ସଭା ଚାଲିଥିବା ବେଳେ ଆକ୍ରମଣ କଲେ ବଣୁଆ ମହୁମାଛି; ଜର୍ଜ ତିର୍କୀଙ୍କ ସମେତ ଅନେକ ନେତା ଓ କର୍ମୀ ସଭାସ୍ଥଳ ଛାଡ଼ି ପଳାଇଲେ

ରାଉରକେଲା: ବୁଧବାର ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ବିଏସ୍‌ଏଲ୍‌ ଡାକ ବଙ୍ଗଳା ସମ୍ମୁଖ ପଡ଼ିଆରେ ଦିନ ୧୧ଟାରେ କଂଗ୍ରେସର ସାଙ୍ଗଠନିକ କର୍ମୀ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀ ଚାଲିବାର ଅଧାଘଣ୍ଟା ପରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା। ସମ୍ମିଳନୀ ଭିତରକୁ ହଠାତ କେଉଁ ଆଡ଼ୁ ବଣୁଆ ମହୁମାଛି ମାଡ଼ି ଆସିଥିଲେ। ବଣୁଆ ମହୁମାଛିଙ୍କୁ ଦେଖି ସଭାସ୍ଥଳରେ ଉପସ୍ଥିତ ଥିବା ନେତା ଓ କର୍ମୀ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। କେହିକେହି ପାଖରେ ଥିବା ଗାମୁଛା ଓ ଚାଦରକୁ ନିଜ ଉପରେ ଘୋଡ଼ାଇ ଦେଇଥିବା ସହିତ କେହିକେହି ତଳେ ଶୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ସଭାସ୍ଥଳରେ ଏହି ବଣୁଆ ମହୁମାଛି ଆକ୍ରମଣରେ ୧୦ଜଣ ଆହତ ହୋଇଥିବା ଜଣାପଡ଼ିଛି।

ଆଜି ବିଏସ୍‌ଏଲ୍‌ ଡାକ ବଙ୍ଗଳା ପଡ଼ିଆରେ ଚାଲିଥିବା କଂଗ୍ରେସର କର୍ମୀ ସମ୍ମିଳନୀରେ ପୂର୍ବତନ ବିଧାୟକ ଜର୍ଜ ତିର୍କୀ, ତାଙ୍କ ପୁଅ ଜୋସେଫ ତିର୍କୀ ଓ ସ୍ଥାନୀୟ ବରିଷ୍ଠ ନେତାଙ୍କ ସମେତ ଅନେକ ନେତା ଓ କର୍ମୀ ଉପସ୍ଥିତ ଥିଲେ। ବଣୁଆ ମହୁମାଛି ଆକ୍ରମଣ ଦେଖି ଉପସ୍ଥିତ ନେତା ଓ କର୍ମୀ ଛତ୍ରଭଙ୍ଗ ଦେଇ ସେ ସ୍ଥାନରୁ ଚାଲି ଯାଇଥିଲେ। ସଭାକୁ କିଛି ସମୟ ପାଇଁ ବନ୍ଦ କରାଯାଇଥିଲା। ପରେ ସଭାସ୍ଥଳକୁ ପରିବର୍ତ୍ତନ କରାଯାଇ ପୁର୍ନବାର ପୁଣି ବିଏସ୍‌ଏଲ୍‌ ଡାକ ବଙ୍ଗଳାରେ ଆରମ୍ଭ କରାଯାଇଥିଲା।

ସମ୍ବନ୍ଧିତ ଖବର