ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଠିକଣା ଖୋଜୁଛି ବସ୍ତାନି

ବାଲେଶ୍ବର, (ବାହାନଗାରୁ କେଶବ ପାଣି): ମୃତ୍ୟୁ-ଠିକଣାରୁ ଠାବ ହୋଇଛି ଗୋଟିଏ ବହି ବସ୍ତାନି। କିନ୍ତୁ ସେ ବସ୍ତାନି କେଉଁ କୁନି ପିଲାର, ସେ ଏବେ କେଉଁଠି, ଜୀବିତ ନା ମୃତ; ଏସବୁର ସ୍ପଷ୍ଟ ଉତ୍ତର ମିଳିପାରୁନାହିଁ। ଯେଉଁ ସ୍ଥାନରୁ, ଯେଉଁ ଅବସ୍ଥାରେ ଏ ବସ୍ତାନି ଉଦ୍ଧାର କରାଯାଇଛି, ସେଠାରୁ ସେ ପିଲା ବିଷୟରେ କିଛି ତଥ୍ୟ ଆଶା କରିବା ବୃଥା। ଲୌହ ଦାନବର ରକ୍ତଭୋଜିରେ ସବୁ କିଛି ଛାରଖାର ହୋଇଯାଇଛି। ନିଜ ମା’, ସ୍ତ୍ରୀ କି ଭଉଣୀ ପାଇଁ କିଣି ଆଣିଥିବା ପାଦର ପାଉଁଜି ଓ ଗୋଡ଼ର ମୁଦି ବି ରେଳ ଟ୍ରାକ୍‌ରେ ସେମିତି ପଡ଼ି ରହିଛି। ଯାହାର ବି ହେଉନା କାହିଁକି, ତାକୁ ପିନ୍ଧିବାକୁ ଥିବା ସେ ପାଦ ସୁରକ୍ଷିତ ଅଛି ନା ନାହିଁ? ସେ ମଣିଷ ଜୀବିତ ଅଛନ୍ତି ନା ମୃତ; ତା’ର ଉତ୍ତର କିଏ ବା ଦେବ? ମାଟିରେ ମିଶି ଯାଉଥିବା ପ୍ରେମିକର ହାତଲେଖା ଚିଠିଟିଏ ବି ତା’ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଛଟପଟ ହେଉଛି। ଯେଉଁଠି ଶହଶହ ଲୋକଙ୍କ ଜୀବନ ଦୀପ ଦଲକାଏ ପବନରେ ଲିଭିଗଲା, ସେଠାରୁ ମଳୁଥିବା ଏ ନିର୍ଜୀବ ସାମଗ୍ରୀ ନିରବରେ କେତେ କ’ଣ କହିଯାଉଛନ୍ତି। ଏସବୁ ଏକାବେଳକେ ଆଶା ଓ ଆଶଙ୍କା ସୃଷ୍ଟି କରୁଛନ୍ତି।

ଦୁର୍ଘଟଣାସ୍ଥଳରୁ ୫୦ରୁ ଅଧିକ ପର୍ସ ଉଦ୍ଧାର ହୋଇଛି। ତା’ ଭିତରେ ୧୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ବିଡ଼ା ବିଡ଼ା ନୋଟ୍‌ ରହିଛି। ଉଦ୍ଧାର ଟଙ୍କା କାହାର? କେତେ ଦିନ ପରିଶ୍ରମର ଫଳ? କେତେ ଦିନ ଜୀବନକୁ ବାଜିରେ ଲଗାଇ ସେ ରୋଜଗାର କରିଛି, ତାହା କେହି କହିପାରିବେ ନାହିଁ। ପରିଶ୍ରମ ଆକାରରେ ମିଳିଥିବା ପାଉଣାର ମାଲିକ ଏବେ କେଉଁଠି, ତାହା ମଧ୍ୟ କାହାକୁ ଜଣାନାହିଁ। ଷ୍ଟେସନ୍‌ରୁ ଉଦ୍ଧାର ହୋଇଥିବା ଶତାଧିକ ମୋବାଇଲ୍ ଏବେ ଥାନାରେ ନିଜ ଠିକଣା ଖୋଜୁଛନ୍ତି। କେଉଁ ମୋବାଇଲ୍‌ର ଡିସ୍‌-ପ୍ଲେ’ରେ ପତ୍ନୀଙ୍କ ଫଟୋ ରହିଛି ତ ଆଉ କେଉଁଥିରେ ନିଜ ପିଲାଙ୍କ ଫଟୋ। ଅଧିକାଂଶ ମୋବାଇଲ୍‌ ଏବେ ସୁଇଚ୍‌-ଅଫ୍‌ ହୋଇଗଲାଣି।

କେବଳ ସେତିକି ନୁହେଁ, ରଜ ପାଇଁ ପ୍ୟାଣ୍ଟ-ସାର୍ଟ ସହ ଅନ୍ୟ ଉପହାର ନେଇ କୋଲକାତାରୁ ଘରକୁ ଫେରୁଥିବା ଅନେକ ଯାତ୍ରୀଙ୍କ ଚଲାପଥ ଅଧା ବାଟରେ ଅଟକି ରହିଯାଇଛି। ସାମଗ୍ରୀଗୁଡ଼ିକ ଘରେ ପହଞ୍ଚି ପାରିନାହିଁ। ଏବେ ବି ରେଳ ଧାରଣା କଡ଼ରେ ନିଜ ମାଲିକର ବାଟକୁ ଅପେକ୍ଷା କରି ରହିଛନ୍ତି। କିଏ ଆସିବ, ତାକୁ ଉଠାଇ ନେଇ ବ୍ୟବହାର କରିବ। ହଜାର ହଜାର ଲୋକ ସେହି ବାଟ ଦେଇ ଯିବା ଆସିବା କରୁଥିଲେ ମଧ୍ୟ କେହି ଉଠାଇବାକୁ ସାହସ ଜୁଟାଇ ପାରୁନାହାନ୍ତି। ଶତାଧିକ ପରିଚୟପତ୍ର, ପୋଷାକ, ସବୁ ଏବେ ଦୁର୍ଘଟଣାର ସନ୍ତକ ହୋଇ ପଡ଼ିରହିଛି।

ଦକ୍ଷିଣ-ପୂର୍ବ ରେଳପଥ ସୂଚନା ମୁତାବକ, କରମଣ୍ଡଳ ଏକ୍ସପ୍ରେସ୍‌ର ଲଗେଜ୍‌ ଭ୍ୟାନ୍‌ରେ ବହୁ ପରିମାଣରେ ସାମଗ୍ରୀ କୋଲକାତା ବଜାରରୁ ଅଣାଯାଉଥିଲା। ଫ୍ଲିପ୍‌କାର୍ଟ, ଆମାଜନ୍‌, ମେସୋ, ଏଜିଓ ପରି ଅନ୍‌ଲାଇନ୍‌ ସପିଂ କମ୍ପାନି ମାଧ୍ୟମରେ ଗ୍ରାହକମାନେ ସାମଗ୍ରୀ ମଗାଇଥିଲେ। କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ଉକ୍ତ ବଗିରେ ରହିଥିଲା। ଏହାବ୍ୟତୀତ ଓଡ଼ିଶାର ବହୁ ବ୍ୟବସାୟୀ କଲିକତା ବଜାରରୁ ସାମଗ୍ରୀ କିଣି ଓଡ଼ିଶା ମାର୍କେଟ ଯଥା କଟକ, ଭୁବନେଶ୍ବର, ଭଦ୍ରକ, ବ୍ରହ୍ମପୁରରେ ବିକ୍ରି କରିବାକୁ ଆଣି ଆସୁଥିଲେ। ଦୁର୍ଘଟଣା ଦ୍ବାରା ସେଗୁଡ଼ିକ ନଷ୍ଟ ହୋଇଯାଇଛି। ତାହାକୁ ଉଦ୍ଧାର କରିବା ସମ୍ଭବପର ନୁହେଁ।

ସମ୍ବନ୍ଧିତ ଖବର