ମହାପ୍ରଭୁଙ୍କ ହେମସାଗର(ଚନ୍ଦନ) ପୁଷ୍କରିଣୀ ପୁନରୁଦ୍ଧାର କାର୍ଯ୍ୟର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ: ପୌରନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବରେ ଖ୍ୟାତି ଲାଭ କରିଥିବା ବାରିପଦା ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୁଙ୍କ ପୁଷ୍କରଣୀ(ହେମସାଗର ପୋଖରୀ) । ମହାପ୍ରଭୁଙ୍କର ଏହି ପୁଷ୍କରଣୀ ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇ ପରିବେଶକୁ ପ୍ରଦୂଷିତ କରାଉଥିଲା । ଗତ ୨୦୧୯ ଫେବୃଆରୀ ୧୨ରେ ହେମସାଗର ପୋଖରୀର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣର ଭିତ୍ତି ପ୍ରସ୍ଥର ସ୍ଥାପନ ସମାରୋହ ଅନୁଷ୍ଠିତ ହୋଇଥିଲା। ପୁଣି ବାରିପଦା ପୌରପରିଷଦର ୭ଟି ଜଳାଶୟକୁ ମିଶାଇ ପୁନରୁଦ୍ଧାର କରାଯିବା ନିମନ୍ତେ ୧୦ କୋଟି ୮୫ ଲକ୍ଷ ୯ ହଜାର ୫୭୩ ଟଙ୍କା ବ୍ୟୟ ଅଟକଳରେ ଟେଣ୍ଡର ଡ଼କାଯାଇଥିଲା। ଗତ ଏପ୍ରିଲ ୨୯ରେ ଟେଣ୍ଡର ଖୋଲାଯାଇଥିଲା । ଉକ୍ତ ଟେଣ୍ଡର ପ୍ରକ୍ରିୟାରେ ୨ ଜଣ ଠିକା ସଂସ୍ଥା ଭାଗ ନେଇଥିବା ବେଳେ ଶେଷରେ ବାରିପଦାର ସଞ୍ଜୟ ଅଗ୍ରୱାଲାଙ୍କୁ ଏହି ଟେଣ୍ଡର ମିଳିଥିଲା ।

ବାରିପଦା ତହସିଲ ଅଧୀନ ୟୁନିଟ-୯ ଆନନ୍ଦ ବଜାର ମୌଜା ଖାତା ନଂ ୨୨୦ ଓ ପ୍ଲଟ ନଂ ୨୨୫, କିସମ-ଜଳାଶୟ, ଏରିଆ ୨.୬୯ ହେମସାଗର ପୁଷ୍କରଣୀର ଜଳାଶୟ ସହିତ ଜଳାଶୟର ଉତ୍ତର ଓ ଦକ୍ଷିଣ ଦିଗରେ ଖାତା ନମ୍ବର ୨୨୦, ପ୍ଲଟ ନଂ ୨୧୧ , କିସମ ରାସ୍ତା, ଏରିଆ ଏ୦.୯୩୦; ଦକ୍ଷିଣ ଦିଗରେ ପ୍ଲଟ ନଂ ୨୨୪, କିସମ ରାସ୍ତା, ଏରିଆ ଏ୦.୨୪୦ ଓ ଦକ୍ଷିଣ ଓ ପୂର୍ବ ଦିଗରେ ପ୍ଲଟ ନଂ ୨୨୬, କିସମ- ରାସ୍ତା , ଏରିଆ ଏ୦.୨୯୦ ଏହି ପରି ପୋଖରୀ ଓ ପୋଖରୀର ଆଡ଼ିକୁ ମିଶାଇ ମୋଟ ଏ୪.୧୫ ଡେସିମିଲ ଜମି ନାମ ଦେବୋତ୍ତରର ; ମାତ୍ର ରେକର୍ଡ଼ ପୌରପରିଷଦ ନାମରେ ରହିଥିବାର ଜଣାପଡ଼ିଛି । ହେମସାଗର ପୁଷ୍କରଣୀର ଦଳ ସଫା, ପଙ୍କ ଉଦ୍ଧାର କାର୍ଯ୍ୟ ସହିତ ଚର୍ତୁପାଶ୍ୱର୍ରେ ବୋଲଡ଼ର ପ୍ୟାକିଂ, ଆଡ଼ିରେ ପାଦଚଲା ରାସ୍ତା , ପୋଖରୀର ଘାଟ , ଚର୍ତୁପାଶ୍ୱର୍ରେ ସୁରକ୍ଷା ବ୍ୟବସ୍ଥା ଓ ୨ଟି ପ୍ରବେଶପଥ ନିର୍ମାଣ କାର୍ୟ୍ୟ ନିମନ୍ତେ ବାରିପଦା ପୌରପରିଷଦ ନିର୍ବାହୀ ଅଧିକାରୀ ପକ୍ଷରୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଜୁନ ମାସରେ ମୌସୁମୀବାୟୁ ସକ୍ରିୟ ହୋଇଥିବା ବେଳେ ପୌରନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଠିକାଦାର ଶ୍ରୀଅଗ୍ରୱାଲା ପମ୍ପ ଦ୍ୱାରା ଆରମ୍ଭ କରିଛନ୍ତି ହେମସାଗର ପୋଖରୀରୁ ପାଣି ନିଷ୍କାସନ କାର୍ଯ୍ୟ । ଜୁନ ମାସ ଯାଇ ଜୁଲାଇ ଶେଷ ହେବାକୁ ବସିଛି ଏବଂ ମୌସୁମୀ ବର୍ଷା ଜାରି ରହିଥିବା ସମୟରେ ପୋଖରୀରୁ ପାଣି ଶୁଖେଇବା କାର୍ୟ୍ୟ ଜାରି ରହିଛି । ପୁଣି ବର୍ଷା ଋତୁରେ କିପରି ପୋଖରୀର ପଙ୍କୋଦ୍ଧାର ସମ୍ଭବ ହୋଇପାରିବ ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରାଇଛି ବୋଲି ଜାତୀୟ କଂଗ୍ରେସର ମୟୂରଭଞ୍ଜ ଓବିସି ସେଲ ଅଭିଯୋଗ ଆଣିଛି ।

ଏଥିସହିତ ପୋଖରୀ ନିକଟକୁ ପୌର ନିର୍ବାହୀ ଅଧିକାରୀ, ଦାୟିତ୍ୱରେ ଥିବା ପୌର କର୍ମଚାରୀ ଓ ଠିକାଦାର ସମସ୍ତଙ୍କର ଯାତାୟତ ଲାଗି ରହିଥିବା ବେଳେ ନିର୍ମାଣ କାର୍ଯ୍ୟ ସମ୍ପର୍କରେ କୌଣସି ସୂଚନା ଫଳକ ଲଗାଯାଇ ନାହିଁ । ଫଳରେ ପାଖରୀର କଣ କଣ କାର୍ୟ୍ୟ ହେବାକୁ ଯାଉଛି ସେ ସମ୍ପର୍କରେ ଜନସାଧାରଣଙ୍କୁ ସମ୍ପୂର୍ଣ୍ଣ ଭାବେ ଅନ୍ଧାରରେ ରଖାଯାଇଛି । ନିୟମ ଅନୁସାରେ ସରକାରୀ ଅର୍ଥରେ ନିର୍ମାଣ ହେଉଥିବା ପ୍ରତ୍ୟେକ ପ୍ରକଳ୍ପ କାର୍ୟ୍ୟରେ ପ୍ରଥମେ ନିର୍ମାଣ ସ୍ଥଳରେ ସୂଚନା ଫଳକ ଲଗାଯିବ ତା ପରେ ନିର୍ମାଣ କାର୍ୟ୍ୟ ଆରମ୍ଭ ହେବ । କିନ୍ତୁ ବାରିପଦା ପୌରପରିଷଦ ପକ୍ଷରୁ ଜାରି ରହିଥିବା ହେମସାଗର ପୋଖରୀର ପୁର୍ନଉଦ୍ଧାର ଓ ସୌନ୍ଦର୍ୟ୍ୟୀକରଣ ସ୍ଥଳରେ କୌଣସି ସୂଚନା ଫଳକ ଲଗାଇବାକୁ ଏଡ଼ାଇ ଯାଉଥିବାରୁ କାର୍ୟ୍ୟର ସ୍ୱଚ୍ଛତା ଉପରକୁ ମଧ୍ୟ ଓବିସି ସେଲ ଅଙ୍ଗୁଳି ଉଠାଇଛି । ପୁଣି ପ୍ରତ୍ୟେକ ପ୍ରକଳ୍ପର ନିର୍ମାଣ କାର୍ୟ୍ୟ ଆରମ୍ଭ ହେବା ପୂର୍ବରୁ ଦାୟିତ୍ୱରେ ଥିବା ବିଭାଗୀୟ କର୍ମଚାରୀ ମାପଚୁଖ କରି ଲେଆଉଟ ଦେବା ପରେ ଠିକାଦାର କାର୍ଯ୍ୟ ଆରମ୍ଭ କରନ୍ତି । କିନ୍ତୁ, ହେମସାଗରପୁଷ୍କରଣୀର ଚର୍ତୁପାଶ୍ୱର୍ ଆଡ଼ିର ସିଂହ ଭାଗ ପ୍ରାୟତଃ ଜବରଦଖଲକାରୀମାନଙ୍କ କବ୍ଚାରେ ରହିଛି ।

