ଖୋର୍ଦ୍ଧା: ଖୋର୍ଦ୍ଧା ଓ ଜଟଣୀ ବ୍ଲକ ମଧ୍ୟରେ ରହିଥିବା ବରୁଣେଇ ସଂରକ୍ଷିତ ଜଙ୍ଗଲ ଐତିହାସିକ ଦୃଷ୍ଟିରୁ ଯେତିକି ଗୁରୁତ୍ୱପୂର୍ଣ୍ଣ ଖୋର୍ଦ୍ଧା ସହରର ପରିବେଶର ସମତୁଲ ରକ୍ଷା କରିବା ପାଇଁ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ବର୍ଦ୍ଧିତ ଶିଳ୍ପାଂଚଳ, ଜନବସତି ତତ୍ସମ୍ପର୍କିତ ଜବରଦଖଲ ଓ ମନୁଷ୍ୟକୃତ ନିଆଁ ଯୋଗୁଁ ବର୍ତମାନ ବରୁରେଇ ସଂରକ୍ଷିତ ଜଙ୍ଗଲ ଅସୁରକ୍ଷିତ ହୋଇପଡ଼ିଛି । ଖୋର୍ଦ୍ଧା ବନାଂଚଳରେ ବରୁଣେଇ, ନାଗପଲ୍ଲୀ, ପାଂଚଗଡ଼, ଜୟମଙ୍ଗଳ ୪ଟି ସଂରକ୍ଷିତ ଜଙ୍ଗଲ ଓ ଡୁବୁରି, ବ୍ରାହ୍ମଣଦେଈ ସୀମାଂକିତ ସଂରକ୍ଷିତ ଜଙ୍ଗଲ(ଡିପିଏଫ୍) ରହିଛି । ଖୋର୍ଦ୍ଧା ବନାଂଚଳର ମୋଟ ୨୪୦୩.୬ ହେକ୍ଟର ସଂରକ୍ଷିତ ଜଙ୍ଗଲ ଓ ୨୪୭୨.୫୯ ହେକ୍ଟର ଡିପିଏଫ୍ ରହିଛି । ମୋଟ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ମଧ୍ୟରୁ ବରୁଣେଇ ସଂରକ୍ଷିତ ଜଙ୍ଗଲର ପରିସୀମା ୧୯ ପ୍ରତିଶତ ଅର୍ଥାତ୍ ୪୮୦ ହେକ୍ଟର ଅଟେ । ବରୁଣେଇ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଖୋର୍ଦ୍ଧା ବ୍ଲକର ଗଡ଼ଖୋର୍ଦ୍ଧା, ସିଆଳିଆ, ବେଣାପଂଜରୀ ଓ ଜଟଣୀ ବ୍ଳକର ତରାବୋଇ, ବଡ଼ତୋଟା, ଖୋଲାଦ୍ୱାର ଓ ଖୁଦୁପୁର ଗାଁର ୨୪ ହଜାର ଜନସଂଖ୍ୟା ରହୁଛନ୍ତି ।
ବରୁଣେଇ ସଂରକ୍ଷିତ ଜଙ୍ଗଲ ଐତିହାସିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଓ ବର୍ଦ୍ଧିତ ଶିଳ୍ପାଂଚଳ, ଜନବସତି ଯୋଗୁଁ ଅଧିକ ସମ୍ବେଦନଶୀଳ କ୍ଷେତ୍ର ଅଟେ । ଅପରପକ୍ଷରେ, ରାଜ୍ୟର ଜଙ୍ଗଲ ନିଆଁ ସମ୍ବେଦନଶୀଳ ଅଂଚଳ ମଧ୍ୟରେ ବରୁରେଇ ସଂରକ୍ଷିତ ଜଙ୍ଗଲ ରହିଛି । ପ୍ରତିବର୍ଷ, ମାର୍ଚ୍ଚ ମାସରୁ ଜୁନ୍ ମାସ ମଧ୍ୟରେ ଜଙ୍ଗଲରେ ଅନେକ ଥର ଅଗ୍ନିକାଣ୍ଡ ଘଟି ଅନେକ ମୂଲ୍ୟବାନ ଗଛ, ଔଷଧୀୟ ବୃକ୍ଷ ନଷ୍ଟ ହୋଇଯାଉଥିବା ବେଳେ ଏହାର ସୁରକ୍ଷା ନେଇ ବନ ବିଭାଗ ପକ୍ଷରୁ କୌଣସି