କରୋନା କଟକଣାରେ ବରୁଣେଇରେ ବଢ଼ିଲା ଅବ୍ୟବସ୍ଥା

ଖୋର୍ଦ୍ଧା: କରୋନା କଟକଣାରେ ଜୀବନଯାତ୍ରା ଶିଥିଳ ପଡ଼ିଯାଇଥିଲା । ଗାଡ଼ିମଟର ଚଳାଚଳ ଓ ଜନସମାଗମ ବନ୍ଦ ହେବା ଯୋଗୁଁ ଦର୍ଶନୀୟ ସ୍ଥାନ, ପିକିନିକ୍ ସ୍ପଟ୍ ଆଦିରେ ନଷ୍ଟ ହୋଇଯାଇଥିବା ପରିବେଶ ପୁଣି ସଜାଡ଼ି ହୋଇଥିଲା । କିନ୍ତୁ ଖୋର୍ଦ୍ଧା ଉପକଣ୍ଠ ଐତିହାସିକ ବରୁଣେଇ ପୀଠରେ କରୋନା କଟକଣାରେ ପରିବେଶ ସଂପୂର୍ଣ୍ଣ ବିଗିଡ଼ିଯାଇଛି । ସ୍ୱାଭାବିକ ଜୀବନଯାତ୍ରା ବେଳେ ଯେଉଁଭଳି ରକ୍ଷଣାବେକ୍ଷଣ କରାଯାଉଥିଲା ବର୍ତମାନ ଆଉ ସେଭଳି ଦେଖିବାକୁ ମିଳୁନାହିଁ । ବରୁଣେଇ ପାହାଡ଼ ଖୋର୍ଦ୍ଧା ପୌରାଂଚଳର ୩ ନମ୍ବର ୱାର୍ଡ ଅଧୀନରେ ରହିଛି । ଏହାର ରକ୍ଷଣାବେକ୍ଷଣ ଓ ପରିଚାଳନା ଦାୟିତ୍ୱ ପୌର ପରିଷଦ ହାତରେ ରହିଛି । ପ୍ରତିବର୍ଷ ଡିସେମ୍ବର ଠାରୁ ଜାନୁଆରୀ ଏହି ବରୁଣେଇ ପୀଠରେ ବଣଭୋଜି ପାଇଁ ଗହଳି ଜମେ । ଏହାସହ ମକର ସଂକ୍ରାନ୍ତିରେ ପାଇକଙ୍କ ଅଧିଷ୍ଠାତ୍ରୀ ଦେବୀ ବରୁଣେଇ ଓ କରୁଣେଇ ପୂଜାର୍ଚ୍ଚନା ପାଇଁ ବିଭିନ୍ନ ସ୍ଥାନରୁ ଭକ୍ତ ଓ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି । ଚଳିତ ବର୍ଷ କରୋନା କଟକଣା ଯୋଗୁଁ ବରୁଣେଇ ପୀଠ ପ୍ରାୟତଃ ବନ୍ଦ ରହିଥିଲା । ଜନ ସମାଗମ ନଗଣ୍ୟ ଥିଲା । ଏହା ସତ୍ୱେ ବରୁଣେଇର ଉଜୁଡ଼ା ପରିବେଶରେ ସୁଧାର ଆସିପାରିନାହିଁ ।

ଅନ୍ୟ ସ୍ୱାଭାବିକ ସମୟରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ବରୁଣେଇର ସ୍ୱଚ୍ଛତା ଓ ପରିମଳ ପରିଚ୍ଛନ୍ନତା କାର୍ଯ୍ୟକ୍ରମ କରାଯାଉଥିଲା । ଚଳିତ ବର୍ଷ କୌଣସି ଅନୁଷ୍ଠାନ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ବନ୍ଦ ରହିଛି । ଏପରିସ୍ଥଳେ ଅଂଚଳର ପରିଚ୍ଛନ୍ନତା ଓ ସୁରକ୍ଷା ପୌର ପରିଷଦର ଦାୟିତ୍ୱ । ପୌର ପରିଷଦ ଏହାର ପରିଚ୍ଛନ୍ନତା ରକ୍ଷଣାବେକ୍ଷଣ ଦାୟିତ୍ୱ ଘରୋଇ ସଂସ୍ଥା ହାତରେ ଟେକିଦେଇଛି । ଘରୋଇ ସଂସ୍ଥା ପକ୍ଷରୁ କୌଣସି କାର୍ଯ୍ୟ କରାଯାଉନାହିଁ । ଫଳରେ, ବର୍ତମାନ ବରୁଣେଇ ମୁଖ୍ୟ ପୀଠକୁ ଯିବା ପାବଛ ଭାଙ୍ଗିଯାଇଛି । ଫନି ବାତ୍ୟା ସମୟରେ ଭାଙ୍ଗିଯାଇଥିବା ଗଛଗୁଡ଼ିକୁ କଟାଯାଇ ରାସ୍ତା ଉପରେ ଜମା କରି ରଖାଯାଇଛି । ବରୁଣେଇ ପୀଠର ସମସ୍ତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଭାଙ୍ଗିରୁଜି ଯାଇଛି । ବରୁଣେଇ ପୀଠର ପ୍ରସିଦ୍ଧ ଝରଣା ଜଳ ପାଇଁ ନିର୍ମାଣ କରାଯାଇଥିବା ସ୍ୱତନ୍ତ୍ର ନାଳ ଭାଙ୍ଗି ଯାଇଥିବାରୁ ଜଳଗୁଡ଼ିକ ଚଲାରାସ୍ତାରେ ଯାଇ ସିଉଳି ଜମି ଗଲାଣି ।

ଏନେଇ ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥିଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି, କରୋନା ଯୋଗୁଁ ପୀଠରେ ଜନସମାଗମ କମ୍ ରହିଛି । ତେବେ ଯେଉଁ ସବୁ ସମସ୍ୟା ରହିଛି ସେଥିପ୍ରତି ପୌର ପ୍ରଶାସନ ଅବଗତ ରହିଛି । ପରିଚ୍ଛନ୍ନତା ସହ ଅନ୍ୟ ଉନ୍ନୟନମୂଳକ କାର୍ଯ୍ୟ ମଧ୍ୟ ଖୁବଶୀଘ୍ର କରାଯିବ ।

ସମ୍ବନ୍ଧିତ ଖବର