ଖୁଣ୍ଟୁଣୀ: ଚୈତ୍ର ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ଶତଭିଶା ନକ୍ଷତ୍ର ଯୋଗରେ ବାରୁଣୀ ସ୍ନାନ ଅବସରରେ କଟକ ଜିଲ୍ଲା ଆଠଗଡ଼ ବ୍ଲକ୍‌ ତଥା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ବ୍ରହ୍ମପୁର ଗ୍ରାମସ୍ଥିତ ସିଦ୍ଧ ନାରାୟଣୀ ପୀଠ ସଂଲଗ୍ନ ସମୁଦ୍ରଗାମିନୀ ପୁଣ୍ୟତୋୟା ମହାନଦୀର ବାରୁଣୀ ଘାଟରେ ଆଜି ପବିତ୍ର ବାରୁଣୀ ବୁଡ଼ ଅନୁଷ୍ଠିତ ହୋଇଛି। ଶ୍ରୀଶ୍ରୀ ସର୍ପେଶ୍ବର ମହାଦେବଙ୍କ ନାମରେ ନାମିତ ଏହି ବାରୁଣୀ ସ୍ନାନ ଯାତ୍ରାରେ ଶ୍ରୀସର୍ପେଶ୍ବର, ଶ୍ରୀଧବଳେଶ୍ବର ମହାଦେବଙ୍କ ସହ ୧୪ଟି ଠାକୁରବାଡ଼ିର ଠାକୁରମାନେ ବୁଡ଼ ପକାଇଥିଲେ। ଏହାପରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ବାରୁଣୀ ବୁଡ଼ ପକାଇଥିଲେ। ବାରୁଣୀ ସ୍ନାନ ଯାତ୍ରା ପାଇଁ ଶନିବାର ବିଳମ୍ବିତ ରାତିରେ ସର୍ପେଶ୍ବର ମହାଦେବ ସୁସଜ୍ଜିତ ବିମାନରେ ଆସି ବ୍ରହ୍ମପୁରରେ ପହଞ୍ଚିଥିଲେ। ସେଠାରୁ ଗ୍ରାମବାସୀ ବାଜାବାଣ, ରୋସଣିରେ ପ୍ରଭୁ ସର୍ପେଶ୍ବରଙ୍କ ସହ ନୂଆଶାସନର ଶ୍ରୀରାମେଶ୍ୱର ଓ ବ୍ରହ୍ମପୁରରେ ଅଧିଷ୍ଠିତ ଶ୍ରୀଗୋପାଳଜିଉଙ୍କୁ ବ୍ରହ୍ମପୁର ଗ୍ରାମ ପରିକ୍ରମା କରାଇ ମହାମିଳନ ପର୍ବ ପାଇଁ କଖଡ଼ି ପାଲାତୋଟା ଅଭିମୁଖେ ନେଇଥିଲେ। କଖଡ଼ିରେ ମହାମିଳନ ଅପେକ୍ଷାରେ ଥିବା ଶ୍ରୀଧବଳେଶ୍ବରଙ୍କ ସହ କଖଡ଼ିର ଶ୍ରୀଲକ୍ଷ୍ମୀନାରାୟଣ, ନାରଙ୍ଗବସ୍ତ ଗ୍ରାମର ଶ୍ରୀରାଧାକୃଷ୍ଣ, ମାହାଳପଡ଼ା ଗ୍ରାମର ଶ୍ରୀଗୋପାଳଜିଉ, ଜଗମୋହନପୁରଶାସନର ଶ୍ରୀଗୋପିନାଥଜୀଉ, ଜେନାପୁରର ଶ୍ରୀସ୍ବପ୍ନେଶ୍ବର, ଘଣ୍ଟିଖାଲର ଶ୍ରୀବୃନ୍ଦାବନଚନ୍ଦ୍ର ଦେବ, ରାଧାଶ୍ୟାମପୁର ଗ୍ରାମର ଶ୍ରୀରାଧାଶ୍ୟାମଜିଉ, କାପ୍ତାବରାଇର ଶ୍ରୀରାଧାକୃଷ୍ଣ, ପିଠାଖିଆର ଶ୍ରୀରାଧାକୃଷ୍ଣ, ଅନନ୍ତପୁରର ଗୋପାଳଜିଉ ଆଦି ଦିଅଁମାନଙ୍କ ସହ ଆଜି ପ୍ରତ୍ୟୁଷରେ ସର୍ପେଶ୍ବରଦେବଙ୍କର ପରମ୍ପରା ଅନୁସାରେ ମହାମିଳନ ତଥା ହରିହର ଭେଟ ନୀତି ଅନୁଷ୍ଠିତ ହୋଇଥିଲା। କଖଡ଼ି ମହାମିଳନ ପର୍ବ ପରେ ଆଜି ସକାଳେ ସର୍ପେଶ୍ବର ଦେବ ସମସ୍ତ ଠାକୁରଙ୍କୁ ବାରୁଣୀ ସ୍ନାନ ନିମନ୍ତେ ବାରୁଣୀ ଘାଟକୁ ନିମନ୍ତ୍ରଣ କରିଥିଲେ। ବାରୁଣୀ ପଡ଼ିଆରେ ଠାକୁରମାନେ ପହଞ୍ଚି ସୁସଜ୍ଜିତ ଆସ୍ଥାନରେ ବିରାଜମାନ କରିଥିଲେ। ଏହାପରେ ଧବଳେଶ୍ବର ସଂକୀର୍ତ୍ତନ ମହାମଣ୍ଡଳର ନାମ ସଂକୀର୍ତ୍ତନ, ଖୋଳ କୀର୍ତ୍ତନ, ଘଣ୍ଟଘଣ୍ଟା ନାଦ ସହ ଶ୍ରଦ୍ଧାଳୁଙ୍କ ହରିବୋଲ ଓ ହୁଳହୁଳି ଧ୍ୱନିରେ ଠାକୁରମାନେ ଭକ୍ତଙ୍କ ଗହଣରେ ନଦୀରେ ପ୍ରବେଶ କରିଥିଲେ। ବ୍ରାହ୍ମଣ ପଣ୍ଡିତଙ୍କ ବେଦପାଠ ପରେ ଶ୍ରୀସର୍ପେଶ୍ବର, ଶ୍ରୀଧବଳେଶ୍ୱରଙ୍କ ସହ ସମସ୍ତ ଠାକୁରବାଡ଼ିର ଠାକୁର ବୁଡ଼ର ପବିତ୍ର ଲଗ୍ନ ମୁହୂର୍ତ୍ତ ଦିନ ୧ଟାରେ ବାରୁଣୀ ସ୍ନାନ କରିବା ପରେ ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ପକାଇଥିଲେ।

Advertisment

ରାଜରାଜୁଡ଼ା ଅମଳରୁ ଏଠାରେ ସର୍ପେଶ୍ବରଙ୍କ ବାରୁଣୀ ସ୍ନାନ ଯାତ୍ରା ଅନୁଷ୍ଠିତ ହେଉଛି। ପରମ୍ପରା ଅନୁସାରେ ଫଗୁ ଦଶମୀରୁ ଆଠଗଡ଼ ଗଡ଼ଜାତରେ ଦୋଳ ଯାତ୍ରା ଆରମ୍ଭ ହୋଇଥାଏ। ମଠ ମନ୍ଦିରର ଦିଅଁମାନେ ବିମାନରେ ଗାଁଗାଁ ବୁଲି ଭକ୍ତଙ୍କ ଗହଣରେ ଅବିର ଖେଳି ଭୋଗ ଖାଇଥା’ନ୍ତି। ଆଜିର ଦିନରେ ଠକୁରମାନେ ଦୋଳ ଯାତ୍ରା ଶେଷ କରି ଏହି ସ୍ଥାନରେ ବାରୁଣୀ ବୁଡ଼ ପକାଇ ସ୍ୱସ୍ଥାନକୁ ଫେରିଥା’ନ୍ତି। ପୌରାଣିକ କଥାବସ୍ତୁ ମୁତାବକ, ଦ୍ୱାପର ଯୁଗରେ ପାଣ୍ଡବମାନେ ଅଜ୍ଞାତବାସରେ ଥିଲା ବେଳେ ଏଠାରୁ କିଛିଦୂର ମହାନଦୀ କୂଳରେ ଥିବା ସିଦ୍ଧେଶ୍ୱର ମୁଣ୍ଡିଆରେ ଅବସ୍ଥାନ କରିଥିଲେ। ସେମାନେ ଯଜ୍ଞ କରିବା ପାଇଁ ପବିତ୍ର ଜଳରେ ସ୍ନାନର ଆବଶ୍ୟକତା ଥିବାରୁ ମହାନଦୀ କୂଳେକୂଳେ ଉପଯୁକ୍ତ ସ୍ଥାନର ସନ୍ଧାନ କରୁଥିଲା ବେଳେ ଏଠାରେ ମହାନଦୀର ଜଳସ୍ରୋତ ଓଲଟା ଅର୍ଥାତ ଉତ୍ତରରୁ ଦକ୍ଷିଣକୁ ପ୍ରବାହିତ ହେଉଥିବା ଦେଖିଥିଲେ। ଏହା ଉତ୍ତରାବାହୀ ଗଙ୍ଗା ବୋଲି ପାଣ୍ଡବମାନେ ଜାଣିବା ପରେ ବୁଡ଼ ପକାଇ ଏହାର ଜଳ ଯଜ୍ଞକାର୍ଯ୍ୟରେ ବ୍ୟବହାର କରିଥିବା ଜନଶ୍ରୁତି ରହିଛି। ଏଠାରେ ବାରୁଣୀ ବୁଡ଼ ପକାଇଲେ ଶ୍ରଦ୍ଧାଳୁମାନେ ରୋଗ ଓ ପାପମୁକ୍ତ ହୋଇଥା’ନ୍ତି ବୋଲି ବିଶ୍ୱାସ ଅଛି। ଏହି ବାରୁଣୀ ସ୍ନାନ ଯାତ୍ରାକୁ ବ୍ରହ୍ମପୁର ଗ୍ରାମବାସୀଙ୍କ ସହଯୋଗରେ ଗ୍ରାମ କମିଟି ସଭାପତି ଲକ୍ଷ୍ମୀଧର ସାମନ୍ତରାୟ, ପ୍ରମୋଦ କୁମାର ସ୍ୱାଇଁ, ସମ୍ପାଦକ କୈଳାସଚନ୍ଦ୍ର ସାହୁ, ବାଦଲ ସାମଲ, ଉମାକାନ୍ତ ସ୍ୱାଇଁ, ରତ୍ନାକର ସାମନ୍ତ, ଧୋବି ବିଶ୍ୱାଳ, ଧୈର୍ଯ୍ୟଧର ନାୟକ, କବିରାଜ ସାହୁ, ଚିନ୍ତାମଣି ମଲ୍ଲିକ, ମାନସ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ। ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ତହସିଲଦାର ପ୍ରିୟବ୍ରତ ଦାସ, ଅତିରିକ୍ତ ତହସିଲଦାର ଅଶୋକ କୁମାର ସ୍ୱାଇଁ, ଦେବୋତ୍ତର ସୁପର୍‌ଭାଇଜର୍‌ ଭବାନୀଶଙ୍କର ପଣ୍ଡା ବୁଡ଼ସ୍ଥଳରେ ଉପସ୍ଥିତ ଥିଲେ। ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଚୌଦ୍ୱାର ଏସ୍‌ଡିପିଓ ସତ୍ୟବ୍ରତ ଲେଙ୍କା, ଖୁଣ୍ଟୁଣୀ ଥାନା ଆଇଆଇସି ଭବାନୀଶଙ୍କର ଖୁଣ୍ଟିଆ, ଗୁରୁଡ଼ିଝାଟିଆ ଥାନା ଆଇଆଇସି ରଞ୍ଜନ ପ୍ରଧାନ ଓ ପୁଲିସ୍‌ ଫୋର୍ସ ମୁତୟନ ହୋଇଥିଲେ। ଅଘଟଣ ଏଡ଼ାଇବା ନିମନ୍ତେ ଆଠଗଡ଼ ଅଗ୍ନିଶମ ବାହିନୀ ଉପସ୍ଥିତ ଥିଲେ। ଆଜିଠାରୁ ୫ଦିନ ଧରି ବାରୁଣୀ ଯାତ୍ରା ପଡ଼ିଆରେ ଅପେରା ଓ ମିନାବଜାର ଅନୁଷ୍ଠିତ ହେଉଛି।