ଟ୍ରକ୍‌ ଚାପାରେ ଯୁବକ ମୃତ:ଶବ ରଖି ରାସ୍ତା ଅବରୋଧ

ବରଗଡ଼: ବୁଧବାର ସକାଳ ପ୍ରାୟ ୧୧ଟାରେ ସ୍ଥାନୀୟ ଗୁରୁଦ୍ୱାରା ଛକ-ରେଲେଓ୍ଵ ଷ୍ଟେସନ ରାସ୍ତା ଉପରେ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ବିକି କେରକେଟା (୨୫)। ସେ ସ୍ଥାନୀୟ ରେଲେଓ୍ଵ ଷ୍ଟେସନ ପାଖରେ ରହୁଥିଲେ। ପିତା ଭିକ୍ଟର କେରକେଟାଙ୍କ ୮ ଝିଅ ଏବଂ ବିକି ଏକମାତ୍ର ପୁଅ। ସକାଳୁ ବିକି ବାଇକ୍‌ରେ (ଓଆର୍‌-୦୩ଇ-୦୦୭୯) ଗୁରୁଦ୍ୱାରା ଛକରୁ ଘରକୁ ଫେରୁଥିଲେ। ବାଟରେ ତାଙ୍କୁ ଗୋଟିଏ ଟ୍ରକ୍‌ ଧକ୍କା ଦେଇଥିଲା। ସେ ଛିଟିକି ପଡ଼ିବାରୁ ଟ୍ରକ୍‌ ପଛଚକ ମୁଣ୍ଡରେ ଚଢ଼ି ଯାଇଥିଲା। ଘଟଣାକୁ ନେଇ ସଂଧ୍ୟାରେ ଉତ୍ତେଜନା ପ୍ରକାଶ ପାଇଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ଏହାପରେ ଗୁରୁଦ୍ୱାରା ଛକଠାରେ ପରିବାରବର୍ଗ ଶବ ରଖି ରାସ୍ତା ଅବରୋଧ କରିଥିଲେ। ସଂପୃକ୍ତ ଟ୍ରକ୍‌ ଚାଳକ ଏବଂ ମାଲିକଙ୍କୁ ଗିରଫ କରିବା ସହ କ୍ଷତିପୂରଣ ଦାବି କରିଥିଲେ। ଟ୍ରକ୍‌ଟି ସହରର ଜଣେ ଜଣାଶୁଣା ବ୍ୟକ୍ତିଙ୍କର ହୋଇଥିବାରୁ ପୁଲିସ୍‌ ତାଙ୍କୁ ମାମଲାରୁ ଖସାଇ ଦେବା ପାଇଁ ପ୍ରାଣପଣେ ଉଦ୍ୟମ କରୁଛି ବୋଲି ମୃତକଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି। ଅବରୋଧ ଯୋଗୁଁ ପ୍ରାୟ ୨ଘଣ୍ଟା ଧରି ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପରେ ବରିଷ୍ଠ ପୁଲିସ୍‌ ଅଧିକାରୀ ପହଂଚି ଥିଲେ ହେଁ ମାମଲା ଥଣ୍ଡା ପଡ଼ିନଥିଲା। ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ହସ୍ତକ୍ଷେପ ପରେ ଅବରୋଧ ହଟିଥିଲା। ମୃତକଙ୍କ ପରିବାରବର୍ଗଙ୍କୁ ଥାନାକୁ ଅଣାଯାଇ ପୁଲିସ୍‌ ଆଲୋଚନା କରିଛି।

ସମ୍ବନ୍ଧିତ ଖବର