କଲ୍ୟାଣସିଂହପୁର ବିଡ଼ିଓଙ୍କୁ ନୋଟିସ୍; କାର୍ଯ୍ୟ‌ରେ ଯୋଗ ଦିଅ, ନଚେତ୍ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ରାୟଗଡ଼ା: ତାଲିମ୍ ନେବାକୁ ଭୁବନେଶ୍ବର ଯାଇ ଫେରିନଥିବା କଲ୍ୟାଣସିଂହପୁର ବିଡ଼ିଓଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ପଞ୍ଚାୟତିରାଜ ବିଭାଗ ନୋଟିସ୍ ଜାରି କରିଛି। ନୋଟିସ୍ ପାଇବାର ୩ ଦିନ ମଧ୍ୟରେ କାର୍ଯ୍ୟରେ ଯୋଗ ନଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଚିଠି ନଂ-୯୨୫୦, ତା:୧୧/୬/୨୦୨୧ରେ ଉଲ୍ଲେଖ କରିଛନ୍ତି।

ତେବେ ବିଭାଗୀୟ ଚିଠିକୁ ଇତି ମଧ୍ୟରେ ୧୦ ଦିନ ବିତିଥିଲେ ମଧ୍ୟ ବିଡ଼ିଓ କାର୍ଯ୍ୟରେ ଯୋଗ ଦେଇନଥିବା ଜଣାପଡିଛି। ଆଦିବାସୀ ଅଧ୍ୟୁଷିତ କଲ୍ୟାଣସିଂହପୁର ବ୍ଲକରେ ବିଡ଼ିଓ ଅନୁପ ଅଭିଷେକ ବେହେରା ଗତ ମାର୍ଚ୍ଚ ମାସରେ ଭୁବନେଶ୍ବର ଗୋପବନ୍ଧୁ ଏକାଡେମୀକୁ ତାଲିମ୍ ପାଇଁ ଯାଇଥିଲେ। ଏପ୍ରିଲ୍ ୨୭ ତାରିଖରେ ତାଲିମ୍ ଶେଷ ହେବା ପରେ କରୋନା କଟକଣା ଯୋଗୁ ୨୮ରେ ବିଡ଼ିଓ ଶ୍ରୀ ବେହେରା କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦେଶ ଥିଲା। କିନ୍ତୁ ତାଲିମ୍ ପରେ ବ୍ଲକକୁ ଫେରିବା ବଦଳରେ ବିଡ଼ିଓ ବ୍ଲକ୍ ଅଧ୍ୟକ୍ଷା ଯୋଗେନ୍ଦ୍ର ୱାଡକାଙ୍କୁ ଛୁଟି ଦରଖାସ୍ତ ଦେଇ ଭୁବନେଶ୍ବରରେ ରହିଯାଇଥିଲେ।

ବିଡ଼ିଓ ଦେଇଥିବା ଛୁଟି ଦରଖାସ୍ତରେ କେତେ ଦିନ ଛୁଟିରେ ରହିବେ, କେବେ କାର୍ଯ୍ୟକୁ ଫେରିବା ନେଇ କୌଣସି ଉଲ୍ଲେଖ ନଥିବାରୁ ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଛୁଟି ଦରଖାସ୍ତକୁ ଖାରଜ କରିଥିଲେ। ପିଡିଙ୍କ ସମେତ ବିଭାଗୀୟ ଅଧିକାରୀ ବହୁବାର ଯୋଗାଯୋଗ କରିବା ସତ୍ତ୍ବେ ବିଡ଼ିଓଙ୍କ ସହ ଯୋଗାଯୋଗ ସମ୍ଭବ ନ ହେବାରୁ ଏ ସଂପର୍କରେ ଜିଲ୍ଲାପାଳ ଜୁନ୍ ୩ ତାରିଖରେ ଚିଠି ନଂ-୧୭୯୦/୨୧ରେ ପଞ୍ଚାୟତିରାଜ ବିଭାଗକୁ ଅବଗତ କରିଥିଲେ। ସ୍ଥାୟୀ ବିଡ଼ିଓ ଅନୁପସ୍ଥିତ ଥିବା କାରଣରୁ ବ୍ଲକରେ ଉନ୍ନୟନ କାର୍ଯ୍ୟ ସହ କୋଭିଡ଼୍-୧୯ କାମ ବାଧାପ୍ରାପ୍ତ ହେଉଥିବା ଜିଲ୍ଲାପାଳ ବିଭାଗୀୟ ସଚିବଙ୍କୁ ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

ଫଳରେ ପଞ୍ଚାୟତିରାଜ ବିଭାଗ ସଚିବ ଜୁନ୍ ୧୧ ତାରିଖରେ ବିଡ଼ିଓ ଶ୍ରୀ ବେହେରାଙ୍କ ସ୍ଥାୟୀ ଠିକଣା ରମକପୁର, ପୋ-ଶୁକ୍ଲେଶ୍ବର, ଥାନା- ମାହାଙ୍ଗା, ଜିଲ୍ଲା: କଟକ ଠିକଣାରେ ତୁରନ୍ତ କାର୍ଯ୍ୟରେ ଯୋଗଦେବା ସଂପର୍କିତ ଚିଠି ପଠାଇଛନ୍ତି। ଚିଠିର ଏକିକତା ନକଲ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଗୋପବନ୍ଧୁ ଏକାଡେମୀ, ଜିଲ୍ଲାପାଳ ରାୟଗଡ଼ା ଓ ପିଡ଼ିଙ୍କୁ ପ୍ରଦାନ କରାଯାଇଛି। ଚିଠି ପଠାଯିବାର ୩ ଦିନ ମଧ୍ୟରେ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦେଶ ଥିଲେ ସୁଦ୍ଧା ବିଡ଼ିଓ ଆଜି ସୁଦ୍ଧା କାର୍ଯ୍ୟକୁ ଫେରି ନାହାଁନ୍ତି। ଫଳରେ ମାର୍ଚ୍ଚ ମାସରୁ କଲ୍ୟାଣସିଂହପୁର ବ୍ଲକ ଅତିରିକ୍ତ ଦାୟିତ୍ବରେ ଚାଲିଛି।

ରାୟଗଡ଼ା ଏବିଡ଼ିଓ କାଳୁ ଚରଣ ନାୟକଙ୍କୁ ଅତିରିକ୍ତ ଦାୟିତ୍ବରେ ରହି ବ୍ଲକର ଉନ୍ନୟନ କାମ ସାଙ୍ଗକୁ କୋଭିଡ଼୍ ମୁକାବିଲା କାମ କରୁଛନ୍ତି। ଏ ସଂପର୍କରେ ରାୟଗଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ମହେଶ୍ବର ନାୟକଙ୍କୁ ପଚାରିବାରୁ ବିଡ଼ିଓ କାର୍ଯ୍ୟରେ ଯୋଗ ଦେଇନଥିବା ସଂପର୍କରେ ଖୁବ୍ ଶୀଘ୍ର ବିଭାଗକୁ ଅବଗତ କରାଯିବ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ମେ’ ମାସରେ ନିୟମଗିରିକୁ କରୋନା ଛୁଇଁବା ପରେ ଡଙ୍ଗରିଆଙ୍କୁ କରୋନା ମୁକ୍ତ କରିବା ସହ ଟିକାକରଣ କ୍ଷେତ୍ରରେ ପ୍ରଶାସନକୁ ନାକେଦମ୍ ହେବାକୁ ପଡିଥିଲା।

ସମ୍ବନ୍ଧିତ ଖବର