁ ଚେର ଲମ୍ବିଛି ସେ ସମ୍ପର୍କରେ ଖୋଳତାଡ଼ ଜାରି ରଖିଛି ବରଗଡ଼ ପୁଲିସ। ସୁଦର୍ଶନକୁ ରିମାଣ୍ଡରେ ଆଣିବା ପରେ ପୂରା ରାକେଟ୍‌ର ଗୁମର ଖୋଲିବ ବୋଲି ଆଶା ରଖିଛି ଏସଟିଏଫ୍।

ସମ୍ବନ୍ଧିତ ଖବର