ବେଲପଡ଼ା: ମଦ ପିଇବାକୁ ମନା କରିବାରୁ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍ ରାଢ଼ବାହାଲ ଗାଁର ସଦାନନ୍ଦ କୁମ୍ଭାର (୩୫ବର୍ଷ) ନାମକ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ କରାଯାଇଛି। ଏନେଇ ସେ ବେଲପଡ଼ା ଥାନାରେ ଏତଲା ଦେଇଛନ୍ତି। ପୁଲିସରେ ହୋଇଥିବା ଅଭିଯୋଗ ଅନୁସାରେ, ସଦାନନ୍ଦଙ୍କୁ ତାଙ୍କ ଗାଁ ରାମକୃଷ୍ଣ କୁମ୍ଭାର ମଙ୍ଗଳବାର ମଧ୍ୟାହ୍ନ ୧୨ଟା ସମୟରେ ତାଙ୍କ ଘରୁ ଡାକିନେଇ ବାଇକ୍ ଯୋଗେ କଲଚିକଛାର ଛକକୁ ନେଇଥିଲେ। ସେହି ସ୍ଥାନରେ ତାଙ୍କ ଗାଁର ଅନ୍ୟ ଦୁଇଜଣ ବ୍ୟକ୍ତି ବୀରେନ୍ଦ୍ର କୁମ୍ଭାର ଓ ତାଙ୍କ ଭାଇ ନରେନ୍ଦ୍ର କୁମ୍ଭାର ଉପସ୍ଥିତଥିଲେ। ସେମାନେ ସମସ୍ତେ ମିଶି ସଦାନନ୍ଦଙ୍କୁ ମଦ ପିଆଇବାକୁ ଚେଷ୍ଟା କରିଥିଲେ।
କିନ୍ତୁ ସଦାନନ୍ଦ ତାଙ୍କ କଥା ନମାନିବାରୁ ରାମକୃଷ୍ଣ, ନରେନ୍ଦ୍ର ଓ ବୀରେନ୍ଦ୍ର ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ସଦାନନ୍ଦଙ୍କ କହିବା ଅନୁସାରେ, ସେମାନେ ତାଙ୍କୁ ରାସ୍ତାରେ ଉଲଗ୍ନ କରି ଠେଙ୍ଗାରେ ମାଡ଼ ମାରିଥିଲେ ଓ ତଣ୍ଟିକୁ ଚିପି ଦେଇଥିଲେ। ଫଳରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ। କଲଛିକଛାର ଗ୍ରାମର ଚେରୁ ନାମକ ଜଣେ ବ୍ୟକ୍ତି ତାଙ୍କୁ ପାଣି ପିଆଇବାରୁ ତାଙ୍କ ଚେତା ଫେରିଥିଲା। ପରେ ଏନେଇ ସଦାନନ୍ଦ ଥାନାରେ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ ଚାଲିଛି ବୋଲି ଆଇଆଇସି ରାଜେନ୍ଦ୍ର ବେହେରା ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/9-18.jpg)