ଗୁଣ୍ତୁରି ଓ ବତକ ଚାଷ କରି ସ୍ବାବଲମ୍ବୀ ଦୁଇ ଯୁବଚାଷୀ

ପଦ୍ମପୁର: ଅଧୁନା ଶିକ୍ଷିତ ଯୁବକ ଯୁବତୀ ଆର୍ଥିକ ସ୍ବାବଲମ୍ବୀ ହେବା ପାଇଁ କେବଳ ଚାକିରିକୁ ଉପଯୁକ୍ତ ପନ୍ଥା ବୋଲି ଆପଣେଇଛନ୍ତି। ତାହା ଏକ ଭୁଲ ମାନସିକତା ବୋଲି ପ୍ରମାଣ କରିଛନ୍ତି  ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଲଖମରା ଗ୍ରାମ ପଂଚାୟତ କୁଧରେନପାଲି ଗ୍ରାମର ଯୁବଚାଷୀ ଶିଶିର ଭୋଇ ଓ ମଳୟ ଭୋଇ। ମାତ୍ର ୧୦ ଡିସିମିଲ ଜମିରେ ଛୋଟିଆ ଗାଡିଆ କରି ନିଜେ ପରିଶ୍ରମ କରି ସ୍ବାଭିମାନ ସହ ଜୀବନଯାପନ କରୁଛନ୍ତି।

ଖାକି କେମେଲ, ଇଣ୍ତିଏନ ରନର ଓ ମୋତି ପ୍ରଜାତିର ବତକ ଓ ଜାପାନିସ କୁଇସ ପ୍ରଜାରିର ଗୁଣ୍ତୁରି (ଗୁର୍ରୁ) ଚାଷ କରିଛନ୍ତି। ଗାଡିଆରେ ପ୍ରାୟ ୨୦୦ରୁ ଅଧିକ ବତକ ରହୁଥିବା ବେଳେ ତାର ହିଡରେ ୩୦୦ଟି ଗୁଣ୍ତୁରି ଚାଷ କରାଯାଇଛି। ବତକ ଅଣ୍ତା ମଧ୍ୟ ବିକ୍ରି କରାଯାଉଛି। ଗୁଣ୍ତୁରି ଓ ବତକ ଛୁଆ ଥରେ ମାତ୍ର କିଣି ଅଳ୍ପ ବ୍ୟୟରେ ଏକ ହେଚେରି କରି ନିଜେ ଅଣ୍ତାରୁ ଛୁଆ ବାହାର କରୁଛନ୍ତି। ଦେଶୀ ହେଚେରି ତିଆରି ପାଇଁ ମାତ୍ର ୫ଶହ ଟଙ୍କା ଖର୍ଚ୍ଚ ହେଉଛି। ଏହି ହେଚେରି ତିଆରି ପାଇଁ ଥର୍ମୋକୁଲ, ବଲବ,ଡିଜିଟାଲ ଟେମ୍ପେରେଚର ମିଟର ସେଟର ଆବଶ୍ୟକ ହେଉଛି। ଏହି ଦେଶୀ ହେଚେରିରୁ ୧୫ ଦିନ ମଧ୍ୟରେ ଛୁଆ ବାହାରୁଛି। କମ ଖର୍ଚ୍ଚରେ ଏହି ହେଚେରି ଯୁବ ସମାଜକୁ କର୍ମପନ୍ଥା ଯୋଗାଇ ଆର୍ଥିକ ଅଭାବକୁ ସ୍ବସ୍ଥ କରିପାରିବ। କୌଣସି କାମକୁ ନ୍ୟୁନ ବିଚାର ନ କରି ଦୃଢ ମନୋବଳ ସହ କାମ କଲେ ସଫଳତା ମିଳିଥାଏ। ଏପରି କାର୍ଯ୍ୟ କରି ଶିଶିର ଓ ମଳୟ ଅଂଚଳରେ ଶିକ୍ଷିତ ବେକାର ଯୁବକଙ୍କ ପାଇଁ ମାର୍ଗଦର୍ଶକ ହୋଇଛନ୍ତି।

ସମ୍ବନ୍ଧିତ ଖବର