ରାୟଗଡ଼ା: କୋରାପୁଟ ସଂସଦୀୟ କ୍ଷେତ୍ରରେ ଦୁର୍ବଳ ହେବାରେ ଲାଗିଛି ବିଜେପି ସଙ୍ଗଠନ। ଦଳ ଛାଡ଼ୁଛନ୍ତି ଜଣେ ପରେ ଜଣେ ହେଭିୱେଟ୍ ନେତା। ପୂର୍ବରୁ ପୂର୍ବତନ ସାଂସଦ ଜୟରାମ ପାଙ୍ଗିଙ୍କ ସମେତ ଲକ୍ଷ୍ମୀପୁର ବିଧାୟକ ପ୍ରାର୍ଥୀ କୁମୁଦ ସାଉଁନ୍ତା ଦଳ ଛାଡିଥିବା ବେଳେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ଗିରିଧର ଗମାଙ୍ଗ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ଗମାଙ୍ଗ ଦଳ ଛାଡ଼ିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ଉଭୟ ନେତା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ପାର୍ଟି ଭାରତ ରାଷ୍ଟ୍ର ସମିତି (ବିଆରଏସ)ରେ ସାମିଲ୍ ହୋଇ ଓଡ଼ିଶା ରାଜନୀତିରେ ନୂତନ ସମୀକରଣ ସୃଷ୍ଟି କରିବାକୁ ଉଦ୍ୟମ ଚଳାଇଛନ୍ତି। ଯାହା ଦକ୍ଷିଣ ଓଡ଼ିଶା ରାଜନୀତି ଉପରେ ବେଶ୍ ପ୍ରଭାବ ପକାଇବ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡ଼ି ସହ ୪ ଦଶନ୍ଧିର ସଂପର୍କ ତୁଟାଇ ବିଜେପିରେ ସାମିଲ୍ ହୋଇଥିଲେ ଟାଣୁଆ ଆଦିବାସୀ ନେତା ଜୟରାମ ପାଙ୍ଗି। ପଟାଙ୍ଗୀ ନିର୍ବାଚନ ମଣ୍ଡଳୀରୁ ୪ ଥର ବିଧାୟକ ନିର୍ବାଚିତ ହୋଇଥିବା ପାଙ୍ଗି ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ୍ ପାହ୍ୟାରେ ଅବକାରୀ ବିଭାଗ ମନ୍ତ୍ରୀ ପଦ ସମ୍ଭାଳିଥିଲେ। ୨୦୦୯ ସାଧାରଣ ନିର୍ବାଚନରେ ପାଙ୍ଗି କୋରାପୁଟ ସଂସଦୀୟ କ୍ଷେତ୍ରରୁ ବିଜେଡ଼ି ଟିକେଟରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ୨୦୧୪ରେ ନିର୍ବାଚନରେ ଦଳୀୟ ଟିକେଟରୁ ବଞ୍ଚିତ ପରେ ୨୦୧୭ ମେ ୯ରେ ବିଜେପିରେ ଯୋଗ ଦେଇଥିଲେ ପାଙ୍ଗି। ଯାହା ବିଜେଡ଼ି ସଙ୍ଗଠନକୁ ଝଟକା ଦେଇଥିଲା। ୨୦୧୯ରେ ପାଙ୍ଗି ବିଜେପି ଟିକେଟରେ କୋରାପୁଟ ସାଂସଦ ଭାବେ ନିର୍ବାଚନ ଲଢ଼ି ହାରିଥିଲେ। କିନ୍ତୁ ଦଳର ଭୋଟ ବ୍ୟାଙ୍କକୁ ବୃଦ୍ଧି କରିବାରେ ସହାୟକ ହୋଇଥିଲେ। ୨୦୧୪ ନିର୍ବାଚନରେ କୋରାପୁଟ ସଂସଦୀୟ କ୍ଷେତ୍ରରୁ ବିଜେପି ପ୍ରାର୍ଥୀ ଶିବ ଶଙ୍କର ଉଲାକା ୮୯ ହଜାର ଭୋଟ ପାଇଥିଲେ। ୨୦୧୯ରେ ପାଙ୍ଗି ନିର୍ବାଚନ ଲଢ଼ି ବିଜେପି ଭୋଟ ବ୍ୟାଙ୍କକୁ ୨ଲକ୍ଷ ୮ ହଜାରକୁ ବୃଦ୍ଧି କରିଥିଲେ। ଯାହା ବିଜେଡ଼ି ପ୍ରାର୍ଥୀ କୌଶଲ୍ୟା ହିକକାଙ୍କ ପରାଜୟର ମୁଖ୍ୟ କାରଣ ଥିଲା। କିନ୍ତୁ ନିଜ ସ୍ଥିତି ବିଜେପିରେ ମଜଭୂତ କରିବାରେ ପାଙ୍ଗି ବିଫଳ ହେବା ପରେ ୨୦୨୨ ଏପ୍ରିଲ ୨ ରେ ଦଳ ଛାଡ଼ିଥିଲେ। ପାଙ୍ଗିଙ୍କ ନେତୃତ୍ବରେ କୋରାପୁଟ ସଂସଦୀୟ କ୍ଷେତ୍ରରୁ ୨୦୧୯ ନିର୍ବାଚନ ଲଢ଼ିଥିବା ଅନେକ ନେତା, କର୍ମୀ ଏବେ ଦଳ ଛାଡ଼ି ସାରିଲେଣି। ଲକ୍ଷ୍ମୀପୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା କୁମୁଦ ସାଉଁନ୍ତା ୨୦୨୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ବିଜେଡ଼ିକୁ ଫେରି ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚନ ଲଢ଼ିଥିଲେ।

Advertisment

ଗୁଣପୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ଶିଶିର ଗମାଙ୍ଗ ନିକଟରେ ଭାରତୀୟ ରାଷ୍ଟ୍ର ସମିତି (ବିଆରଏସ) ପ୍ରତିଷ୍ଠାତା ତେ‌ଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ସାକ୍ଷାତ କରିବା ପରେ ବିଜେପି ଛାଡ଼ିବା ତାଲିକା ଆଉ ଟିକେ ଲମ୍ବା ହୋଇଛି। ଶିଶିରଙ୍କ ବାପା ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ଗିରିଧର ଗମାଙ୍ଗ ଓଡ଼ିଶାରେ ବିଆରଏସ୍ ମଙ୍ଗ ଧରିବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏହା ଯଦି ସତ୍ୟ ହୁଏ ତାହେଲେ କୋରାପୁଟ ସଂସଦୀୟ କ୍ଷେତ୍ରରେ ବିଜେପିକୁ ନେତୃତ୍ବ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିବ। ୨୦୧୪ ନିର୍ବାଚନରେ ବିଜେପି ସାଂସଦ ପ୍ରାର୍ଥୀ ଶିବ ଶଙ୍କର ଉଲାକା ୨୦୧୯ ନିର୍ବାଚନରେ ବିଷମକଟକ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ଶ୍ରୀ ଉଲାକା ପରାଜିତ ହେବା ପରେ ୨୦୨୪ ନିର୍ବାଚନକୁ ଲକ୍ଷ୍ୟରେ ରଖି ସଙ୍ଗଠନକୁ ସୁଦୃଢ଼ କରିବାରେ ଲାଗିଛନ୍ତି। ଏପରି ସ୍ଥିତିରେ ଦଳ ପୁଣି ଜଣେ ନୂଆ ମୁହଁକୁ ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ କରି ନିର୍ବାଚନକୁ ଓହ୍ଲାଇବ ନା ଆଉ କେଉଁ ରଣନୀତି ଆପଣାଇବ ତାକୁ ନେଇ କୋରାପୁଟ ରାଜନୀତି ଉଷ୍ମ ହୋଇଛି। ସୂଚନାଯୋଗ୍ୟ, ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲା ରାଜନୀତିରେ ପାଙ୍ଗି ଏବଂ ଗମାଙ୍ଗ ପରିବାରର ଦବଦବା ରହିଛି। ଉଭୟେ ନିଜ ନିଜର ଦଳ ଛାଡ଼ି ବିଜେପିରେ ସାମିଲ୍ ହୋଇଥିଲେ। କିନ୍ତୁ ଦଳରେ କୋଣଠେସା କାରଣରୁ ବିଜେପି ଛାଡ଼ି ନୂଆ ରାଜନୈତିକ ସମୀକରଣ ଲକ୍ଷ୍ୟରେ ରହିଛନ୍ତି। ବିଜେପି ଛାଡ଼ିବା ପରେ ପାଙ୍ଗି ଦଣ୍ଡକାରଣ୍ୟ କମିଟି ନାଁରେ ନୂତନ ଦଳ ଗଢ଼ିବାକୁ ଲକ୍ଷ୍ୟ ରଖିଥିଲେ। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଶ୍ରୀ ରାଓଙ୍କ ପାର୍ଟି ବିଆରଏସ୍ ଓଡ଼ିଶା ମୁହାଁ ହେବା ପରେ ପାଙ୍ଗି ଖୁବ୍ ଶୀଘ୍ର ବିଆରଏସରେ ସାମିଲ୍ ହୋଇପାରନ୍ତି।