ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ବରଙ୍ଗାକଛାର ପଞ୍ଚାୟତରେ ଏକ ପୋଖରୀ ପୁନରୁଦ୍ଧାର କାମରେ ମିଛ ବିଲ୍ କରି ପଞ୍ଚମ ରାଜ୍ୟ ଅର୍ଥ କମିସନର ଅନୁଦାନକୁ ଚଳୁ କରାଯାଇଥିବା ଅଭିଯୋଗ ହୋଇଥିଲା। ଟ୍ରାକ୍ଟରରେ ମାଟି ବୁହାଯାଇଥିବା ଦର୍ଶାଇ ଏକ ବାଇକ୍ ଓ ଜେସିବିର ନମ୍ବରରେ ବିଲ୍ କରାଯାଇଥିଲା। ପାଉଲ ମେହେର ନାମକ ଜଣେ ସୂଚନା ଅଧିକାରକର୍ମୀ ଏସବୁ ତଥ୍ୟ ସହ ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

Advertisment

ଏସମ୍ପର୍କିତ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ବଡ଼ଗାଁ ବିଡିଓ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। ତୁରନ୍ତ ତଦନ୍ତ ଶେଷ କରି ହଡ଼ପ ଘଟଣାରେ ଜଡ଼ିତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଅଭିଯୋଗ ରହିଛି, ୨୦୨୧-୨୨ ଆର୍ଥିକ ବର୍ଷରେ ପଞ୍ଚମ ରାଜ୍ୟ ଅର୍ଥ କମିସନର ୨ ଲକ୍ଷ ୧୧ ହଜାର ଅନୁଦାନରେ ବରଙ୍ଗାକଛାର ପଞ୍ଚାୟତର ଅଢ଼ା ବନ୍ଧ ପୁନରୁଦ୍ଧାର କାମ କରାଯାଇଥିଲା। ଜେସିବିରେ କିଛି ମାଟି ଖୋଳାଯାଇଥିଲା ଓ ଓଡି୧୬ ବି ୨୮୧୦ ନମ୍ବରର ଟ୍ରାକ୍ଟରରେ ୧୩୬ ଟ୍ରିପ ମାଟି ବୋହିବା ବାବଦକୁ ୧୭ ହଜାର ଟଙ୍କା, ଓଡି ଜେ ୮୯୦୬ ନମ୍ବର ଟ୍ରାକ୍ଟରରେ ୧୩୮ ଟ୍ରିପ ମାଟି ଉଠାଇ ୧୬୮୭୮ ଟଙ୍କା, ଓଆର ୧୬ ଏଚ ୬୪୫୪ ଟ୍ରାକ୍ଟରରେ ୧୩୩ ଟ୍ରିପ ବାବଦକୁ ୧୬୬୭୫, ଓଡି ୧୬ କେ ୧୧୫୬ ଟ୍ରାକ୍ଟରରେ ୧୩୧ ଟ୍ରିପ ବାବବଦକୁ ୧୬୩୭୫, ଓଆର ୧୬ଇ୩୯ ଟ୍ରାକ୍ଟରରେ ୧୩୮ ଟ୍ରିପ ମାଟି ବୋହି ୧୭୨୫୦, ଓଆର୧୬ ଏଫ୮୫୧୩ରେ ୧୩୯ ଟ୍ରିପ ବାବଦକୁ ୧୭୩୭୫ ଟଙ୍କା ଉଠାଯାଇଥିବା ଉଲ୍ଲେଖ ରହିଛି। କିନ୍ତୁ ପ୍ରକୃତରେ ଏସବୁ ଟ୍ରାକ୍ଟର ବ୍ୟବହାର ହୋଇଛି ନା ନାହିଁ ସେ ନେଇ ସନ୍ଦେହ ପ୍ରକାଶ କରିଥିଲେ ସୂଚନା ଅଧିକାରକର୍ମୀ ଶ୍ରୀ ମେହେର।

କାରଣ ଓଡି୧୬ଏଚ୦୮୪୬ ନମ୍ବର ବିଶିଷ୍ଟ ଜେସିବିରେ ମାଟି ଖୋଳା ବାବଦକୁ ୮୧ ହଜାର ଟଙ୍କା ନିଆଯିବା ପରେ ସେହି ସମାନ ନମ୍ବରକୁ ଟ୍ରାକ୍ଟରର ଦର୍ଶାଇ ୧୨୮ ଟ୍ରିପ ମାଟି ବୋହିବା ବାବଦକୁ ୧୬ ହଜାର ଟଙ୍କା ପୁଣି ଉଠାଇ ନିଆଯାଇଛି । ସେହିପରି ଓଆର୧୫ଏନ୦୧୫୮ ନମ୍ବରର ଟ୍ରାକ୍ଟରରେ ୧୪୧ ଟ୍ରିପ ମାଟି ବୋହିଥିବା ଉଲ୍ଲେଖ କରି ୧୭୬୨୫ ଟଙ୍କା ବିଲ୍ କରାଯାଇଛି। କିନ୍ତୁ ପ୍ରକୃତରେ ତାହା ବାଇକ୍ ବୋଲି ଜଣାପଡ଼ିଛି। କେବଳ ସେତିକି ନୁହେଁ, କୌଣସି ପକ୍କା କାମ ନକରି ରଡ୍, ସିମେଣ୍ଟ, ମେଟାଲ, ଚିପ୍ସ ବାବଦକୁ ବିଲ୍ କରାଯାଇଥିବା ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟରୁ ଜଣାପଡ଼ିଥିଲା।