ସୀମାନ୍ତ ୫ ଗ୍ରାମର ଦୁଃଖ: ଏବେ ବି ପହଞ୍ଚିନି ମୌଳିକ ସୁବିଧା, ନକ୍ସଲଙ୍କ ଆଳରେ ସରକାରୀ ବାବୁଙ୍କ ପାଦ ପଡୁନାହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସୀମାନ୍ତ ଗ୍ରାମଗୁଡିକର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଆଜି ବି ଦୁର୍ଗମ ତଥା ଅପହଞ୍ଚ ଅଞ୍ଚଳର ସୀମାନ୍ତ ଗ୍ରାମଗୁଡିକରେ ମୌଳିକ ସୁବିଧା ପହଞ୍ଚିପାରି ନାହିଁ। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ କୋପାତୁଟି ପଞ୍ଚାୟତର ଆନ୍ଧ୍ର ସୀମାକୁ ଲାଗି ରହିଛି ମାରିଗୁଡା,ଭାଲୁଗୁଡା,କୋଡିପାନ୍ତରୁ,ପେଦାଲେଙ୍କା ଏବଂ ତିଆଲ ମାମୁଡି। ସ୍ବାଧୀନତାର ସାତ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଏହି ୫ଟି ଗ୍ରାମରେ ଆଜି ବି ପକ୍କା ରାସ୍ତାଟିଏ ନାହିଁ।ଲୋକେ ପାଦଚଲା ରାସ୍ତାରେ ଆଜି ବି ଚାଲୁଛନ୍ତି। ଏହି ଗ୍ରାମଗୁଡିକରେ କେବଳ ବିଦ୍ୟୁତ ସେବା ପହଞ୍ଚିପାରିଛି। କିନ୍ତୁ ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ , ଗମନାଗମନ ଆଜି ବି ଅପହଞ୍ଚ ହୋଇ ରହିଛି। ଲୋକେ ଭଗବାନଙ୍କ ଭରସାରେ ରହିଛନ୍ତି। ଆଶା ଦିଦି କିମ୍ବା ସ୍ବାସ୍ଥ୍ୟ କର୍ମୀଙ୍କ ପାଦ କେବେ ମଧ୍ୟ ଏହି ଗ୍ରାମଗୁଡିକରେ ପଡି ନାହିଁ। ଗ୍ରାମବାସୀ କ୍ବାକ ଉପରେ ହିଁ ଭରସା କରି ରହିଛନ୍ତି।

ତେବେ ଏମାନଙ୍କର ପ୍ରଥମ ପସନ୍ଦ କିନ୍ତୁ ଡିସାରୀ ଏବଂ ଗୁଣିଆ।ସ୍ବାସ୍ଥ୍ୟ ସେବା ନଥିବାରୁ ପ୍ରତିବର୍ଷ ଅଜଣା ରୋଗରେ ବହୁ ଗ୍ରାମବାସୀଙ୍କ ଅକାଳରେ ଜୀବନ ଚାଲିଯାଉଛି।ଯାହାର ହିସାବ ପ୍ରଶାସନ ନିକଟରେ ନାହିଁ।ଏପରିକି କୌଣସି ସରକାରୀ ବାବୁଙ୍କ ପାଦ ମଧ୍ୟ ଏହି ୫ଟି ଗ୍ରାମରେ ପଡି ନାହିଁ।ନକ୍ସଲଙ୍କକ ଆଳରେ ସରକାରୀ ବାବୁମାନେ ଏହାର ଫାଇଦା ଉଠାଉଛନ୍ତି।ବର୍ଷ ତମାମ ପାନୀୟ ଜଳର ଘୋର ଅଭାବ।ଗ୍ରାମବାସୀ ପାଖ ଚୁଆରୁ ପାଣି ସଂଗ୍ରହ କରି ସେହି ପାଣିକୁ ପିଇବା ସହ ନିଜର ସମସ୍ତ ଦୈନନ୍ଦିନ କାର୍ୟ୍ୟ କରୁଛନ୍ତି।ଏହି ଗ୍ରାମଗୁଡିକରେ ସ୍କୁଲ ନଥିବାରୁ ପିଲାମାନେ ପ୍ରାୟ ୫ କିଲୋମିଟର ଅନ୍ୟ ଗାଁରେ ଥିବା ସ୍କୁଲକୁ ଯିବାକୁ ପଡୁଛି।ତେବେ ବର୍ଷାଦିନ ହେଲେ ପିଲାମାନେ ସ୍କୁଲକୁ ଯିବାକୁ ଅମଙ୍ଗ ହେଉଛନ୍ତି।ତେଣୁ ଏହି ଅଂଚଳରେ ସମସ୍ତେ ଏକ ପ୍ରକାର ନିରକ୍ଷର କହିଲେ ଅତ୍ୟୁକ୍ତି ହେବ ନାହିଁ।ପିଲମାନେ ସ୍କୁଲ ନଯାଇ ଘର କାମରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳେ।ତେବେ ସରକାରଙ୍କ ତରଫରୁ କୌଣସି ସୁବିଧା ପାଉନଥିବାରୁ ଏମାନେ ବାଧଝ୍ୟ ହୋଇ ଆନ୍ଧ୍ର ଉପରେ ଭରସା କରିଛନ୍ତି।ଏପରିକି କିଛି ଲୋକ ଓଡିଶା ଛାଡି ଆନ୍ଧ୍ରକୁ ମଧ୍ୟ ଚାଲିଗଲେଣି।

ଆନ୍ଧ୍ରର ଲୋଲୁପ ଦୃଷ୍ଟି ଏହି ୫ଟି ଗ୍ରାମ ଉପରେ ପଡିଛି।ଏମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଦେବାର ପ୍ରତିଶ୍ରୁତି ମଧ୍ୟ ଆନ୍ଧ୍ର ଦେଉଛି।ବେଳ ଥାଉଣୁ ଏହି ଗ୍ରାମଗୁଡିକକୁ ସରକାରୀ ସୁବିଧା ନପହଞ୍ଚେ ତେବେ ଏମାନେ ଆଗାମୀ ଦିନରେ ଆନ୍ଧ୍ରରେ ମିଶିଯିବାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇନପାରେ।ପଞ୍ଚାୟତ ସଦର ମହକୁମାରୁ ପ୍ରାୟ ୧୦ରୁ ୧୨ କିଲୋମିଟର ଦୁରରେ ରହିଥିବାରୁ ଭତ୍ତା ପାଇଁ କିମ୍ବା ପିଡିଏସ ଚାଉଳ ପାଇଁ ଲୋକେ ଚାଲି ଚାଲି ଏତେ ବାଟ ଯିବାକୁ ଅମଙ୍ଗ ହେଉଥିବା ଜଣାପଡିଛି।ବୃଦ୍ଧ ଓ ବୃଦ୍ଧାମାନେ ଏତେ ଦୁର ଭତ୍ତା ପାଇଁ ଯାଇପାରୁନଥିବାରୁ ଗାଁରେ ଭତ୍ତା ଦେବାକୁ ବାରମ୍ବାର ଦାବି ହୋଇଆସୁଥିଲେ ମଧ୍ୟ କେହି ଶୁଣୁନଥିବା ଗ୍ରାମବାସୀ କହନ୍ତି।ସେହିପରି ପିଡିଏସ ଚାଉଳ କାନ୍ଧରେ ଏବଂ ମୁଣ୍ଡରେ ବୋହି ମାଇଲ ମାଇଲ ବାଟ ଚାଲୁଥିବା ଲୋକେ କହନ୍ତି।ଏତେ ସମସ୍ୟା ଭିତରେ ରହିଥିବା ଏହି ଗ୍ରାମଗୁଡିକକୁ ସରକାର ଏବଂ ପ୍ରଶାସନର ନଜର କେବେ ପଡିବ ଦେଖିବାକୁ ବାକି ରହିଲା।ଆସନ୍ତା ବର୍ଷକୁ ପଞ୍ଚାୟତ ନିର୍ବାଚନ।ଲୋକେ ସରକାରୀ ସୁବିଧା ପାଇଲେ ହିଁ ଭୋଟ ଦେବେ ବୋଲି ସଫା ସଫା କହନ୍ତି।

ସମ୍ବନ୍ଧିତ ଖବର