ବଲାଙ୍ଗୀର: ପୁଇଁତଳା ବିଡିଓଙ୍କୁ ଅପହରଣ କଲେ ଦୁର୍ବୃତ୍ତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଜଣେ ବିଡିଓଙ୍କୁ ଶୁକ୍ରବାର ଦୁର୍ବୃତ୍ତମାନେ ଅଫିସରୁ ଅପହରଣ କରି ନେଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଆଜି ଅପରାହ୍ଣ ୪ଟାରୁ ୪.୩୦ ମିନିଟ୍ ମଧ୍ୟରେ ଏହି ଘଟଣା ଘଟିଛି। ବଲାଙ୍ଗୀର ଉପକଣ୍ଠ ପୁଇଁତଲାର ବିଡିଓ ସରୋଜ କୁମାର ମିଶ୍ରଙ୍କୁ ଅଫିସରୁ ଅପହରଣ କରାଯାଇଛି। ପ୍ରକାଶ ଯେ ବିଡିଓ ତାଙ୍କ ଅଫିସରେ ବସି ଥିବା ବେଳେ ଏକ ଗାଡ଼ିରେ ୧୦ରୁ ୧୨ ଜଣ ଯୁବକ ଆସିଥିଲେ। ସେ ମଧ୍ୟରୁ ୫ ଜଣ ବିଡିଓଙ୍କ ଅଫିସ ଚାମ୍ବରକୁ  ଆସିଥିଲେ। ଏହାପରେ ବିଡିଓଙ୍କ ମୁହଁ ବନ୍ଦ କରି ସେମାନେ ଗାଡ଼ି ଭିତରକୁ ଜବରଦସ୍ତ ନେଇ ଯାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ।

ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଛାନଭିନ୍‌ ଆରମ୍ଭ ହୋଇ ଯାଇଛି। ଅଫିସରେ ଲାଗିଥିବା ସିସିଟିଭି କ୍ୟାମେରାରେ ଅପହରଣ ଘଟଣା କଏଦ ହୋଇଛି ଓ ପୁଲିସ ଏହାକୁ ପରୀକ୍ଷା କରୁଛି। ଏଥିସହ ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ଅପହରଣ ଲାଗି ବ୍ୟବହାର .ହୋଇଥିବା ଗାଡ଼ିର ନମ୍ବର ସଂଗ୍ରହ କରି ତଦନ୍ତ ଜାରି ରଖିଛି ପୁଲିସ୍।

ତେବେ ସୂଚନା ଅନୁସାରେ କାହାରି ସହିତ ବିଡ଼ିଓଙ୍କର ତାଙ୍କର କୌଣସି ମତଭେଦ ନଥିଲେ । ଆଉ ଏକ ବଡ଼ କଥା ହେଲା ମାତ୍ର ୨୦୦ ମିଟର ଦୂରରେ ପୁଇଁତଳା ଥାନା ରହିଥିଲେ ହେଁ ଅଭିଯୋଗ ପରେ ପୋଲିସ ତୁରନ୍ତ ଘଟଣାସ୍ଥଳକୁ ଆସିନଥିଲା ବୋଲି ମଧ୍ୟ ଅଭିଯୋଗ ହୋଇଛି ।

ସମ୍ବନ୍ଧିତ ଖବର