ବ୍ୟବସ୍ଥିତ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଗତ ୬ ବର୍ଷ ମଧ୍ୟରେ ବରୁଣେଇ ସଂରକ୍ଷିତ ଜଙ୍ଗଲରେ ୧୭ ଥର ନିଆଁ ଲାଗିଛି । ୨୦୧୭ରେ ୩ଥର ବଡ଼ଧରଣର ଜଙ୍ଗଲ ନିଆଁରେ ବରୁଣେଇ ସଂରକ୍ଷିତ ଜଙ୍ଗଲର ୧୦ହେକ୍ଟର ଜଙ୍ଗଲ ପୋଡ଼ି ପାଉଁଶ ହୋଇଯାଇଥିଲା । ଏହାପରେ ୨୦୧୯ରେ ୪, ୨୦୨୦ରେ ୩, ୨୦୨୧ରେ ୩, ୨୦୨୨ରେ ୪ଥର ନିଆଁ ଲାଗିଛି । ବନବିଭାଗର ପରବର୍ତୀ ଯାଂଚରେ ସମସ୍ତ ଅଗ୍ନିକାଣ୍ଡର ୯୫ ପ୍ରତିଶତ ମାନବକୃତ ବୋଲି ଜଣାପଡ଼ିଛି । ସଂରକ୍ଷିତ ଜଙ୍ଗଲ ତରାବୋଇ, ଜୟମଙ୍ଗଳ ଓ ଖୋର୍ଦ୍ଧା ଶିଳ୍ପାଂଚଳର ନିକଟବର୍ତୀ ହୋଇଥିବାରୁ ଅନେକ ସମୟରେ ଲୋକଙ୍କ ଅବାଧ ପ୍ରବେଶ ରହିଛି । ଜଙ୍ଗଲ କଡ଼ରେ ଥିବା ଅନେକ ପରିତ୍ୟକ୍ତ ସରକାରୀ ଘର, ଶିଳ୍ପାନୁଷ୍ଠାନରେ ବେଆଇନ ନିଶା କାରବାର ଚାଲିଛି । ଏପରିସ୍ଥଳେ ବନ ବିଭାଗ ପକ୍ଷରୁ ଜଙ୍ଗଲର ପରିସୀମାର ସୁରକ୍ଷା ଓ ନଷ୍ଟ ହେଉଥିବା ଅଂଚଳରେ ନୂତନ ଜଙ୍ଗଲ ସୃଷ୍ଟି କରିବାରେ କୌଣସି ପଦକ୍ଷେପ ନିଆଯାଉନାହିଁ ।
ଏନେଇ ଖୋର୍ଦ୍ଧା ବନାଂଚଳ ରେଂଜର ଜୟକୃଷ୍ଣ ପଣ୍ଡାଙ୍କୁ ପଚାରିବାରେ, ଜଙ୍ଗଲରେ ନିଆଁ ରୋକିବାକୁ ସରକାରଙ୍କ ନିଦେ୍ର୍ଦଶାନୁସାରେ ଫେବ୍ରୁଆରୀ ମାସରୁ ପଦକ୍ଷେପ ଆରମ୍ଭ ହୋଇଯାଇଛି । ଜଙ୍ଗଲ ଅଂଚଳରେ ଥିବା ୭ଟି ଗାଁରେ ୭ଟି ବନ ସୁରକ୍ଷା କମିଟିକୁ ନିଆଁ ଲିଭାଇବାରେ ସହାୟତା କରିବାକୁ ୧୦ହଜାର ଟଙ୍କା ଦିଆଯାଇଛି । ଏହା ସହ ଅସ୍ଥାୟୀ ଭାବେ, ଫେବ୍ରୁଆରୀରୁ ଜୁନ୍ ଯାଏଁ ୧୦ଜଣ ଜଙ୍ଗଲ ନିଆଁ ତନଖିକର୍ମୀଙ୍କୁ ନିୟୋଜିତ କରାଯାଇଛି । ୫୦ କିମି ଅଂଚଳରେ ଟ୍ରେଂଚ୍ ଖୋଳି, ରାସ୍ତା ସଫା କରି ଅଗ୍ନି ନିର୍ବାପକ ସୀମା ଅଂକିତ କରାଯାଇଛି । ଗତ ଦୁଇଦିନ ମଧ୍ୟରେ ପାଇକ ତିଗିରିଆ, ବେଲପଡ଼ାରେ ବନ ବିଭାଗ ପକ୍ଷରୁ ବୈଠକ ହୋଇଛି । ପଥପ୍ରାନ୍ତ ନାଟକ ମାଧ୍ୟମରେ ଜଙ୍ଗଲ ନିଆଁ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଛି ।