ବିଜେପିର ଘରସଜଡ଼ା କସରତ, ଏକାଠି ହେଲେ ସାଂସଦ, ବିଧାୟକ ଓ ନେତୃବୃନ୍ଦ

ଅନାସ୍ଥାକୁ ନେଇ ହେଲା ସରଗରମ ଆଲୋଚନା, ଏକାଠି ହୋଇ କାମ କରିବାକୁ ରଣନୀତି ପ୍ରସ୍ତୁତ

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ବିଜେପିର ଅଛନ୍ତି ୬ ବିଧାୟକ ଏବଂ ଜଣେ ଲୋକସଭା ସାଂସଦ। ଏହା ସହିତ ଜିଲ୍ଲାପରିଷଦ ସଭାପତି ମଧ୍ୟ ବିଜେପିରୁ ନିର୍ବାଚିତ। ତଥାପି ଜିଲ୍ଲାରେ ଦଳ ଯେପରି ପ୍ରଦର୍ଶନ କରିବା କଥା କରିପାରୁନାହିଁ। ଏପରିକି ଦଳର ନିର୍ବାଚିତ ସମସ୍ତ ବିଧାୟକ, ସାଂସଦ ଏବଂ ଜନପ୍ରତିନିଧିଙ୍କ ସହିତ ଦଳୀୟ ନେତୃବନ୍ଦଙ୍କର ଉତ୍ତମ ସମନ୍ବୟ ରହୁନଥିବା ଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି। ଏପରି ସମୟରେ ଜିଲ୍ଲାପରିଷଦ ସଭାପତିଙ୍କ ବିରୋଧରେ ପ୍ରାୟ ୩୦ରୁ ଊର୍ଧ୍ବ ବିଜେପି ଜିଲ୍ଲାପରିଷଦ ସଦସ୍ୟ/ସଦସ୍ୟା ଏକାଠି ହୋଇ ଅନାସ୍ଥା ଆଣିବା ଭଳି ପଦକ୍ଷେପ ନେବା ଘଟଣା ଜିଲ୍ଲାରେ ବିଜେପି ମଧ୍ୟରେ ସବୁକିଛି ଠିକ ନଥିବା ଦୃଷ୍ଟିଗୋଚର ହୋଇଥିଲା।

ନିକଟରେ ହୋଇଥିବା ଜିଲ୍ଲା କାର୍ଯ୍ୟକାରିଣୀ ଦିନ ସଂଖ୍ୟାଧିକ ବିଜେପି ଜିଲ୍ଲାପରିଷଦ ସଭ୍ୟ ସଭାପତିଙ୍କ ବିରୋଧରେ ମେଳି ହେବା ଘଟଣା ଦଳର ଭାବମୂର୍ତ୍ତିକୁ ମଳିନ କରିଥିଲା। ତେବେ ଦଳ ଏନେଇ ଆରମ୍ଭ କରିଛି ଘର ସଜଡ଼ା କସରତ୍‌। ଗତ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳ ପାଇଥିବା ବିପୁଳ ସଫଳତାକୁ ପୁନର୍ବାର ଦୋହରାଇବା ଲକ୍ଷ୍ୟରେ ଆଜି ଦଳ ପକ୍ଷରୁ ସମସ୍ତ ବିଧାୟକ, ସାଂସଦ ଏବଂ ନେତୃବୃନ୍ଦ ବାରିପଦାରେ ଏକାଠି ହୋଇଥିଲେ। ଦଳର ନିର୍ବାଚିତ ସମସ୍ତ ଜନପ୍ରତିନିଧି ଏବଂ ସାଂଗଠନିକ ଦାୟିତ୍ବରେ ଥିବା ନେତୃବୃନ୍ଦ ଏକ ମନରେ କାର୍ଯ୍ୟ କରି ଦଳକୁ ଜିଲ୍ଲାରେ ସଫଳ କରିବା ନେଇ ହୋଇଥିଲା ରଣନୀତି। ମୟୂରଭଞ୍ଜ ପଶ୍ଚିମ ସାଙ୍ଗଠନିକ ଜିଲ୍ଲା ସଭାପତି ତଥା ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି‌ ବୈଠକରେ ମୟୂରଭଞ୍ଜ ସାଂସଦ ତଥା ରାଷ୍ଟ୍ରୀୟ ସମ୍ପାଦକ ବିଶ୍ୱେଶର ଟୁଡ଼ୁ, ରାଜ୍ୟ ଉପସଭାପତି ତଥା ଉଦଳା ବିଧାୟକ ଭାସ୍କର ମଢ଼େଇ, ଜିଲ୍ଲାପରିଷଦ ସଭାପତି ସୁଜାତା ମୁର୍ମୁ, ଉପସଭାପତି ନରେନ୍ଦ୍ର ସାହୁ, ବାରିପଦା ବିଧାୟକ ପ୍ରକାଶ ସୋରେନ, ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ, ଯଶୀପୁର ବିଧାୟକ ଗଣେଶରାମ ସିଂ ଖୁଣ୍ଟିଆ, ବଡ଼ସାହି ବିଧାୟକ ସନାତନ ବିଜୁଳି, ରାଜ୍ୟ ସମ୍ପାଦକ ନବୀନ ରାମ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୀବ ମହାନ୍ତି, ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ କୃଷ୍ଣଚନ୍ଦ୍ର ମହାପାତ୍ର , ପଦ୍ମଚରଣ ହାଇବୁରୁ ଓ ସୁଗଦା ମୁର୍ମୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀହାର ରଞ୍ଜନ ମୋଦୀ, ଜିଲ୍ଲା ଉପସଭାପତି ପରେଶ ଚନ୍ଦ୍ର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ଯେପରି ପୂର୍ବ ସଫଳତାକୁ ଦୋହରାଇବ ସେନେଇ ହୋଇଥିଲା ବିସ୍ତୃତ ଆଲୋଚନା। ସେହିପରି ଜିଲ୍ଲପରିଷଦ ସଭାପତିଙ୍କ ବିରୋଧରେ ମେଳିହୋଇଥିବା ସଭ୍ୟଙ୍କୁ ମନେଇବା ସହିତ ଅନାସ୍ଥାକୁ ଟାଳିବା ଏବଂ ଦଳୀୟ ପ୍ରତିନିଧିଙ୍କୁ ପୁନର୍ବାର ସାଂଗଠନିକ ପ୍ରକ୍ରିୟାକୁ ଫେରାଇ ଆଣିବା ନେଇ ହୋଇଥିଲା ସୁଚିନ୍ତିତ ଯୋଜନା। ଆଗାମୀ ଦିନ ଗୁଡ଼ିକରେ ରାଜ୍ୟ ସରକାରଙ୍କୁ ଚ୍ୟାଲେଞ୍ଜ ଦେଇ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ରହିବାକୁ ମଧ୍ୟ ଆଲୋଚନା ହୋଇଥିଲା। ଅନାସ୍ଥା ଖବର ପ୍ରକାଶ ପରେ ବିଜେପି ଶିବିରରେ ଏପରି ହଲଚଲ ଆଗାମୀ ଦିନରେ ଜିଲ୍ଲା ରାଜନୀତିକୁ ସରଗରମ କରିବ ନିଶ୍ଚୟ।

ସମ୍ବନ୍ଧିତ ଖବର