ବିଜେପୁରରେ ଓଲିଉଡ୍‌ ତାରକାଙ୍କ ଭିଡ଼

ନିର୍ବାଚନ ମଣ୍ଡଳୀରେ ନାହିଁ ସିନେମାହଲ୍‌

ବରଗଡ଼ : ବିଜେପୁର ଉପନିର୍ବାଚନରେ ପୂରା ଓଡ଼ିଶାର ରାଜନୀତି ଉପରତଳ ହେଉଥିବା ବେଳେ ଏବେ ପୂରା ଓଲିଉଡ୍‌ର ତାରକା ଠୁଳ ହୋଇଛନ୍ତି ବିଜେପୁର ଭଳି ଏକ ଅବହେଳିତ ନିର୍ବାଚନ ମଣ୍ଡଳୀରେ। ହେଲେ ଏହି ତାରକାମାନେ ଭୁଲି ଯାଇଛନ୍ତି ଯେ, ଏହି ନିର୍ବାଚନ ମଣ୍ଡଳୀର ଅଭାବ ଅସୁବିଧାରେ ବଂଚୁଥିବା ଲୋକମାନଙ୍କ ପାଖରେ ସିନେମା ହଲଟିଏ ମଧ୍ୟ ନାହିଁ। ବିଜେପୁର ଓ ଗାଇସିଲାଟ୍‌ରେ ଆଜି ପର୍ଯ୍ୟନ୍ତ ସିନେମା ହଲ ତିଆରି ହୋଇପାରି ନଥିବା ବେଳେ ଦର୍ଶକ ଅଭାବରୁ ବହୁ ବର୍ଷ ପୂର୍ବରୁ ବରପାଲିରେ ଥିବା ସିନେମା ହଲ ବନ୍ଦ ହୋଇସାରିଛି। ଏହି ଅବସ୍ଥା ମଧ୍ୟରେ ବିଜେପିରୁ ଓଡ଼ିଆ ସିନେ ତାରକା ମିହିର ଦାସ, ଅନୁ ଚୌଧୁରୀ, ମହାଶ୍ୱେତା ରାୟ, ହରିହର ମହାପାତ୍ର, ପିଙ୍କି ପ୍ରଧାନ ପ୍ରଚାରକୁ ଓହ୍ଲାଇ ସାରିଥିବା ବେଳେ ଖୁବଶୀଘ୍ର ଅପରାଜିତ ମହାନ୍ତି ମଧ୍ୟ ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡିଛି।

ସେହିଭଳି ବିଜେଡି ପକ୍ଷରୁ ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ମୁନା ଖାଁ, ଆକାଶ ଦାସ ନାୟକ, କୁନା ତ୍ରିପାଠୀ, ଅରିନ୍ଦମ୍‌ ପ୍ରମୁଖ ଦିନସାରା ଗାଁ ଗାଁ ବୁଲୁଛନ୍ତି। ସିନେମା ହଲ ନଥିବା ଏହି ନିର୍ବାଚନ ମଣ୍ଡଳୀରେ ଏହି ନୂଆ ତାରକାଙ୍କୁ ପୁରୁଣା ଭୋଟରମାନେ ଚିହ୍ନି ପାରୁନାହାନ୍ତି। ତେଣୁ ସେମାନଙ୍କ ସଭା ଗୁଡିକରେ ମୁଖ୍ୟତଃ ଯୁବ ଓ ଛୋଟ ଛୋଟ ପିଲାମାନଙ୍କ ଭିଡ଼ ଦେଖିବାକୁ ମିଳୁଛି। ଏହାଛଡ଼ା ଦଳମତ ନିର୍ବିଶେଷରେ ସବୁ ଦଳର ଲୋକ ସେମାନଙ୍କ ସହିତ ସେଲ୍‌ଫି ନେଇ ସୋସିଆଲ୍‌ ମିଡିଆରେ ଅପଲୋଡ କରିବା ପାଇଁ ବେଶି ଆଗ୍ରହୀ ଥିବା ଦେଖାଯାଉଛି। ରାଜନୀତି ମଇଦାନରେ ଓହ୍ଲାଇଥିବା ଏହି ସିନେ ତାରକାମାନେ ଶୁଆ ଭଳିଆ ଡାଇଲଗ୍‌ ଗୁଡ଼ିକ ସମାନ ଢଙ୍ଗରେ କହୁଛନ୍ତି। ବିଜେପି ତାରକାମାନେ ନରେନ୍ଦ୍ର ମୋଦି ହିଁ ଦେଶର ହିରୋ ବୋଲି କହୁଥିବା ବେଳେ ସମାନ ଢଙ୍ଗରେ ବିଜେଡି ତାରକାମାନେ ନବୀନ ପଟ୍ଟନାୟକ ହିଁ ଓଡ଼ିଶାର ହିରୋ ବୋଲି କହୁଛନ୍ତି।

ଏମାନଙ୍କଠାରୁ ନିରାପଦ ଦୂରତ୍ୱ ରଖି କଂଗ୍ରେସ ଅଲଗା କଥା କହୁଛି। ଦଳରେ କୌଣସି ସିନେ ତାରକା ପ୍ରଚାରରେ ନଥିବା ବେଳେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ କଂଗ୍ରେସ ଏହି ଅଂଚଳର ଚାଷୀ ଓ ସ୍ଥାନୀୟ ଲୋକ ହିଁ ଆମର ହିରୋ ବୋଲି କହି ବୁଲୁଛନ୍ତି। ଉଭୟ ଦଳର ରାଜ୍ୟ ଓ ଜିଲ୍ଲାସ୍ତରୀୟ ନେତାମାନେ ରୋଡ୍‌ ସୋ’ ଓ ସଭା ମାନଙ୍କରେ ଭିଡ଼ କରିବା ପାଇଁ ଏହି ତାରକାମାନଙ୍କୁ ସାଂଗରେ ନେଇ ବୁଲୁଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳିଆ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ତାଙ୍କ ପ୍ରଥମ ରୋଡ୍‌ ସୋ’ରେ ସିନେ ତାରକା ନଥିବାରୁ ଅଧିକାଂଶ ସ୍ଥାନରେ କମ୍‌ ଲୋକ ହୋଇଥିବା ଦେଖାଯାଇଥିଲା। ତେବେ ତାରକାମାନଙ୍କୁ ଦେଖିବାର ଏହି ନିଶା ୨୪ ତାରିଖ ଭୋଟ ଦେବା ପର୍ଯ୍ୟନ୍ତ ବଳବତ୍ତର ରହିବ ନା ଏହା କେବଳ ଦେଖିବା ପରେ ସରିଯିବ ତା ଉପରେ ମଧ୍ୟ ଏହି ନିର୍ବାଚନର ଫଳାଫଳ ନିର୍ଭର କରିବ। ତେବେ ଉଭୟ ବିଜେପି ଓ ବିଜେଡି ପାଇଁ ଏହି ତାରକାମାନେ ଲୋକ ଯୁଟାଇବାରେ ସଫଳ ହୋଇଛନ୍ତି ଓ ନିର୍ବାଚନ ପାଇଁ ଏକ ମାହୋଲ ସୃଷ୍ଟି କରିପାରିଛନ୍ତି ଏଥିରେ କୌଣସି ସନ୍ଦେହ ନାହିଁ।

ସମ୍ବନ୍ଧିତ ଖବର