ଖସିଗଲା କୁଖ୍ୟାତ ମାଓ ନେତା ସୁଦର୍ଶନ

ବରଗଡ଼: ବରଗଡ଼ ଓ ବଲାଙ୍ଗୀର ସୀମାନ୍ତକୁ ଲାଗି ରହିଥିବା ଗନ୍ଧମାର୍ଦ୍ଦନ ଜଙ୍ଗଲରେ ପୁଣି ଥରେ ମାଓବାଦୀ ନିଜ ଉପସ୍ଥିତି ଜାହିର କରିଛନ୍ତି। ଗତ ଶୁକ୍ରବାର ପାଇକମାଳ ଥାନା ଅନ୍ତର୍ଗତ ଖଣ୍ଡିଝରନ ଗାଁ ନିକଟସ୍ଥ ଜଙ୍ଗଲରେ ପୁଲିସ-ମାଓବାଦୀ ସାମ୍ନାସାମ୍ନି ହୋଇଥିଲେ। ଏଥିରେ ବିବିଏମ୍‌ ଡିଭିଜନର ମାଓବାଦୀ ନେତା ସୁଦର୍ଶନ ଓରଫ ବସନ୍ତ ଓରଫ ବିକାଶ ଖସିବାରେ ସଫଳ ହୋଇଛି।
ପୁଲିସର ଅପରେସନକୁ ନେଇ ବରଗଡ଼ ଏସ୍‌ପି ପ୍ରହଲ୍ଲାଦ ସାହାଇ ମୀନା ସବିଶେଷ ସୂଚନା ଦେଇଥିଲେ। ଏସ୍‌ପି କହିଥିଲେ, ଗତ ୨୦ ତାରିଖରୁ ଗୁଇନ୍ଦା ସୂଚନା ତଥା ମୁଖ୍ୟାଳୟର ନିର୍ଦ୍ଦେଶକ୍ରମେ ବରଗଡ଼ ଏବଂ ବଲାଙ୍ଗୀର ପୁଲିସ ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା। ବିବିଏମ୍‌ ଡିଭିଜନର ମାଓବାଦୀ ନେତା ସୁଦର୍ଶନ ଥିବା ସୂଚନା ରହିଥିଲା। ବରଗଡ଼ ଖଣ୍ଡିଝରନଠାରେ ମାଓ କ୍ୟାମ୍ପ ନିକଟକୁ ଏସ୍‌ଓଜି, ସିଆର୍‌ପିଏଫ୍‌ ଯବାନ ପହଞ୍ଚିବା ମାତ୍ରେ ମାଓବାଦୀମାନେ ଗୁଳିଚାଳନା କରିଥିଲେ। ପୁଲିସ ବି ଜବାବରେ ୨୦ ରାଉଣ୍ଡ ଗୁଳିଚାଳନା କରିଥିଲା। କିନ୍ତୁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଫେରାର୍‌ ମାରିଥିଲେ। ମାଓବାଦୀ ଶିବିରରୁ ବହୁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ସବୁ ଜବତ କରାଯାଇଛି। ଡିଟୋନେଟର, ମାଓ ପୁସ୍ତିକା, ଡ୍ରେସ୍‌ ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମାଓବାଦୀମାନଙ୍କ ଜବତ କରାଯାଇଛି ବୋଲି ସୂଚନା ଦେଇଥିଲେ। ମାଓବାଦୀ ଶିବିର ନିକଟରେ ରକ୍ତ ପଡ଼ିଥିବାରୁ କିଛି ମାଓବାଦୀ ନିହତ ହୋଇଛନ୍ତି ନା ଗୁରୁତର ଅଛନ୍ତି ସେଥିପାଇଁ ସର୍ଚ୍ଚ ଅପରେସନ ଚାଲିଥିବା ସେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର