ଜୟପୁର: ଗତ ସପ୍ତାହକ ହେବ ଜୟପୁର ବ୍ଲକ ଅର୍ନ୍ତଗତ ଆମ୍ବାଗୁଡା ପଂଚାୟତ, ହାଡିଆ ପଂଚାୟତର ସିନ୍ଧିଗାଁ, ହାଡିଆ, ପୁଟ୍ରା, ତେଲିଆ, ବଡ ମଣ୍ଡାପଦର, ସାନମଣ୍ଡାପଦର ଆଦି ଅଂଚଳରେ ୪ଜଣିଆ ଭାଲୁପଲ ବୁଲୁଥିବା ଦେଖିବାକୁ ମିଳିଛି। ଏହି ଭାଲୁପଲ ଆଜି ସକାଳୁ କୁମୁଲିପୁଟ ପଂଚାୟତର ଡୁଟିଗୁଡା ଅଂଚଳରେ ବୁଲୁଥିବା ଲୋକେ ଦେଖିଥିଲେ। ଭାଲୁ ସଂଧ୍ୟା ନଇଁବା ମାତ୍ରକେ ବାହାରି ରାସ୍ତା ଅତିକ୍ରମ କରିବା ସହ ଅଖୁ ବାଡ଼ରେ ପସି ପସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ସିନ୍ଧିଗାଁରେ ରମେଶ ସାହୁଙ୍କ ୪ଏକର ଆଖୁ କିଆରିରେ ଭାଲୁ ପଶି ନଷ୍ଟ କରିଥିବା ବେଳେ ଅନ୍ୟ କିଛି ଚାଷୀଙ୍କର ବି ନଷ୍ଟ କରିଥିବା କହିଛନ୍ତି ଚାଷୀ ରମେଶ। ଏ ନେଇ ଜୟପୁର ବନାଂଚଳ ଅଧିକାରୀ ସଚିନନ୍ଦନ ପରିଡ଼ା ସୂଚନା ପାଇବା ପରେ ୨ଟି ଟିମ୍ ଆଦି ଖବର ପାଇ ଭାଲୁକୁ ଘଉଡାଇବାକୁ ଯାଇଥିଲେ। ଭାଲୁର ଗତିବିଧିକୁ ଲକ୍ଷ୍ୟ କରିବା ସହ ଭାଲୁକୁ ଗାଁ ନିକଟରୁ ଘଉଡାଇବା ପାଇଁ ଏମାନଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା। ଭାଲୁ ପଲ ଗୁଡିକ ଜୟପୁର ବନାଂଚଳ ଓ ବୋରିଗୁମ୍ମା ବନାଂଚଳରେ ବୁଲୁଛନ୍ତି।

Advertisment

ଜୟପୁର ଓ ବୋରିଗୁମ୍ମା ବନାଂଚଳର ୨ଟି ଲେଖାଏଁ ଦଳ ନିଜ ନିଜ ଅଂଚଳରେ ପଇଁତାରା ମାରୁଥିବା କହିଛନ୍ତି ବନାଂଚଳ ଅଧିକାରୀ। ଭାଲୁପଲ କେଉଁ ଅଂଚଳରେ ରହିଛନ୍ତି ତାହା ସ୍ପଷ୍ଟ ହୋଇ ନଥିଲେ ହେଁ ୨ଟି ରେଂଜର ୪ଟି ଟିମ୍ ଖୋଜି ବୁଲୁଥିବା କହିଛନ୍ତି ବନାଂଚଳ ଅଧିକାରୀ। ପସଲ କ୍ଷତି ହୋଇଥିବା ଚାଷୀ ଶ୍ରୀ ସାହୁଙ୍କର ଜମିରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହା ଆସନ୍ତାକାଲି ସକାଳୁ ଆକଳନ କରି ଫଟୋ ଉଠାଇ ବିଭାଗକୁ ଅନୁକମ୍ପାରାଶି ଦେବା ପାଇଁ ସେ ଜଣାଇବେ ବୋଲି କହିଛନ୍ତି ବନାଂଚଳ ଅଧିକାରୀ। ଗତ କିଛି ମାସ ତଳେ ବି ଭାଲୁ ଜୟପୁର ରେଳଷ୍ଟେସନ ଓ ଜୟପୁର ବିମାନବନ୍ଦର, ସଉରାଗୁଡା ,ଗାଗନପୁର, ଏକମ୍ବା ଅଂଚଳରେ ବୁଲୁଥିବା ଲୋକେ ଦେଖିଥିଲେ। ତେବେ ପ୍ରଥମ କରି ଏତେ ବଡ଼ ଭାଲୁପଲ ବୁଲୁଥିବାରୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସଂଧ୍ୟା ନଇଁବା ମାତ୍ରକେ ଆମ୍ବାଗୁଡାରୁ ହାଡିଆ, ତେଲିଆ,ସାନ ଓବନ ମଣ୍ଡାପଦର, ପୁଟ୍ରା ଆଦି ଗାଁକୁ ଲୋକେ ଯିବା ଆସିବା କରିବାକୁ ଭୟ ପ୍ରକାଶ କରୁଛନ୍ତି। ଏପରିକି ଘରର ତାଟି କବାଟ ବି ପକାଇ ରହୁଛନ୍ତି।