ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଡାକ୍ତରଖାନାରେ ମଙ୍ଗଳବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଚିକିତ୍ସାରେ ଅବହେଳା ଯୋଗୁଁ ମୃତ୍ୟୁ ଘଟିଥିବା ଅଭିଯୋଗ କରି ମୃତକଙ୍କ ସମ୍ପର୍କୀୟମାନେ ଡାକ୍ତରଙ୍କୁ ମାଡ଼ ମାରିଥିଲେ। ଏହି ଘଟଣାରେ ମୁରାରୀ ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି।

Advertisment

ପୁଲିସର ସୂଚନା ଅନୁସାରେ, ସ୍ଥାନୀୟ ନେହରୁ ନଗରର ନାରାୟଣ ହୋତା ରଥଯାତ୍ରା ଦେଖି ଘରକୁ ଫେରିବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ଆଣିଥିଲେ। ଆଉଟ୍‌ଡୋର୍‌ରେ ଉପସ୍ଥିତ ଡାକ୍ତର ବିଜୁ ଅଗ୍ରୱାଲ ତାଙ୍କ ଡ୍ୟୁଟି ଶେଷ ହୋଇଥିବାରୁ ଡ୍ୟୁଟିରେ ଆସିବାକୁ ଥିବା ଡାକ୍ତର କୃଷ୍ଣଚନ୍ଦ୍ର ପାଲଙ୍କୁ ସେ ଫୋନ୍‌କରି ରୋଗୀଙ୍କ ଚିକିତ୍ସା କରିବାକୁ ଡାକିଥିଲେ। ଡା. ପାଲ ଆସି ରୋଗୀଙ୍କ ଅବସ୍ଥା ଗୁରୁତର ଅଛି କହି ବଲାଙ୍ଗୀର ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର କରିବା ସମ୍ଭବ ନଥିବାରୁ ସମ୍ପର୍କୀୟଙ୍କ ଅନୁରୋଧରେ ଚିକିତ୍ସା ଆରମ୍ଭ କରିବାକୁ ଯାଉଥିବା ବେଳେ ତାଙ୍କ ମୃତ୍ୟୁ ଘଟିଥିଲା।

ଚିକିତ୍ସାରେ ଅବହେଳା ଅଭିଯୋଗ କରି ସଂପର୍କୀମାନେ ସମ୍ପୃକ୍ତ ଡାକ୍ତରଙ୍କୁ ମାଡ଼ ମାରିଥିଲେ। ଏହାକୁ ନେଇ ବୁଧବାର ଉଭୟ ପକ୍ଷ ଥାନାରେ ଅଭିଯୋଗ କରିଥିଲେ। ବାରମ୍ବାର ଡାକ୍ତରଙ୍କ ଉପରେ ଆକ୍ରମଣ ହେଉଥିବା ପ୍ରତିବାଦରେ ସମସ୍ତ ଡାକ୍ତର ଏକଜୁଟ ହୋଇ ସ୍ଥାନୀୟ ଉପଜିଲ୍ଲାପାଳ ଦୟାମୟ ପାଢ଼ୀଙ୍କୁ ସାକ୍ଷାତ କରିବା ସହ ଶବ ବ୍ୟବଚ୍ଛେଦ କରିବେ ନାହିଁ ବୋଲି କହି ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଥିଲେ। ଉପଜିଲ୍ଲାପାଳ ଶ୍ରୀ ପାଢ଼ୀ ଜିଲ୍ଲାପାଳ ଓ ସିଡିଏମ୍‌ଓଙ୍କୁ ଅବଗତ କରାଇଥିଲେ। ପରେ ଜିଲ୍ଲା ମୁଖ୍ୟାଳୟ ନିର୍ଦେଶରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଅପରପକ୍ଷରେ ମୃତକଙ୍କ ପରିଜନ ସମ୍ପୃକ୍ତ ଡାକ୍ତର ୨ଘଣ୍ଟା ବିଳମ୍ବରେ ଆସିବାରୁ ରୋଗୀଙ୍କ ମୃତ୍ୟୁ ଘଟିଛି ବୋଲି ଅଭିଯୋଗ କରିଛନ୍ତି। ଏନେଇ ଏସ୍‌ଡିପିଓ ଅଙ୍କିତା କୁମ୍ଭାର ଓ ଥାନାଧିକାରୀ ମନୋଜ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।