୧୦ ମାସ ହେଲା ପଙ୍ଗୁ ଜୀବନ; ଦୁଷ୍ମନ୍ତଙ୍କ ପାଇଁ ସମସ୍ତ ସରକାରୀ ଚିକିତ୍ସା ସହାୟତା ତୁଚ୍ଛ

କୁଜଙ୍ଗ: ଗତ ମାର୍ଚ୍ଚ ୨୦୨୦ରେ ଏକ ସଡ଼କ ଦୁର୍ଘଟଣା କୁଜଙ୍ଗ ଥାନା ପଙ୍କପାଳ ଗ୍ରାମର ଦାଶରଥି ଦାସଙ୍କ ପୁତ୍ର ଦୁଷ୍ମନ୍ତଙ୍କୁ ଗୁରୁତର ଆହତ ଅବସ୍ଥାରେ ପ୍ରଥମେ ମଣିଜଙ୍ଗା ଓ ପରେ କଟକ ନିଆଯାଇଥିଲା। ଗୋଡ଼ର ଆଣ୍ଠୁ ତଳକୁ ମାଂସ ଛିଡ଼ି ଯାଇ ଗଭୀର କ୍ଷତ ହୋଇଥିଲା। ସେଠାରେ ଡାକ୍ତର ତ୍ରୁଟିପୂର୍ଣ୍ଣ ଚିକିତ୍ସା କରିବା ସହିତ କୋଭିଡ୍‌ ଆଳରେ ଘରକୁ ପଠାଇ ଦେଇ କୋଭିଡ୍‌ ସରିବା ପରେ ତାଙ୍କୁ ପୁଣି ଆସି ଚିକିତ୍ସା କରାଇବାକୁ ପରାମର୍ଶ ଦେଇଥିଲେ। ମାତ୍ର ଏବେ ସେ କଟକ ବଡ଼ ଡାକ୍ତରଖାନାକୁ ଦୌଡ଼ି ନିରାଶ ହୋଇ ଘରକୁ ଫେରିଛନ୍ତି। ଏପରିକି ବଡ଼ଡାକ୍ତରଖାନାରେ ଚିକିତ୍ସିତ କାରଣରୁ ଓ ଆର୍ଥିକ ସମସ୍ୟା କାରଣରୁ ଘରୋଇ ହସ୍‌ପିଟାଲ ଡାକ୍ତର ମଧ୍ୟ ନିରାଶ ବାଣୀ ଶୁଣାଇଛନ୍ତି। ତାଙ୍କ ବାମ ଗୋଡ଼ ସମ୍ପୂର୍ଣ୍ଣ ଅଚଳ। ଘରେ ବୃଦ୍ଧ ପିତାମାତା, ପତ୍ନୀ ଓ ୨ ବର୍ଷ କନ୍ୟା ତାଙ୍କ ଉପରେ ନିର୍ଭରଶୀଳ ଓ ସମ୍ପୂର୍ଣ୍ଣ ଅସହାୟ। କେନ୍ଦ୍ର ସରକାର ଓ ରାଜ୍ୟ ସରକାରୀ ସ୍ବାସ୍ଥ୍ୟ ସେବାପାଇଁ ବିଭିନ୍ନ ଯୋଜନା ତାଙ୍କ ପାଇଁ ଉପହାସ ପାଲଟିଛି ବୋଲି ଶଯ୍ୟାଶାୟୀ ଦୁଷ୍ମନ୍ତ କ୍ଷୋଭ ପ୍ରକାଶ କରିଛନ୍ତି।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଆବେଦନ କରିଥିଲେ ମଧ୍ୟ ଦୁଷ୍ମନ୍ତଙ୍କୁ ବଡ଼ ମେଡ଼ିକାଲରେ ଉପଯୁକ୍ତ ଚିକିତ୍ସା ସେବା ମିଳିନଥିଲା ବୋଲି ସେ ସଂଗିନ ଅଭିଯୋଗ କରିଛନ୍ତି। ଡାକ୍ତର କହିଥିଲେ ଆଣ୍ଠୁରେ ଜଖମ ଥିଲା। ଠିକ୍‌ ହୋଇ ଯାଇଛି। ଲିଗାମେଂଟ ଅପରେସନ ହେଲେ ତୁମେ ଚାଲି ପାରିବ। କରୋନା ଭୂତାଣୁର ପ୍ରଭାବ କମିଲେ ଆସି ତୁମର ଅପରେସନ କରାଯିବ। ମାତ୍ର ୪ ମାସ ସେ କଟକ ୪ଥର ଆସି ଫେରିଲେ। ବଡ଼ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଗଲା ନାହିଁ କିମ୍ବା ଚିକିତ୍ସା କରାଗଲା ନାହିଁ। ଏପରିକି ବର୍ତମାନ ଚିକିତ୍ସା ପାଇଁ ୩ରୁ ୪ ଲକ୍ଷ ଟଙ୍କା ବ୍ୟୟ ହେବ ବୋଲି ଜଣେ ଡାକ୍ତର ପରାମର୍ଶ ଦେଇଥିଲେ। ଏହି ଅସହାୟ ପରିବାରର ଦୁର୍ଦ୍ଦଶା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯିବ କହି ଦୁଷ୍ମନ୍ତଙ୍କୁ ଜଗତସିଂହପୁର ‌ଡାକ୍ତରଖାନା ଓ ପରେ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦେଇଥିଲେ। ତେବେ ସେଠାରେ ଡାକ୍ତର ପୂର୍ବ ମତ ଦୋହରାଇ ଏଠାରେ ତାଙ୍କୁ ଭଲ କରାଯାଇ ପାରିବ ନାହିଁ କହି ଫେରାଇ ଦିଆଯାଇଥିଲା। ଘରକୁ ଫେରି ଦୟନୀୟ ଅବସ୍ଥାରେ ଶଯ୍ୟାରେ ପଡ଼ି ରହିଥିବା ଦୁଷ୍ମନ୍ତଙ୍କ ଚିକିତ୍ସା ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ତଥା ବ୍ୟକ୍ତି ବିଶେଷ ସହଯୋଗର ହାତ ବଢାଇବାକୁ ତାଙ୍କ ପରିବାର ପକ୍ଷରୁ ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର