ରାଉରକେଲା: ନୂଆ ରୂପ ପାଇବ ଐତିହାସିକ ବେଦବ୍ୟାସୀ ପୀଠ। କୋଏଲ ଓ ଶଙ୍ଖ ନଦୀକୂଳରେ ଅବସ୍ଥିତ ବେଦବ୍ୟାସ ପୀଠର ନବକଳେବର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଠାରେ ଥିବା ମନ୍ଦିର ଓ ପରିସରର ସେନ୍ଦର୍ଯ୍ୟୀକରଣ, ଉନ୍ନତିକରଣ ପାଇଁ ପ୍ରାୟ ୩୫ କୋଟି ବ୍ୟୟ ଅଟକଳ ରଖାଯାଇଛି। ଏନେଇ ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର୍‌) ପ୍ରସ୍ତୁତ ହୋଇସାରିଛି। ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଏନେଇ ଆନୁଷ୍ଠାନିକ ଘୋଷଣା କରିବେବୋଲି ସୂଚନା ମିଳିଛି। ଗତ ଜାନୁଆରୀ ୧୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ବେଦବ୍ୟାସ ପୀଠ ଗସ୍ତକରି ଏହାର ବିକାଶ ପାଇଁ ପରାମର୍ଶ ଦେଇଥିଲେ। ଦୁଇ ସପ୍ତାହ ଭିତରେ ଡିପିଆର୍‌ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।
Advertisment
ସୂଚନା ଅନୁସାରେ, ଏଠାରେ ଥିବା ବିଭିନ୍ନ ମନ୍ଦିରର ଉନ୍ନତି କରାଯିବ। ଏଠାରେ ଥିବା ବାବା ଶ୍ରୀ ଚନ୍ଦ୍ରଶେଖର ମନ୍ଦିର ଓ ବାବା ଶ୍ରୀ ବାଲୁଙ୍କେଶ୍ବର ମନ୍ଦିର ଭବ୍ୟ ରୂପ ଦିଆଯିବ। ପୀଠରେ ଥିବା ହନୁମାନ ମନ୍ଦିରକୁ ସ୍ଥାନାନ୍ତର କରାଯିବା ସହ ନୂତନ ମନ୍ଦିର ନିର୍ମାଣ କରାଯିବ। ଏହାସହ କାଶୀ ବିଶ୍ବନାଥ ମନ୍ଦିର ସ୍ଥାନାନ୍ତରଣ ଓ ନୂତନ ମନ୍ଦିର ସ୍ଥାପନ ସମେତ ଅଖଣ୍ଡ ହରିମାନ ସଂକୀର୍ତ୍ତନ ମଣ୍ଡପ ସ୍ଥାନାନ୍ତର ଓ ନୂତନ ମଣ୍ଡପ ନିର୍ମାଣ, ଏକ ଅତିରିକ୍ତ ବିଶାଳ ମଣ୍ଡପ ନିର୍ମାଣ କରାଯିବ। ଏମିତିକି ଭୋଗମଣ୍ଡପ, ବ୍ୟାସ ଗୁମ୍ଫା, ଜଗନ୍ନାଥ ମନ୍ଦିର, ଶ୍ରୀରାମ ଦରବାର, ସରସ୍ବତୀ ମନ୍ଦିରର ଉନ୍ନତି କରିବାକୁ ନିଷ୍ପତ୍ତି ନିଆଯାଇଛି। କେବଳ ଏମିତିକିରେ ସୀମିତ ନୁହେଁ ବିକାଶ; ବରଂ ବେଦବ୍ୟାସ ମନ୍ଦିର ଚାରିକଡ଼େ ସୁଉଚ୍ଚ ପାଚେରୀ ନିର୍ମାଣ ସମେତ ବେଦବ୍ୟାସ ଟ୍ରଷ୍ଟ୍‌ ବୋର୍ଡର ନୂତନ କାର୍ଯ୍ୟାଳୟ, ଶ୍ରଦ୍ଧାଳୁଙ୍କ ପାଇଁ ଆଶ୍ରୟସ୍ଥଳ, ଯାତ୍ରୀନିବାସ, ଗାଧୁଆଘର, ଶୌଚାଳୟ, ସ୍ବର୍ଗଦ୍ବାର, ନଦୀପଠା ସୌର୍ନ୍ଦ୍ୟୀକରଣ କରାଯିବ। ନୂଆ ରୂପ ପାଇବାପରେ ପୌରାଣିକ ଐତିହ୍ୟ ବହନ କରୁଥିବା ବେଦବ୍ୟାସ ପୀଠ ଅଧିକ ଆକର୍ଷଣୀୟ ହୋଇପାରିବ। ଉଲ୍ଲେଖଯୋଗ୍ୟ, ଗତ ହକି ବିଶ୍ବକପ ପୂର୍ବରୁ ବେଦବ୍ୟାସ ପୀଠରେ ଏକାଧିକ ସେନ୍ଦର୍ଯ୍ୟୀକରଣ ପ୍ରକଳ୍ପ ହାତକୁ ନିଆଯାଇଥିଲା। ଏଠାରେ ଏକ ସୁସଜ୍ଜିତ ଓ ମନୋରମ ପାର୍କ ନିର୍ମାଣ ସମେତ ମହର୍ଷି ବ୍ୟାସଦେବ ଓ ଗଣେଶଙ୍କ ମୂର୍ତ୍ତି ସ୍ଥାପିତ ହୋଇଥିଲା। ଏହାସହ ପାଦଚଳା ରାସ୍ତା, ଆଲୋକୀକରଣ ଆଦି କରାଯାଇଥିଲା।