ସୁନ୍ଦରଗଡ଼: ଦୋଛକିରେ ଭେଡ଼ାବାହାଲ ୪ ହଜାର ଉଚ୍ଚଶକ୍ତି ସମ୍ପନ୍ନ ତାପଜ ବିଦ୍ୟୁତ ପ୍ରକଳ୍ପ (ୟୁଏମପି)। ୨୦୧୩ରେ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ହୋଇଥିଲେ ମଧ୍ୟ ଏଯାଏ ପ୍ରକଳ୍ପ ପାଇଁ ମାଟି ଟେଳାଏ ପଡ଼ିନି। ଏପଟେ ସ୍ଥାନୀୟ ବିସ୍ଥାପିତ ନା ଘରକୁ ନା ବାହାରକୁସ୍ଥିତିରେ କଲବଲ ହେଉଛନ୍ତି। ତାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଆଜି ସମ୍ବଲପୁର ଠାରେ ରାଜସ୍ବ ଉନ୍ନୟନ ଆୟୁକ୍ତଙ୍କୁ ଭେଟି ତୁରନ୍ତ ଥଇଥାନ ଓ ପାରିପାର୍ଶ୍ବିକ ଉନ୍ନୟନ ଉପଦେଷ୍ଟା କମିଟି (ଆରପିଡିଏସି) ବୈଠକ ଡାକିବାକୁ ଅନୁରୋଧ କରିଛନ୍ତି। ୨୦୦୮ରେ ସୁନ୍ଦରଗଡ଼ ବ୍ଲକ୍ ଭେଡ଼ାବାହାଲ ଠାରେ ୪ ହଜାର ଉଚ୍ଚଶକ୍ତି ସମ୍ପନ୍ନ ତାପଜ ବିଦ୍ୟୁତ ପ୍ରକଳ୍ପ (ୟୁଏମପି) ପାଇଁ ନିଷ୍ପତ୍ତି ପରେ ଲଙ୍କାହୁଡ଼ା ପଞ୍ଚାୟତର ଲଙ୍କାହୁଡ଼ା, କୋପସିଂହା, ରୂପିଡିହି ଗାଁ ସମ୍ପୂର୍ଣ୍ଣ ଓ ଭେଡ଼ାବାହାଲ, କନ୍ଦାବାହାଲ ଓ କିରେଇ ଆଂଶିକ ୨୭୩୩.୫୪୦ ଏକର ଜମି ଅଧିଗ୍ରହଣ ହୋଇଛି। ଚାଷ ଜମି ଅଧିଗ୍ରହଣ ପରେ ସେଥିର କ୍ଷତିପୂରଣ ବି ଦିଆଯାଇଛି। କିନ୍ତୁ ଘରବାଡ଼ି, ଗଛ, କୂଅର କ୍ଷତିପୂରଣ ଦିଆଯାଇ ନାହିଁ। ଜମି ନେଲା ବେଳେ ଜିଲ୍ଲା ପ୍ରଶାସନ ଆକର୍ଷଣୀୟ ଥଇଥାନର ସ୍ବପ୍ନ ଦେଖାଇଥିଲା। ବିସ୍ଥାପିତ ପରିବାରର ଯୋଗ୍ୟ ସଦସ୍ୟସଦସ୍ୟାଙ୍କୁ ଚାକିରି, କଲୋନିରେ ଘର, ୧୦ ଡିସିମିଲ ଡିହ ସହ ଜୀବନଜୀବିକା, ଶିକ୍ଷା, ସ୍ବାସ୍ଥ୍ୟ, ସଂସ୍କୃତି, ସାମାଜିକ କଲ୍ୟାଣର ମାଳମାଳ ପ୍ରତିଶ୍ରୁତି। କିନ୍ତୁ ଏଯାଏ ପ୍ରକଳ୍ପ ପ୍ରତିଷ୍ଠା ହୋଇ ନଥିବା ବେଳେ ପ୍ରତିଶ୍ରୁତି ବି ସେମିତି ଝୁଲି ରହିଛି। ବିଶେଷ କରି ପ୍ରକଳ୍ପ ହାତକୁ ଜମି ଚାଲି ଯାଇଥିବାରୁ ବିସ୍ଥାପିତ ଗାଁରେ ସରକାରଙ୍କ ଉନ୍ନୟନ କାର୍ଯ୍ୟରେ ରୋକ୍ ଲଗାଯାଇଛି। ପ୍ରଶାସନ ପ୍ରକଳ୍ପକୁ ଆଳ କରି ଏସବୁ ଗାଁରୁ ମୁହଁ ଫେରାଇ ନେଇଛି। ରାସ୍ତାଘାଟ, ଶିକ୍ଷାନୁଷ୍ଠାନ ଗୃହ ଦଦରା ଅବସ୍ଥାକୁ ଚାଲି ଯାଇଥିଲେ ମଧ୍ୟ ସେସବୁ ମରାମତି ପାଇଁ ଆଗ୍ରହ ପ୍ରକାଶ କରୁ ନାହିଁ। ଏପରିକି ମାଟିକୁଡ଼ିଆ ଘରକୁ ବିଜୁ ପକ୍କା ଘର ବା ପ୍ରଧାନମନ୍ତ୍ରୀ ଆବାସ ଦିଆଯାଉ ନାହିଁ। ନୂଆ ରାସନକାର୍ଡ ଦେବାକୁ ମନା କରିଦିଆଯାଇଛି। ଜମିବାଡ଼ି ସମ୍ପର୍କିତ କୌଣସି କାର୍ଯ୍ୟ ହୋଇପାରୁ ନାହିଁ। ଏସ୍ଥିତିରେ ଲୋକେ ଅତ୍ୟାବଶ୍ୟକ ସୁବିଧା ପାଇଁ ପ୍ରଶାସନକୁ ଗୁହାରି କରି କରି ଥକି ପଡ଼ିଲେଣି।