ଖୋର୍ଦ୍ଧା: ପରିବାର ଲୋକ ଯାହା ସନ୍ଦେହ କରୁଥିଲେ ପୁବୁସାହିର ବାସୁଦେବ ପ୍ରଧାନ ଅପହରଣ ମାମଲା ଆପାତତଃ ତାହା ସତ ହୋଇଛି। ଆଜି ସାଇଣ୍ଟିଫକ୍‌ ଟିମ୍ ଓ ସନ୍ଧାନୀ କୁକୁର ସାଥିରେ ଅନେଇ ଅନେକ ସ୍ଥାନରେ ତଦନ୍ତ କରାଯାଇଥିଲା। ଆଠଗଡ଼ ନିକଟରୁ ବାସୁଦେବଙ୍କ ମୃତ ଦେହ ମିଳିଥିବା ଜଣାଯାଇଛି, ତେବେ ଏନେଇ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ। ଅଭିଯୁକ୍ତ ରବି ମୁଦୁଲି ଓ ଅନ୍ୟ କର୍ମଚାରୀ ମାନେ ପ୍ରଥମେ ପୁଲିସକୁ ଭୁଆଁ ବୁଲାଇବାକୁ ଚେଷ୍ଟା କରିଥିଲେ।

Advertisment

ତେବେ ଶେଷରେ ପୁଲିସର ଘନଘନ ଜେରାରେ ଅଭିଯୁକ୍ତମାନେ ବାସୁଦେବକୁ ଅପହରଣ, ଅଟକ ରଖି ନିସ୍ତୁକ ମାଡ଼ ମାରିବା ଓ ମୃତ୍ୟୁ ପରେ ମୃତଦେହକୁ ନଷ୍ଟ କରିବା ପାଇଁ ଅଜ୍ଞାତ ସ୍ଥାନରେ ଫିଙ୍ଗି ଦେଇଥିବା ସ୍ୱୀକାର କରିଥିଲେ। ଅଭିଯୁକ୍ତ ମାନେ ଦେଇଥିବା ତଥ୍ୟାଧାରରେ ପୁଲିସ ଆଜି ସାଇଣ୍ଟିଫକ୍‌ ଟିମ୍ ଓ ସନ୍ଧାନୀ କୁକୁର ନେଇ ବିଭିନ୍ନ ସ୍ଥାନରେ ଅନୁସନ୍ଧାନ କରିଥିଲେ। ଶେଷରେ ଆଠଗଡ଼ ନିକଟରେ ବାସୁଦେବଙ୍କ ମୃତଦେହ ମିଳିଥିବା ଜଣାପଡ଼ିଛି। ତେବେ ଏନେଇ ପୁଲିସ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ। କବାଡ଼ି ଗୋଦାମର ମାଲିକ ରବି ମୁଦୁଲି ବାସୁଦେବଙ୍କୁ ଚୋରି ସନ୍ଦେହରେ ଅପହରଣ କରିନେଇଥିବା ଓ ତାଙ୍କୁ ମାଡ଼ ମାରିଥିବା ନେଇ ବାସୁଦେବଙ୍କ ପତ୍ନୀଙ୍କ ମଙ୍ଗଳବାର ଥାନାରେ ଏତଲା ଦେଇଥିଲେ। ଏହି ଏତଲା ଭିତ୍ତିରେ ଖୋର୍ଦ୍ଧା ଟାଉନ ଥାନା ପୁଲିସ ୪୦୦/୨୦୨୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

କବାଡ଼ି ଗୋଦାମର କେତେକ କର୍ମଚାରୀ ଓ ମାଲିକ ରବି ମୁଦୁଲିକୁ ଥାନାକୁ ଆଣି ପଚରାଉଚୁରା କରିଥିଲା। ପଚରାଉଚୁରାରେ, ପ୍ରଥମେ ଅଭିଯୁକ୍ତମାନେ ନିଜକୁ ନିର୍ଦୋଷ ଓ ବାସୁଦେବ ସମ୍ପର୍କରେ କିଛି ଜାଣିନଥିବା କହି ପୁଲିସକୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଶେଷରେ, ନିଜର ଦୋଷ ସ୍ୱୀକାର କରିଥଲେ। ବାସୁଦେବକୁ ଚୋରି ସନ୍ଦେହରେ ଗୋଦାମ ଘରେ ଦୁଇ ଦିନ ଅଟକ ରଖି ନିସ୍ତୁକ ମାଡ଼ ମାରିଥିଲେ। ସୋମବାର ସଂଧ୍ୟାରେ ବାସୁଦେବଙ୍କ ମୃତ୍ୟୁ ଘଟିବାରୁ ତାକୁ ନେଇ ବଲେରୋରେ ନୟାଗଡ଼ର କଂଟିଲୋ-ସିଦ୍ଧମୂଳ ପୋଲ ତଳେ ଫିଙ୍ଗି ଚାଲିଆସିଥିଲେ ବୋଲି ମାଲିକ ରବି ମୁଦୁଲି ଓ କର୍ମଚାରୀମାନେ ପ୍ରଥମେ କହିଥିଲେ।

ଏହାପରେ ପୁଲିସ ଆଜି ସକାଳେ ସାଇଣ୍ଟିଫକ୍‌ ଟିମ୍ ଓ ସନ୍ଧାନୀ କୁକୁରକୁ ସାଥିରେ ନେଇ ପୁବୁସାହି କାଜୁ ବଗିଚାର ସେହି କବାଡ଼ି ଗୋଦାମ ଓ ସେମାନେ ଗାଡ଼ିରେ ବାସୁଦେବଙ୍କ ମୃତଦେହକୁ ନେଇ ଯେଉଁ ଯେଉଁ ସ୍ଥାନକୁ ଯାଇଥିଲେ ସେଠାରେ ଅନୁସନ୍ଧାନ କରିଥିଲେ। ଅଭିଯୁକ୍ତ ରବି ମୁଦୁଲି ଓ ଅନ୍ୟ କର୍ମଚାରୀମାନେ ଦେଇଥିବା ସୂଚନାନୁସାରେ, କଂଟିଲୋ ଠାରୁ ପ୍ରାୟ ୧୦ କିମି ଦୂର ସିଦ୍ଧମୂଳ ପୋଲ ନିକଟକୁ ଯାଇ ମଧ୍ୟ ତଦନ୍ତ କରି ରାତିରେ ଫେରିଛନ୍ତି। ତେବେ ସନ୍ଦିଗ୍ଧ ସ୍ଥାନରୁ ବାସୁଦେବଙ୍କ ମୃତଦେହ ମିଳିନଥିଲା। ଏହାପରେ ଅଭିଯୁକ୍ତମାନେ ନିଜର ବୟାନ ବଦଳାଇ ଆଠଗଡ଼ ନିକଟ ଜଙ୍ଗଲରେ ଫିଙ୍ଗି ଦେଇଥିବା କହିଥିଲେ। ସେହିସ୍ଥାନରୁ ଆଠଗଡ଼ ପୁଲିସ ସହାୟତାରେ ବାସୁଦେବର ମୃତଦେହକୁ ଉଦ୍ଧାର କରାଯିବା ସହ କଟକ ବଡ଼ ମେଡିକାଲରେ ରଖାଯାଇଥିବା ଶୁଣିବାକୁ ମିଳିଛି।