ଭାଲୁ ଆକ୍ରମଣରେ ଆଜି ଆଉ ଜଣଙ୍କ ଜୀବନ ଗଲା, ଗତକାଲି ୨ ଜଣଙ୍କ ଜୀବନ ଯାଇଥିଲା

ରେଢାଖୋଲ: ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ବନଖଣ୍ଡ ଅଞ୍ଚଳରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ଗତକାଲି ଭାଲୁ ଦୁଇଜଣଙ୍କ ଜୀବନ ନେଇଥିବା ବଳେ ଆଜି ଆଉ ଜଣଙ୍କ ଜୀବନ ନେଇଛି। ଭାଲୁ ଆକ୍ରମଣରେ ଆଜି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି।  ମୃତ ଯୁବକଙ୍କ ନାମ ସୁର ନାଏକ(୨୨)ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ଗାଁ ନିକଟରେ ଥିବା ଜଙ୍ଗଲକୁ ସୁର ନାଏକ ଓ ଅଗସ୍ତି ନାଏକ ଯାଇଥିଲେ। ଏହି ସମୟରେ ହଠାତ ସେଠାକୁ ଏକ ଭାଲୁ ଚାଲି ଆସି ସୁର ଓ ଅଗସ୍ତିଙ୍କ ଉପରେ ଆକ୍ରମଣ କରିଥିଲା। ସୁର ନାଏକ ଭାଲୁ ଆକ୍ରମଣର ଶିକାର ହୋଇଥିବା ବେଳେ ଅଗସ୍ତି ନାଏକ ଘଟଣାସ୍ଥଳରୁ ଜୀବନ ନେଇ ଦୌଡ଼ିଦୌଡ଼ି ଗାଁକୁ ଚାଲି ଆସିଥିଲେ ଏବଂ ଗ୍ରାମବାସୀଙ୍କୁ ଭାଲୁ ଆକ୍ରମଣର ଖବର ଦେଇଥିଲେ। ମାତ୍ର ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସୁରଙ୍କର ମୃତ୍ୟୁ ହୋଇଯାଇଥିଲା।

ଉଲ୍ଳେଖଯୋଗ୍ୟ, ସେହିପରି ଗତକାଲି ରେଢାଖୋଲ ବନଖଣ୍ଡ ଅନ୍ତର୍ଗତ ବଡ଼ବାହାଲ ରେଞ୍ଜର ବଣିଆବନ୍ଧ ଗାଁର ଚେରୁ ମୁଣ୍ଡା, କୃଷ୍ଣ ମୁଣ୍ଡା, ଅଶାଢୁ ମୁଣ୍ଡା, ସୁବର୍ଣ୍ଣ ମୁଣ୍ଡା ଓ ସୁବଳ ମୁଣ୍ଡା ମହୁ ଖାଇବା ପାଇଁ ଗାଁ ନିକଟରେ ଥିବା ଜଙ୍ଗଲକୁ ଯାଇଥିଲେ। ସେମାନେ ଜଙ୍ଗଲ ଭିତରେ ମହୁ ଖୋଜୁ ଥିବା ବେଳେ ଭାଲୁ ହାବୁଡ଼ରେ ପଡ଼ିଯାଇଥିଲେ। ତେବେ ଚେରୁ, କୃଷ୍ଣ ଓ ଅଶାଢୁ ଆଗରେ ଚାଲୁଥିବାରୁ ସେମାନେ ଭାଲୁ ସହିତ ମୁହାଁମୁହିଁ ହୋଇଥିଲେ।

ମାତ୍ର ଏତିକି ବେଳେ ସୁବର୍ଣ୍ଣ ଓ ସୁବଳ ସାଙ୍ଗମାନଙ୍କୁ ସାହାଯ୍ୟ କରିବା ବଦଳରେ ନିଜ ଜୀବନକୁ ବଞ୍ଚାଇବା ପାଇଁ ଗଛକୁ ଚଢ଼ି ଯାଇଥିଲେ। ରକ୍ତମୁଖା ଭାଲୁ ସହିତ ଚେରୁ, କୃଷ୍ଣ ଓ ଅଶାଢୁ ଦୀର୍ଘ ସମୟ ଲଢ଼େଇ ଜାରି ରଖିଥିଲେ। କିନ୍ତୁ ଶେଷରେ ଚେରୁ ଓ କୃଷ୍ଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା। କିନ୍ତୁ ଉଭୟ ଚେରୁ ଓ କୃଷ୍ଣ ମରିବା ପୂର୍ବରୁ ଭାଲୁର ଜୀବନ ନେଇଥିଲେ। ଭାଲୁ ଆକ୍ରମଣରୁ ବର୍ତ୍ତିଯାଇଥିବା ଅଶାଢୁଙ୍କୁ ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର