ଜୟପୁର: ଆଜି ଭୋରରେ ଜୟପୁର ବିମାନବନ୍ଦର ଅଂଚଳରେ ଗୋଟିଏ ଭାଲୁ ବୁଲୁଥିବା ଖବର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ଗତ ଦୁଇ ଦିନ ହେବ ସହରର ପାର୍ଶ୍ବରେ ଥିବା ରେଳଷ୍ଟେସନ ଓ ବିମାନବନ୍ଦର ଅଂଚଳରେ ଗୋଟିଏ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି। ଏହା ସହ ଭାଲୁ ବୁଲୁଥିବା ଭିଡିଓ ବି ଭାଇରାଲ ହୋଇଛି। ଆଜି ଭୋର ୫ଟା‌ ବେଳେ ଜୟପୁର ବିମାନବନ୍ଦର ପାର୍ଶ୍ବ ଦେଇ ଭାଲୁଟି ଆସିଥିଲା। ସେଠାରେ ବିଭିନ୍ନ ଉନ୍ନୟନ କାମରେ ନିୟୋଜିତ ଥିବା ଶ୍ରମିକ ମାନେ ଦେଖି ପାଟି କରିବା ସହ ଏହାର ଭିଡିଓ ଚିତ୍ର ଉତ୍ତୋଳନ କରିଥିଲେ।

Advertisment

ଭାଲୁଟି ବିମାନବନ୍ଦର ମଧ୍ୟକୁ ପଶିବା ପୂର୍ବରୁ ଦେଖିଥିଲେ। ଏବଂ ଚାରି ପାର୍ଶ୍ବରେ ପାଚେରୀ ଥିବାରୁ ଭାଲୁଟି ବିମାନବନ୍ଦର ମଧ୍ୟକୁ ଯାଇ ପାରିନଥିଲା। ସେଭଳି ଗତ କାଲି ସଂଧ୍ୟାରେ ଜୟପୁର ରେଳଷ୍ଟେସନରେ ଥିବା ଟ୍ରାକ ମଧ୍ୟରେ ଭାଲୁ ବୁଲୁଥିବା ଲୋକେ ଦେଖିଥିଲେ। ଏ ନେଇ ଜୟପୁର ବନାଂଚଳ ଅଧିକାରୀ ସବ୍ୟସାଚ୍ଚୀ ପରିଡ଼ା ସୂଚନା ପାଇଥିବା କହିଛନ୍ତି। ଏହି ଭାଲୁକୁ ଜଙ୍ଗଲମଧ୍ୟକୁ ତଡ଼ି ନେବା ପାଇଁ ପ୍ରୟାସ କରାଯାଉଛି ବୋଲି କହିଛନ୍ତି ବନାଂଚଳ ଅଧିକାରୀ। ଜଙ୍ଗଲରୁ କାହିଁକି ଓ କେଉଁ ସ୍ଥିତିରେ ଭାଲୁଟି ଜନବସତି ମୁହାଁ ହେଉଛି ତାହାକୁ ନେଇ  ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।