ବସୁଧା ଯୋଜନାରେ ଦୁର୍ନୀତି! ବୈଷୟିକ ଯନ୍ତ୍ରୀଙ୍କ ମିଳିଲା ରିପୋର୍ଟ

କନିଷ୍ଠଯନ୍ତ୍ରୀ ଓ ଠିକାଦାରଙ୍କ ନାଁରେ ୮ଲକ୍ଷ ସରକାରୀ ଅର୍ଥ ତୋଷାରପାତ ମାମଲା ରୁଜୁ

ଜୟପୁର: ଜୟପୁର ବ୍ଲକର ଅନ୍ତା ପଞ୍ଚାୟତ ଅର୍ନ୍ତଗତ କଙ୍କଡାହାଣ୍ଡି ଗାଁରେ ବସୁଧା ଯୋଜନାରେ ପାଇପ ବିଛାଯାଇଥିବା କାମରେ ଦୁର୍ନୀତି ହୋଇଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଏସ୍‌ପିଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ଇନିସପେକ୍ଟର ବଙ୍କିମ ବବାଲି, ପୌରପାଳିକା, ଜନସ୍ବାସ୍ଥ୍ୟ ବିଭାଗ ଓ ଏନଏଚର ତିନିଜଣକ କନିଷ୍ଠଯନ୍ତ୍ରୀଙ୍କ ବୈଷୟିକ ଟିମକୁ ନେଇ କଙ୍କଡାହାଣ୍ଡି ଗାଁରେ ଯାଞ୍ଚ ଆରମ୍ଭ କରିଥିଲେ। ତିନି କନିଷ୍ଠ ଯନ୍ତ୍ରୀଙ୍କ ବୈଷୟିକ ରିପୋର୍ଟ ମିଳିବା ପରେ କନିଷ୍ଠ ଯନ୍ତ୍ରୀ ବିଭୁତି ଭୁଷଣ ସ୍ବାଇଁ ଓ ଠିକାଦାର ଦୁର୍ଗା ପ୍ରସାଦ ତ୍ରିପାଠୀଙ୍କ ନାଁରେ ସରକାରୀ ଅର୍ଥ ତୋଷାରପାତ ମାମଲା ଜୟପୁର ଭିଜିଲାନ୍ସ ପକ୍ଷରୁ ରୁଜୁ କରାଯାଇଛି। ସୂଚନ‌ାଅନୁଯାୟୀ, ଜୟପୁର ବ୍ଲକର ଅନ୍ତା ପଞ୍ଚାୟତ ଅର୍ନ୍ତଗତ କଙ୍କଡାହାଣ୍ଡି ଗାଁରେ ଥିବା ଗ୍ରାମ୍ୟ ପାନୀୟ ଜଳଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଜଣକ ବିଭୁତି ଭୁଷଣ ସ୍ବାଇଁ ଓ ଠିକାଦାର ଦୁର୍ଗା ପ୍ରସାଦ ତ୍ରିପାଠୀ ମିଳିତ ଭାବେ ୫୪ଲକ୍ଷର ବସୁଧା ପାନୀୟ ଜଳଯୋଗାଣ ପ୍ରକଳ୍ପରେ ବ୍ୟାପକ ଅନିମିୟତତା କରିଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା।

ନିର୍ଦ୍ଧାରିତ ୬ଇଞ୍ଚ ପାଇପ ବଦଳରେ ଏଠାରେ ୪ଇଞ୍ଚ ପାଇପ ବିଛା ଯାଇଥିବା ଅଭିଯୋଗ ହୋଇଥିଲା। ଗାଁକୁ ସଠିକ ପାଣି ଯୋଗାଣ ହୋଇ ପାରୁନଥିବା ଅଭିଯୋଗ ଉଠିଥିଲା। ଅଭିଯୋଗକୁ ନେଇ ଭିଜିଲାନ୍ସ ଟିମ୍‌ ବୈଷୟିକ ଟିମକୁ ନେଇ ଗାଁର ବିଭିନ୍ନ ସ୍ଥାନରେ ବିଛାଯାଇଥିବା ପାଇପ ଓ ଅନ୍ୟ ଯନ୍ତ୍ରାଂଶ ଗୁଡିକର ଯାଞ୍ଚ କରାଯାଇଥିଲା। ପାଇପ ଗୁଡିକର ବେଚ୍ ନମ୍ବର, ଯନ୍ତ୍ରାଂଶ ଗୁଡିକର ନମ୍ବର ଆଦି ଯାଞ୍ଚ କରାଯାଇଥିଲା। ବିଛା ଯାଇଥିବା ପାଇପର ଆକାର ବି ଦେଖିଥିଲେ ଟିମ୍। ତିନିଜଣ କନିଷ୍ଠ ଯନ୍ତ୍ରୀ ବୈଷୟିକ ରିପୋର୍ଟରେ ୫୪ଲକ୍ଷର ପ୍ରକଳ୍ପରେ ୮ଲକ୍ଷ ଟଙ୍କାର ସରକାରୀ ଅର୍ଥ ତୋଷାରପାତ କରାଯାଇଥିବା ରିପୋର୍ଟ ଦେଇଥିଲେ। ଭିଜିଲାନ୍ସ ପକ୍ଷରୁ ୧୯/୨୩ରେ ମାମଲା ରୁଜୁ କରିଛି। କନିଷ୍ଠଯନ୍ତ୍ରୀ ଶ୍ରୀ ସ୍ବାଇଁ ଓ ଠିକାଦାର ଶ୍ରୀ ତ୍ରିପାଠୀଙ୍କ ନାଁରେ ଭିଜିଲାନ୍ସ ମାମଲା ରୁଜୁ କରିଥିବା ବେଳେ ଉଭୟଙ୍କୁ ଗିରଫ କରି କୋର୍ଟକୁ ଚାଳାଣ କରାଯିବ ବୋଲି କହିଛନ୍ତି ଭିଜିଲାନ୍ସ ଏସ୍‌ପି ବେଣୁଧର ନାୟକ।

ସମ୍ବନ୍ଧିତ ଖବର