ବରଗଡ଼: ବରଗଡ଼ ଗୁଳିମାଡ଼ ଘଟଣାରେ ଆଉ ୬ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ଜଣାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍ ସ୍ବତନ୍ତ୍ର ଟିମ୍ ଗଠନ କରି ତନାଘନା ଚଳାଇଛି। କିଛି ମାରଣାସ୍ତ୍ର ବି ପୁଲିସ୍ ହାତରେ ଲାଗିଛି। ଏସବୁ ମାରଣାସ୍ତ୍ର ମଧ୍ୟରେ ଘଟଣା ଦିନ ବ୍ୟବହାର ହୋଇଥିବା ବନ୍ଧୁକ ଜବତ ହୋଇଛି ନା ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ସମ୍ଭବତଃ, ପୁଲିସ୍ ଆହୁରି କିଛି ଅପରାଧୀଙ୍କୁ ଗିରଫ କରିବା ପୂର୍ବରୁ ଠୋସ୍ ତଥ୍ୟ ଆଦାୟରେ ଲାଗିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗୁଳିକାଣ୍ଡର ଦିନକ ପରେ ୨ଜଣ ଅଭିଯୁକ୍ତ ପ୍ରମୋଦ ମଲ୍ଲିକ ଓ ବିଷ୍ଣୁ ମହାପାତ୍ରକୁ ପୁଲିସ୍ ଗିରଫ କରିଥିଲା। ଏଣେ ଗୁରୁବାର ରାତିରେ ବରଗଡ଼ ସହରରେ ଘଟିଥିବା ଗୁଳିମାଡ଼ ଏବଂ ପ୍ରାଣାନ୍ତକ ଆକ୍ରମଣରେ ଗୁରୁତର ଜଗନ୍ନାଥ କର୍ଣ୍ଣଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତେବେ ଉଚ୍ଚତର ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
ଜଗନ୍ନାଥଙ୍କ ଗୋଡ଼ରେ ଗୋଟିଏ ଗୁଳି ଫସି ରହିଥିବା କହାଯାଉଛି। ତାକୁ ବାହାର କରିବା ସହ ଚିକିତ୍ସା ପାଇଁ ଭୁବନେଶ୍ବର ପଠାଯାଇଛି। ତେବେ କେଉଁ କାରଣରୁ ସହରର ମଧ୍ୟସ୍ଥଳରେ ଏଭଳି ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ। ପୁରୁଣା ଶତ୍ରୁତା ଏବଂ ପୁରୁଣା ଗୋଷ୍ଠୀ ସଂଘର୍ଷ ସହ ଜମି କାରବାର ଏହାର କାରଣ ବୋଲି କୁହାଯାଉଛି। ଗୁରୁତର ଜଗନ୍ନାଥ ବିଜେଡି କର୍ମୀ ଥିଲେ। ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ବି ତାଙ୍କ ଉପସ୍ଥିତି ରହିଥାଏ। ରାଜନୈତିକ ଦଳର ଜଣେ ସକ୍ରିୟ ସଦସ୍ୟଙ୍କୁ ସହରର ବ୍ୟସ୍ତତମ ଅଂଚଳରେ ଗୁଳିମାଡ଼ ଓ ଭୁଜାଲିରେ ଆକ୍ରମଣ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp