ଦେଡ଼ଶୁର ତୀର ମାଡ଼ରେ ଭାଇ ବୋହୂ ଗୁରୁତର

ଅତାବିରା: ଅତାବିରା ଥାନା ଟାଙ୍ଗରପାଲି ପଞ୍ଚାୟତ ଅନ୍ତର୍ଗତ ଆମ୍ବଝର ଗାଁରେ ଶୁକ୍ରବାର ମାତାଲ ଦେଡ଼ଶୁରର ତୀର ମାଡ଼ରେ ଭାଇ ବୋହୂ ଗୁରୁତର ଭାବେ ଆହତ ହେବା ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମହିଳାଙ୍କ ଛାତିରେ ତୀରଟି ଗଳି ଯାଇଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଆମ୍ବଝର ଗାଁର ନଟ ଦାନୀଙ୍କ କହିବାନୁସାରେ ସେ ପତ୍ନୀ ଭୂମିକା (୩୨) ଓ ଦୁଇ ଛୁଆଙ୍କୁ ନେଇ ବାରପାହାଡ଼ ପାଦ ଦେଶରେ ଥିବା ଆମ୍ବଝର ଗାଁରେ ରହିବା ସହ ଚାଷବାସ କରି ପେଟ ପୋଷନ୍ତି। ତେବେ ଶୁକ୍ରବାର ତାଙ୍କର ଦୁଇ ଛୁଆ ଅଙ୍ଗନବାଡ଼ି କେନ୍ଦ୍ରରୁ ପେରିବା ପରେ ଭୂମିକା ସେମାନଙ୍କୁ ଖାଇବାକୁ ଦେଉଥିଲେ। ଏହି ସମୟରେ ତାଙ୍କ ବଡ଼ ଭାଇ ପଲଟନ୍‌ ଦାନୀ (୪୭) ମାତାଲ ଅବସ୍ଥାରେ ଏକ ଧନୁ ତୀର ଧରି ପହଞ୍ଚି ତାଙ୍କ ଛୁଆଙ୍କୁ ଲକ୍ଷ୍ୟ କରିଥିଲା।

ଏହି ସମୟରେ ଭୂମିକା ଛୁଆଙ୍କୁ ଆଢୁଆଳ କରି ରଖିଥିଲେ ହେଁ ପଲଟ୍‌ ତୀର ଚଳାଇ ଦେବାରୁ ତାହା ଭୂମିକାଙ୍କ ବାମ ପାର୍ଶ୍ୱ ଛାତିରେ ଗଳି ଯାଇଛି। ସେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ନଟ ଏବଂ ସଂପର୍କୀୟମାନେ ପହଞ୍ଚି ତାଙ୍କୁ ବହୁ କଷ୍ଟରେ ଗାଡ଼ି ଯୋଗାଡ଼ କରି ଅତାବିରା ଡାକ୍ତରଖାନାକୁ ଆଣିଥିଲେ। ଅବସ୍ଥା ସଂକଟାପନ୍ନ ଥିବା ଓ ତୀର ନ ବାହାରିବାରୁ ଏଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଘଟଣାଟି ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ରୁଜୁ ହୋଇ ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର