ପାଇକମାଳ: ଯାହାର କେହି ନାହିଁ ତାଙ୍କର ଜଗନ୍ନାଥ ଅଛନ୍ତି ବୋଲି ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ କହିଛନ୍ତି। ମଙ୍ଗଳବାର ବରଗଡ଼ ଜିଲ୍ଲା ପାଇକମାଳସ୍ଥିତ କସ୍ତୁରବା ଗାନ୍ଧୀ ମାତୃନିକେତନ ପରିଦର୍ଶନରେ ଆସି ଶିଶୁ ଉଦ୍ୟାନ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି।
ଭୁବନେଶ୍ୱରରୁ ହେଲିକେପ୍ଟରରେ ଆସି ସ୍ଥାନୀୟ ଏମ୍‌ଇ ସ୍କୁଲ ଖେଳ ପଡ଼ିଆଠାରେ ପ୍ରସ୍ତୁତ ଅସ୍ଥାୟୀ ହେଲିପେଡ୍‌ରେ ୧୧ଟା ୧୦ ମିନିଟ୍‌ରେ ପହଞ୍ଚିଥିଲେ। ପରେ ୧୧ଟା ୨୦ ମିନିଟରେ କସ୍ତୁରବା ଗାନ୍ଧୀ ମାତୃ ନିକେତନ ପରିସରରେ ପହଞ୍ଚି ନିଜସ୍ବ ପାଣ୍ଠିରୁ ଦେଇଥିବା ୧୫ ଲକ୍ଷ ଟଙ୍କାର ପ୍ରଥମ ଅବଦାନ ଶିଶୁ ଉଦ୍ୟାନ ନିର୍ମାଣ ପାଇଁ ଭୂମି ପୂଜନ କରିଥିଲେ। ଏହା ପରେ ପାର୍ବତୀ ଗିରିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଅନ୍ତେବାସୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Advertisment

ରାଜ୍ୟପାଳ ନିଜ ବକ୍ତବ୍ୟରେ ‘ଆଜି ଛୋଟପିଲାଙ୍କ ସହ ମିଶି ଓ ବାର୍ତ୍ତାଳାପ କରି ମୁଁ ଅତ୍ୟନ୍ତ ଖୁସି ହେଲି, ଗତଥର ମୁଁ ପରିଦର୍ଶନରେ ଆସିଥିବା ବେଳେ ଅନ୍ତେବାସୀଙ୍କ ଅନୁରୋଧ ରକ୍ଷା କରି ଗୋଟିଏ ସ୍କୁଲ ବସ୍‌ ଭାରତୀୟ ଷ୍ଟେଟ ବ୍ୟାଙ୍କ, ସିଜିଏମଙ୍କ ଜରିଆରେ ପ୍ରଦାନ କରାଯାଇଥିବା ବେଳେ ଆଜି ଶିଶୁ ଉଦ୍ୟାନର ଭୂମି ପୂଜନ କରିଛି। ଅନ୍ତେବାସୀଗଣ ପୁରୀ ଜଗନ୍ନାଥ ଧାମ ବୁଲିବାକୁ ଯିବାକୁ ଅନୁରୋଧ କରିଥିବାରୁ ଆସନ୍ତା ଜୁଲାଇ ୧୪ ତାରିଖ ଦିନ ରାଜଭବନରେ ଏକ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରାଯିବ। ସେଠାକୁ ସମସ୍ତ ଅନ୍ତେବାସୀଙ୍କୁ ଯିବା ପାଇଁ ନିମନ୍ତ୍ରଣ କରୁଛି ଏବଂ ସେଠାରୁ ଜଗନ୍ନାଥ ପୁରୀ ମଧ୍ୟ ଯିବେ ଏହା ମୁଁ ପ୍ରତିଶ୍ରୁତି ଦେଉଛି’ ବୋଲି ତାଙ୍କ ଅଭିଭାଷଣରେ କହିଥିଲେ। ସେ କହିଲେ ଏଠାକାର ଛାତ୍ରଛାତ୍ରୀନଙ୍କ ପ୍ରତିଭାର ଅଭାବ ନାହିଁ, ଭବିଷ୍ୟତରେ ଏମାନେ ବଡ଼ ମଣିଷ ହେବେ। ମାତୃ ନିକେତନର ମହିଳା କାର୍ଯ୍ୟକାରୀ କମିଟିର ସଭ୍ୟାମାନେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେଥିରେ ଦର୍ଶାଯାଇଛି ଯେ ଆଗରୁ ସବୁ ସମୟରେ ଶତାଧିକ ଛାତ୍ରଛାତ୍ରୀ ରହି ଆସୁଥିଲେ। କିନ୍ତୁ ବର୍ତ୍ତମାନ ଗୋଟିଏ ୟୁନିଟ ଥିବାରୁ କେବଳ ୫୦ ଜଣ ଛାତ୍ରଛାତ୍ରୀ ରହୁଛନ୍ତି। ତେଣୁ ଆଉ ଗୋଟିଏ ୟୁନିଟ ଖୋଲିବା ପାଇଁ ଅନୁରୋଧ କରାଯାଇଛି। ଏହା ସହ ଅନୁଷ୍ଠାନରେ ଥିବା ଘରଗୁଡ଼ିକ ବହୁତ ପୁରୁଣା ହେବାରୁ ବର୍ଷା ପାଣି ଲିକେଜ୍ ହେଉଛି। ତେଣୁ ନୂତନ ବିଲ୍‌ଡିଂ କରାଯିବାକୁ ଦାବି କରାଯାଇଛି।

ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଆଦିତ୍ୟ ଗୋଏଲ, ବଲାଙ୍ଗୀର ଆରକ୍ଷୀ ଅଧୀକ୍ଷକ ଖିଲାରୀ ଋଷିକେଶ ଧ୍ୟାନଦେଓ, ସ୍ଥାନୀୟ ଲୋକ ପ୍ରତିନିଧି ଉପସ୍ଥିତ ରହି ରାଜ୍ୟପାଳଙ୍କୁ ସ୍ବାଗତ ଜଣାଇଥିଲେ। ସଭାରେ କାର୍ଯ୍ୟକାରୀ କମିଟିର ସଭାପତି ସ୍ବର୍ଣ୍ଣପ୍ରଭା ପାଣିଗ୍ରାହୀ, ସମ୍ପାଦିକା ମମତା ପୁରୋହିତ, ଭାରତୀ ଶତପଥୀ, ଅନିତା ଛତର, ସୁପ୍ରଭା ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଅନୁଷ୍ଠାନ ଅଧୀକ୍ଷକ ନିର୍ମଳ କୁମାର ଗିରି ଧନ୍ୟବାଦ ଦେଇଥିଲେ।