ପ୍ରଥମେ ଜବରଦଖଲକାରୀମାନଙ୍କୁ ଉଚ୍ଛେଦ କରାଯାଇ ଠିକା ସଂସ୍ଥାକୁ ହସ୍ତାନ୍ତର କରାଯିବା ପରେ ପୁର୍ନଉଦ୍ଧାର କାର୍ୟ୍ୟ ଆରମ୍ଭ ହେବାର ନିୟମ । ମାତ୍ର ପୌର ପରିଷଦ ଜବରଦଖଲକାରୀମାନଙ୍କୁ ସୁହାଇବା ଉଦ୍ଦେଶ୍ୟରେ କୌଣସି ମାପଚୁଖ ନ କରି ହେମସାଗର ପୋଖରୀରର ପୁର୍ନଉଦ୍ଧାର ଓ ସୌନ୍ଦର୍ୟ୍ୟୀକରଣ କାର୍ୟ୍ୟ ଆରମ୍ଭ କରିବାକୁ ଓବିସି ସେଲର ରାଜ୍ୟ ଆବାହକ ଓ ସଂଯୋଜକ ସୁକୁମାର ରଞ୍ଜନ ପ୍ରଧାନ ପ୍ରଶ୍ନ ଉଠାଇଛନ୍ତି। ଏହାର ଅର୍ଥ ପୌରପରିଷଦ ଜବରଦଖଲକାରୀମାନଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ ହେମସାଗର ପୋଖରୀ ଜଳାଶୟକୁ ସଂକୁଚିତ କରାଇ ପୁନରୁଦ୍ଧାର ଓ ସୌନ୍ଦର୍ୟ୍ୟୀକରଣ କାର୍ଯ୍ୟକୁ ଶେଷ କରାଇବା ଦିଗକୁ ସୂଚାଉଛି ।

ପୌରପରିଷଦର ଏହି ପ୍ରକାରର ଉଦ୍ୟମକୁ କଦାପି ସଫଳ ହେବାକୁ ଦିଆଯିବ ନାହିଁ । ଏଥି ନିମନ୍ତେ କଂଗ୍ରେସ ଓବିସି ସେଲର ରାଜ୍ୟ ଆବାହକ ଓ ସଂଯୋଜକ ସୁକୁମାର ରଞ୍ଜନ ପ୍ରଧାନ ଏବଂ କଂଗ୍ରେସର ମୟୂରଭଞ୍ଜ ଜିଲ୍ଲା ଓବିସି ସେଲ ସଭାପତି ରାନା ସତ୍ୟକାମ ସେନାପତି ପୌର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ବାରିପଦା ଉପଜିଲ୍ଲାପାଳ ଅନ୍ୟା ଦାସଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏନେଇ ପ୍ରଶାସନ ବିହିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନକଲେ ଓବିସି ସେଲ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଏଥି ସହିତ ଆବଶ୍ୟକ ହେକେ ଅଦାଲତର ଦ୍ୱାରସ୍ଥ ହେବାକୁ ଫଛେଇବେ ନାହିଁ ବୋଲି ଜାତୀୟ କଂଗ୍ରେସ ଓବିସି ସେଲର ରାଜ୍ୟ ଆବାହକ ଓ ସଂଯୋଜକ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ୭ଟି ଜଳାଶୟ ପୁର୍ନଉଦ୍ଧାର ନିମନ୍ତେ ଟେଣ୍ଡର ଡ଼କାଯାଇଥିବା ବେଳେ ଝିଞ୍ଜିରିବନ୍ଧ, ହେମସାଗର, ବଡ଼ପୋଖରୀ ଓ ଚାପଲ ପୋଖରୀର ପୁର୍ନଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି । ମାତ୍ର କୌଣସି ଜଳାଶୟ ନିକଟରେ ପ୍ରକଳ୍ପର ନିର୍ମାଣ କାର୍ୟ୍ୟକୁ ନେଇ କୌଣସି ସୂଚନା ଫଳକ ଲଗାଯାଇ ନାହିଁ । ବାରିପଦା ପୌରପରିଷଦ ମଧ୍ୟରେ ଜନସାଧାରଣଙ୍କୁ ଅନ୍ଧକାର ମଧ୍ୟରେ ରଖି ପ୍ରକଳ୍ପ ନିର୍ମାଣ କାର୍ୟ୍ୟ ଜାରି ରହିଥିବାରୁ ପୌର ପ୍ରଶାସନର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର