ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ପୁଲିସ ୩୦ କିଲୋ ଗ୍ରାମ ଗୋମାଂସ ଜବତ କରିବା ସହିତ ଏକ ଆଲଟୋ କାରକୁ ମଧ୍ୟ ଜବତ କରିଛି। ସୂଚନା ଅନୁଯାୟୀ ଆଜି କୁଡୁମୀ ସେନା ପକ୍ଷରୁ ୬ ଘଣ୍ଟିଆ ବନ୍ଦ ପାଳନ କରୁଥିବା ସମୟରେ ଏକ ଆଲଟୋ କାର ଦ୍ରୁତଗତିରେ ପଳାଉଥିଲା। ତେବେ କୁଡୁମୀସେନାର କର୍ମୀମାନେ ଉକ୍ତ କାରକୁ ଅଟକାଇଥିଲେ। କାର ଚାଳକ ଜଣକ ଖସି ପଳାଇବାକୁ ଚେଷ୍ଟା କରୁଥିବା ସମୟରେ କର୍ମୀମାନେ ତାଙ୍କୁ ଅଟକାଇ କାରର ଯାଞ୍ଚ କରିଥିଲେ। ସେଥିରେ ଅଖାରେ ଗୋମାଂସ ଥିବା ଦେଖି ପୁଲିସକୁ ଖବର ଦେଇଥିଲେ।
ତେବେ କାରର ଚାଳକ ଓ କର୍ମୀମାନଙ୍କ ମଧ୍ୟରେ ବଚସା ହୋଇଥିଲା। ସେଥିରେ କାର ଚାଳକ ତଥା ଗୋମାଂସ ବ୍ୟବସାୟୀ ବଡାମକୁରାଡି ଗ୍ରାମର ସେକ୍ ସାମସୁଦ୍ଧିନଙ୍କ ପୁଅ ସେକ୍ ରାଜାଉଦ୍ଦୀନ୍(୨୪) ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତାଙ୍କ ଅବସ୍ଥା ସଂକଟ୍ଟାପନ୍ନ ହେବାରୁ ତାଙ୍କୁ ବାରିପଦାସ୍ଥିତ ପିଆରଏମ୍ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ରାଇରଙ୍ଗପୁର ଥାନାରେ ବେଆଇନ ଭାବେ ଗୋମାଂସ ଚାଲାଣ ଓ ପ୍ରାଣାନ୍ତକ ଆକ୍ରମଣ ପାଇଁ ଦୁଇଟି ପୃଥକ୍ ପୃଥକ୍ ମାମଲା ରୁଜୁ ହୋଇଛି। କାରରୁ ଜବତ ହୋଇଥିବା ୩୦ କିଲୋଗ୍ରାନ ଗୋମାଂସକୁ ପୋତିଦିଆଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/IMG20230321093954.jpg)