ଭାଲୁ ଆକ୍ରମଣରେ ମହିଳା ଗୁରୁତର

ଲଖନପୁର : ଲଖନପୁର ବ୍ଲକ ସଦର ପଞ୍ଚାୟତ ପିକୋଲ ମୌଜା ଅନ୍ତର୍ଗତ ଝାମ୍ପିଦରହପଡ଼ାର ଜଣେ ମହିଳା ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସୂଚନା ଅନୁଯାୟୀ ପିକୋଲ ଜଙ୍ଗଲ ଭିତରେ ଥିବା ଝାମ୍ପିଦରହପଡ଼ାର ୫୦ ବର୍ଷୀୟା ମହିଳା ମାଗ୍ରୀତା ମୁଣ୍ଡୁ ମଙ୍ଗଳବାର ସକାଳ ସାଢେ଼ ଆଠଟା ସମୟରେ ଚାଷ ଜମିରୁ କାର୍ଯ୍ୟ ଶେଷ କରି କିଛି ଗାଈଗୋରୁଙ୍କୁ ଜମି ଉପରେ ଥିବା ଜଙ୍ଗଲକୁ ନେଉଥିବା ବେଳେ ହଠାତ ଗଛ ଉହାଡ଼ରୁ ୩ଟି ଭାଲୁ ବାହାରି ତାଙ୍କ ଉପରେ ଅଚାନକ ଆକ୍ରମଣ କରିଥିଲେ। ସେମାନଙ୍କ ମଧ୍ୟରୁ ବଡ଼ ଭାଲୁଟି ମାଗ୍ରୀତାଙ୍କ ଡ଼ାହାଣ ହାତ କହୁଣୀ ଉପରେ କାମୁଡ଼ି ପୁଳାଏ ମାଂସ ଟାଣି ପକାଇଥିଲା। ପତ୍ନୀଙ୍କୁ ଭାଲୁଙ୍କ ଆକ୍ରମଣ ଦେଖି ପାଖ ଜମିରେ କରିଥିବା ଚାଷରେ ଔଷଧ ସିଞ୍ଚନ କରୁଥିବା ସ୍ୱାମୀ ବାର୍ଣାବାସ ମୁଣ୍ଡୁ ଦଉଡ଼ି ଆସିବାରୁ ତିନି ଭାଲୁ ଜଙ୍ଗଲକୁ ପଳାଇ ଯାଇଥିଲେ। ଭାଲୁ ଆକ୍ରମଣ ସମ୍ପର୍କରେ ଖବର ପାଇ ପିକୋଲ ୱାର୍ଡ ସଭ୍ୟ ତଥା ଲଖନପୁର  ପଞ୍ଚାୟତ ନାଏବ ସରପଞ୍ଚ ଈଶ୍ୱର ବନଛୋର ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଗୁରୁତର ଆହତ ମହିଳାଙ୍କୁ ଲଖନପୁର ଗୋଷ୍ଠୀ କେନ୍ଦ୍ରକୁ ଆଣିଥିଲେ। ତେବେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେ ସମୟରେ ଆହତ ମହିଳାଙ୍କ ଚିକିତ୍ସା ପାଇଁ କୌଣସି ଡାକ୍ତର ନଥିବାରୁ ସେଠାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। ଲଖନପୁର ଅଞ୍ଚଳରେ ପ୍ରତିବର୍ଷ ଏଭଳି ଗୋଟିଏ ଦୁଇଟି ଭାଲୁ କାମୁଡ଼ା ଘଟଣା ଘଟୁଥିବାରୁ ଏହାର ପ୍ରତିକାର ପାଇଁ ଜଙ୍ଗଲ ବିଭାଗ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର