ଖାଇ ସାରିବା ପରେ ବାହାରକୁ ଯାଇଥିଲେ ବୃଦ୍ଧ, ଭାଲୁ ଆକ୍ରମଣର ହେଲେ ଶିକାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ହଳଦି ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ବୃଦ୍ଧ ଜଣକ ହଳଦି ଗ୍ରାମର ନରସିଂ ଜାନି (୫୨) ବୋଲି ଜଣାପଡ଼ିଛି।

ସୋମବାର ଏନେଇ ମୃତ ନରସିଂ ଜାନିର ପୁଅ ଗଣେଶ ଜାନି ଡାବୁାଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି ଏକ ମାମଲା ରୁଜୁ କରିଛି। ଏବଂ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ସୂଚନାଯୋଗ୍ୟ, ଡାବୁଗାଁ ଥାନା ଚଚରାଗୁଡା ପଞ୍ଚାୟତ ଅନ୍ତର୍ଗତ ହଳଦି ଗ୍ରାମରେ ନରସିଂ ଜାନି (୫୨) ଗତକାଲି ରାତି ୮ଟରେ ଖାଇ ସାରିବା ପରେ ନିକଟସ୍ଥ ଜମିକୁ ବୁଲିବାକୁ ଯାଇଥିଲା। କିନ୍ତୁ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ କାହା ଘରେ ରହି ଯାଇଥିବା ଭାବି ଧୀର ହୋଇ ଯାଇଥିଲେ। ଆଜି ସକାଳେ ଘରଠାରୁ ୪୦୦ ମିଟର ଦୂର ଏକ କାଜୁ ବାଡିରେ ନରସିଂ ଜାନିଙ୍କୁ କ୍ଷତ ବିକ୍ଷତ ଅବସ୍ଥାରେ ପଡ଼ିଥିବା ଗ୍ରାମବାସୀ ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ପରିବାଲୋକ କାଜୁ ବାଡିକୁ ଯାଇ ଦେଖିଲା ବେଳକୁ ନରସିଂଙ୍କ ପେଟରେ, ବାମ ଗୋଡରେ ଓ ଅଣ୍ଟାରେ ଭାଲୁ ଆକ୍ରମଣ କରିଥିଲା। ଅଳ୍ପ ଶ୍ୱାସକ୍ରିୟା ଚଲୁଥିବା ଦେଖି ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ଡାବୁଗାଁ ମେଡିକାଲକୁ ଆଣିଥିଲେ, କିନ୍ତୁ ଡାକ୍ତର ନରସିଂକୁ ମୃତ ବୋଲି ଘୋଷଣା କରିଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ବନବିଭାଗ କାର୍ଯ୍ୟାଳୟ ତରଫରୁ ଭାଲୁ ଆକ୍ରମଣରେ ମୃତ ନରସିଂର ପରିବାକୁ ଶୁଦ୍ଧକ୍ରିୟା ପାଇଁ ୧୦ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର