ଡିଜେ ସାଉଣ୍ଡକୁ ନେଇ ଗୋଷ୍ଠୀସଂଘର୍ଷ :ଥାନା ଘେରାଉ, ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ:୪ ଆହତ, ୭ ଗିରଫ

ଭେଡ଼େନ: ଭେଡ଼େନରେ ଏକ ବରଯାତ୍ରୀ ଦଳର ଶୋଭାଯାତ୍ରାରେ ଡିଜେ ସାଉଣ୍ଡକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ଫଳରେ ୪ ଜଣ ଆହତ ହୋଇଥିବା ବେଳେ ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଭେଡ଼େନ ଚମାରପଡ଼ା ନିବାସୀ ଶୁକ୍ରୁ ରୋହିଦାସଙ୍କ ଝିଅଙ୍କ ବାହାଘର ପାଇଁ ବରପାଲିରୁ ବରଯାତ୍ରୀ ଆସିଥିଲେ। ସେମାନେ ଭେଡ଼େନରୁ ଏକ ଡିଜେ ସେଟ୍‌ ଭଡାରେ ନେଇ ଶୋଭାଯାତ୍ରା କରି ଝିଅଘରେ ପହଂଚିଥିଲେ। ତେବେ ବରାତି ପହଂଚିବା ପରେ ବରପିଲାଙ୍କୁ ପାଛୋଟି ନେବା ପରେ ଆଉ କିଛି ସମୟ ଡିଜେ ସାଉଣ୍ଡ ବଜାଇବାକୁ ପିକ୍‌ଅପ୍‌ ଡ୍ରାଇଭର ନାରେନ ମହାନନ୍ଦ (୪୧) ଙ୍କ ସହ ବରଯାତ୍ରୀଙ୍କ ଝଗଡା ହୋଇଥିଲା। ବରଯାତ୍ରୀ ଦଳ ନାରେନଙ୍କୁ ଆକ୍ରମଣ କରିବା ପରେ ସେଠାରେ ଉପସ୍ଥିତ ଥିବା ତାଙ୍କ ଭାଇ ବିଜୟ (୪୦) ଛଡାଇବାକୁ ଉଦ୍ୟମ କରିଥିଲେ। ଦୁଇ ଭାଇ ମାଡ଼ ଖାଉଥିବାର ଖବର ତାଙ୍କ ପରିବାର ଲୋକଙ୍କ ପାଖରେ ପହଂଚିବା ପରେ ଅନ୍ୟମାନେ ପଡ଼ା ଲୋକ ସହ ସେଠାରେ ପହଂଚି ବରଯାତ୍ରୀ ଦଳର ଦୁଇଜଣଙ୍କୁ ଆକ୍ରମଣ କରିଥିଲେ। ଏହାପରେ ଉଭୟ ଗୋଷ୍ଠୀ ମଧ୍ୟରେ ମାଡ଼ପିଟ୍‌ ହୋଇଥିଲା। ପୁଲିସ୍‌ ପହଂଚି ବୁଝାଶୁଝା କଲେ ମଧ୍ୟ ଲୋକେ ମାନିନଥିଲେ। ହରିଜନପଡ଼ାର ତୋଫାନ ସୁନା (୩୪)ଙ୍କ ମୁଣ୍ଡରେ ଆଘାତ ଲାଗିଛି। ଏହିସହ ବରପାଲି ବରଯାତ୍ରୀ ଦଳର ଜନନୀ ମହାନନ୍ଦ (୧୭) ଓ ରେଣୁକା ମହାନନ୍ଦ (୧୧)ଙ୍କୁ ବାଡ଼େଇ ଥିଲେ। ଜନନୀ ମହାନନ୍ଦଙ୍କ ମୁଣ୍ଡର ପଛପଟ ଆଘାତ ହୋଇଥିବା ବେଳେ ରେଣୁକା ସଂଜ୍ଞାହୀନ ହୋଇପଡିଥିଲେ। ପରେ କାର୍ଯ୍ୟାନୁଷ୍ଠାନ ଦାବିରେ ଶତାଧିକ ମହିଳା, ପୁରୁଷ ଆସି ଥାନା ଘେରାଉ କରିଥିଲେ। ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ନାରେନ ମହାନନ୍ଦଙ୍କ ଅଭିଯୋଗକ୍ରମେ ବରଯାତ୍ରୀ ଦଳର ପ୍ରକାଶ ମେହେର, ବିନୋଦ ମେହେର, ସୁରେଶ ମେହେର, କାଳିଆ ମେହେର, ଗୁରୁ ମେହେର, ରାଜ ମେହେର, ସନ୍ତୋଷ ମେହେରଙ୍କୁ ପୁଲିସ୍‌ ଗିରଫ କରିଥିବା ବେଳେ ବରଯାତ୍ରୀ ଦଳ ପକ୍ଷରୁ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କେସ୍‌ ଦାଏର ହୋଇନାହିଁ।

ସମ୍ବନ୍ଧିତ ଖବର