ମା’କୁ ସମ୍ମାନ ଓ ନାରୀ ଶକ୍ତିର ଅନନ୍ୟ ନିଦର୍ଶନ: ବାରିପଦାରେ କେବଳ ମହିଳା ଟାଣିଲେ ଦେବୀ ସୁଭଦ୍ରାଙ୍କ ରଥ

ନାହିଁନଥିବା ଉତ୍ସାହ ଉଦ୍ଦୀପନା

ବାରିପଦା (ରାଜ୍‌ କିଶୋର ଦାଶ): ଶାସ୍ତ୍ର କହୁଛି ଯେଉଁଠାରେ ନାରୀଙ୍କୁ ସମ୍ମାନ କରାଯାଏ, ସେଠାରେ ଦେବତାମାନେ ବାସ କରିଥାଆନ୍ତି। ନାରୀ କେବଳ ଅବଳା କି ଦୁର୍ବଳା ନୁହେଁ। ବିଶ୍ୱର ଆରମ୍ଭ ହୋଇଥାଏ ମା’ ପାଖରୁ। ଆଉ ବର୍ତ୍ତମାନ ସମୟରେ ସମ୍ପୂର୍ଣ୍ଣ ବିଶ୍ୱରେ ସଫଳତାର ଶୀର୍ଷରେ ପହଞ୍ଚିସାରିଲେଣି ମହିଳାମାନେ। ସମୟ ଆସିବ ଯେତେବେଳେ ସମଗ୍ର ବିଶ୍ୱର ସମସ୍ତ ଶୀର୍ଷ ପଦବୀରେ କେବଳ ମହିଳାମାନେ ହିଁ ଅବସ୍ଥାନ କରିଥିବେ।

ମା’କୁ ସମ୍ମାନ ଆଉ ନାରୀ ଶକ୍ତିର ଅନନ୍ୟ ଉଦାହରଣ ସାଜିଥିଲା ଆଜିର ଦେବୀ ସୁଭଦ୍ରାଙ୍କ ରଥଟଣା। ଏକ ନିଆରା ପରମ୍ପରାର ନିଦର୍ଶନ ସ୍ୱରୂପ କେବଳ ମହିଳାମାନେ ହିଁ ଟାଣିଥିଲେ ଦେବୀ ସୁଭଦ୍ରାଙ୍କ ରଥ। ବଳଭଦ୍ରଙ୍କ ରଥଟଣା ବେଳେ ଯେଉଁ ଉତ୍ସାହ ଥିଲା, ଦେବୀଙ୍କ ରଥଟଣା ବେଳେ ତାହା ବହୁଗୁଣିତ ହୋଇଯାଇଥିଲା। ନାରୀ ସମାଜ ଯେ ପ୍ରଚଣ୍ଡ ଶକ୍ତିର ଅଧିକାରିଣୀ ତାହା ଆଜି ପ୍ରମାଣିତ ହୋଇଯାଇଥିଲା।

କୁନି ଝିଅଠୁଁ ଆରମ୍ଭ କରି ଶତାୟୁ ବୃଦ୍ଧାଙ୍କ ପର୍ଯ୍ୟନ୍ତ, ହଜାର ହଜାର ମହିଳା ଦେବୀଙ୍କ ରଥକୁ ଟାଣିଥିଲେ। ପ୍ରଶାସନ ପକ୍ଷରୁ ମଧ୍ୟ ଦେବୀଙ୍କ ରଥକୁ କେଣସି ପୁରୁଷ ବ୍ୟକ୍ତି ନଟାଣିବା ନିମନ୍ତେ ସମସ୍ତ ଯତ୍ନ କରାଯାଇଥିଲା। ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଛାତ୍ରୀମାନେ ବିପୁଳ ସଂଖ୍ୟାରେ ଏହି ରଥଟଣାରେ ସାମିଲ ହୋଇଥିଲେ। ବେଶ୍‌ ସଫଳତାର ସହିତ ଏହି ରଥଟଣା ସମ୍ପନ୍ନ ହୋଇଥିଲା। ଅଧାବାଟରେ ଅଟକିଥିଲା ସୁଭଦ୍ରାଙ୍କ ରଥ। ଆସନ୍ତାକାଲି ଦିନ ଅେଇଟାରେ ଦେବୀଙ୍କ ରଥଟଣା ଆରମ୍ଭ ହୋଇ ମାଉସୀ ମା’ ମନ୍ଦିର ପାଖକୁ ଯିବ। ଏହି ସୁନ୍ଦର ତଥା ଅଭିନବ ପରମ୍ପରା ବାସ୍ତବିକ୍‌ ବିଶ୍ୱରେ ନାରୀଶକ୍ତିର ଜାଗରଣରେ ବିଶେଷ ସହାୟକ ହେବା ନେଇ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର