ବୌଦ୍ଧ: ଜିଲ୍ଲାସ୍ତରୀୟ ବୌଦ୍ଧ ମହୋତ୍ସବ-୨୦୧୮ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତରଣୀସେନ ନାଏକ, ପିଡି ଡିଆରଡିଏ ରାଜେନ୍ଦ୍ର ପଟ୍ଟନାୟକ, ଉପଜିଲ୍ଲାପାଳ ଏନସି ଜ୍ୟୋତିରଂଜନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ସଂସ୍କୃତି ଅଧିକାରୀ ଶିଶିର ସାହୁ ଗତ ବର୍ଷର ଆୟବ୍ୟୟର ବିବରଣୀ ପ୍ରଦାନ କରିଥିଲେ। ଆସନ୍ତା ଜାନୁଆରି ୨ରୁ ୫ ତାରିଖ ଯାଏଁ ଏହି ମହୋତ୍ସବ ଅନୁଷ୍ଠିତ ହେବ। ଚଳିତ ବର୍ଷ ପ୍ରଥମ କରି ବୌଦ୍ଧ ବନ ବିଭାଗ ପକ୍ଷରୁ ହରବଲ୍ -ସୋ’ ଅନୁଷ୍ଠିତ ହେବ। ବୌଦ୍ଧ ମହୋତ୍ସବ ପରେ ଜାନୁଆରି ୭ରୁ ୯ ତିନିଦିନ ଧରି ଏହି ଉତ୍ସବ ଅନୁଷ୍ଠିତ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ ତଥା ରାଜ୍ୟ ବାହାରୁ ସାଂସ୍କୃତିକ ଦଳ ଚୟନ କରି ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ମହୋତ୍ସବ ଅବସରରେ ପ୍ରକାଶ ପାଉଥିବା ସ୍ମରଣିକା ଅତି ନିମ୍ନମାନର ଓ ତ୍ରୁଟିପୂର୍ଣ୍ଣ ହେଉଥିବାରୁ ବୈଠକରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସ୍ମରଣିକା ଦାୟିତ୍ୱରେ ଥିବା କମିଟିକୁ ଆମୂଳଚୂଳ ପରିବର୍ତ୍ତନ କରି ଅଭିଜ୍ଞ ଓ ସାହିତ୍ୟିକ ଓ ଅଧ୍ୟାପକଙ୍କୁ ଏହି ଦାୟିତ୍ୱ ଦିଆଯାଉ ବୋଲି ସଭ୍ୟମାନେ ମତ ଦେଇଥିଲେ। ସେହିପରି ମଞ୍ଚ ପରିଚଳାନା ପାଇଁ ଜିଲ୍ଲାର କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଡିସନ ଟେଷ୍ଟ କରାଯାଇ ନୂଆ ମୁହଁକୁ ମଂଚ ପରିଚାଳନା ଦାୟିତ୍ୱ ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ମହୋତ୍ସବ ପାଳନ ଅବସରରେ ହେଉଥିବା ସେମିନାର ଚଳିତ ବର୍ଷ ଯୋଗୀନ୍ଦ୍ର ଦେବ ହାଇସ୍କୁଲର ଶତବାର୍ଷିକୀ ହଲରେ କରାଯିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏହି ବୈଠକରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା, ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ଉପସ୍ଥିତ ଥିଲେ। ପିଡି ଡିଆରଡିଏ ରାଜେନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।