ବରଗଡ଼ ମୁଖ୍ୟ ଡାକ୍ତରଖାନା ସାମଗ୍ରୀ ବୁହାରେ ଲାଗୁଛି ଷ୍ଟ୍ରେଚର

ବରଗଡ଼: ରୋଗୀ ବୋହିବାକୁ ପର୍ଯ୍ୟାପ୍ତ ଷ୍ଟ୍ରେଚର ନାହିଁ। ଏଥିପାଇଁ ଚିଠି ପରେ ଚିଠି ରାଜ୍ୟ ସରକାରଙ୍କୁ ଲେଖାଚାଲିଛି। ଏପଟେ ଯାହା କିଛି ଷ୍ଟ୍ରେଚର ରହିଛି ସେଥିରେ ହସ୍‌ପିଟାଲର ସାମଗ୍ରୀ ବୁହା ଚାଲିଛି। ଏଭଳି ଚିତ୍ର ବରଗଡ଼ ମୁଖ୍ୟ ଡାକ୍ତରଖାନାର ନିତିଦିନିଆ ଘଟଣା। କାରଣ ଖୋଦ ହସ୍‌ପିଟାଲ ମ୍ୟାନେଜର ଓ ସୁପରଭାଇଜରଙ୍କ ନିର୍ଦ୍ଦେଶରେ ଏଭଳି କାର୍ଯ୍ୟ ହେଉଛି।
ଗତକାଲି ଅପରାହ୍ନ ୧୨ଟା ସମୟର ଘଟଣା। ଗୁରୁତର ରୋଗୀମାନଙ୍କୁ ଡାକ୍ତରଖାନାରେ ଦେଖା ଚାଲିଥିଲା। ହଠାତ୍‌ ଖୋଜା ପଡ଼ିଥିଲା ଷ୍ଟ୍ରେଚର। କିନ୍ତୁ ମିଳିନଥିଲା। ଷ୍ଟ୍ରେଚର କୁଆଡ଼େ ଖୋଜାଖୋଜି କଲା ବେଳକୁ ଡାକ୍ତରଖାନା ସାମ୍ନାରେ ସାମଗ୍ରୀ ଲଦାଯାଇ ଦୁଇ ଜଣ କର୍ମଚାରୀ ତାକୁ ନିକଟ କ୍ୟାନ୍‌ସର୍‌ ହସ୍‌ପିଟାଲକୁ ନେଇ ଯାଉଥିଲେ। କର୍ମଚାରୀଦ୍ୱୟଙ୍କୁ କଣ ସାମଗ୍ରୀ ଯାଉଛି ପଚାରିଲା ବେଳକୁ ଲୁଚିଛପି ବସିଥିଲେ। ପରେ ଔଷଧପତ୍ର, ସାଲାଇନ ଆଦି ନିଆଯାଉଛି। ଆମକୁ ସୁପରଭାଇଜର ଓ ହସ୍‌ପିଟାଲ ମ୍ୟାନେଜର କହିବା ପରେ ଏଥିରେ ବୋହି ନେଉଛୁ ବୋଲି କହିଥିଲେ। ହସ୍‌ପିଟାଲ ମ୍ୟାନେଜରଙ୍କୁ ପଚାରିବାରୁ ହାତ ଯୋଡି ସେ କିଛି କହିପାରିବେ ନାହିଁ କହିଥିଲେ। ଏ ନେଇ ହସ୍‌ପିଟାଲ ଅଧୀକ୍ଷକ ଡା. ଡି. କେ ଦତ୍ତଙ୍କୁ ପଚାରିବାରୁ ଷ୍ଟ୍ରେଚରରେ ସାମଗ୍ରୀ ବୋହିବାକୁ ମନା କରାଯାଉଛି। କିନ୍ତୁ ପୂରା ଉପର ମହଲାରେ ଗୋଡାଉନ ରହୁଥିବାରୁ ସାମଗ୍ରୀ ତଳକୁ ଓହ୍ଲାଇବାକୁ କର୍ମଚାରୀମାନେ ବ୍ୟବହାର କରି ଦେଉଛନ୍ତି ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ, ବରଗଡ଼ ମୁଖ୍ୟ ଡାକ୍ତରଖାନାରେ ସମୁଦାୟ ୧୦ଟି ଷ୍ଟ୍ରେଚର ରହିଛି। ସେଥିରୁ କିଏ କେଉଁ ୱାର୍ଡକୁ ଷ୍ଟ୍ରେଚର ନେଲେ ଆଉ ଫେରାଉ ନାହାନ୍ତି। କମ୍‌ ଷ୍ଟ୍ରେଚର ଥିବାରୁ ରାଜ୍ୟ ସରକାରଙ୍କୁ ଚିଠି ମଧ୍ୟ ଲେଖାଯାଇଛି। ଏପଟେ କର୍ମଚାରୀମାନେ ରୋଗୀ ବୋହିବା ଷ୍ଟ୍ରେଚରକୁ ସାମଗ୍ରୀ ବୁହାରେ ଲଗାଇବା କେତେଦୂର ଠିକ୍‌ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହେଉଛି।

ସମ୍ବନ୍ଧିତ ଖବର