ଗ୍ୟାସ୍‌ ଲିକ୍ ଘଟଣାକୁ ୪୮ଘଣ୍ଟା ବିତିଲା: ଆସିଲାନି ପ୍ରଶାସନ, ତେଜୁଛି ଅସନ୍ତୋଷ

କିଶନନଗର: କିଶନନଗର ବିଶ୍ୱାଳପଡ଼ାସ୍ଥିତ ମଣ୍ଟେଶ୍ୱରୀ ଶୀତଳ ଭଣ୍ଡାର ଗ୍ୟାସ୍‌ ଲିକ୍‌ ଘଟଣାକୁ ଇତିମଧ୍ୟରେ ୪୮ ଘଣ୍ଟା ବିତି ଯାଇଛି। ଗତକାଲି ପ୍ରଭାବିତ ଲୋକମାନେ କିଶନନଗର ତହସିଲଦାର ସୁଚେତା ମହାପାତ୍ରଙ୍କୁ ଭେଟି ସେମାନଙ୍କ ଧନଜୀବନର ସୁରକ୍ଷା ପାଇଁ ଦାବି କରିଥିଲେ। ହେଲେ, ପ୍ରଶାସନ ଆଜିସୁଦ୍ଧା ପ୍ରଭାବିତଙ୍କ ନିକଟରେ ପହଞ୍ଚି ନ ଥିବା ଜଣାଯାଇଛି। ଏ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ ଯେ ଗତ ୧୮ ତାରିଖ ରାତି ପ୍ରାୟ ୮ଟାରେ ଶୀତଳ ଭଣ୍ଡାରରୁ ବିଷାକ୍ତ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇଥିଲା। ଏହାକୁ ରୋକିବାରେ ଶୀତଳଭଣ୍ଡାର କର୍ତ୍ତୃପକ୍ଷ ବିଫଳ ହେବାରୁ ବିଷାକ୍ତ ଗ୍ୟାସ ଆଖପାଖ ଅଞ୍ଚଳକୁ ବ୍ୟାପୀ ଯାଇଥିଲା। ଫଳରେ ଲୋକଙ୍କ ଆଖି, ନାକ ପୋଡ଼ିବା, ବାନ୍ତିହେବା ଆଦି ଲକ୍ଷଣ ସହ ଲୋକମାନେ ଅଣନିଶ୍ୱାସୀ ହୋଇପଡ଼ିଥିଲେ। ସେହିପରି ଗୋରୁଗାଈ, ଛେଳିଙ୍କ ପାଟି ଓ ନାକରୁ ପ୍ରବଳ ଲାଳ ବାହାରଥିଲା।

ଗ୍ରାମର ୫୦ରୁ ଅଧିକ ଗୋରୁଗାଈ ଅସୁସ୍ଥ ହୋଇପଡ଼ିଥିଲା ବେଳେ ଦୁଇଟି ଛେଳି ଛୁଆଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ସ୍ଥାନୀୟ ଜନସାଧାରଣ, ଗୃହପାଳିତ ପଶୁଙ୍କ ସମେତ ଫସଲ ଉପରେ ମଧ୍ୟ ଏହାର ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳିଥିଲା। ଶୀତଳଭଣ୍ଡାର ସଂଲଗ୍ନ ୫ ଏକରରୁ ଅଧିକ ଜମିର ମୁଗ ଓ ବିରି ଫସଲ ଜଳି ଯାଇଥିବା ବେଳେ ବହୁସଂଖ୍ୟକ ଗଛର ପତ୍ର ଉପରେ କଳା ଆସ୍ତରଣ ଛାଇ ଯାଇଥିବା ଦେଖାଯାଇଥିଲା। ଏ ନେଇ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ଅଞ୍ଚଳବାସୀ ଘର ଛାଡ଼ି ନିରାପଦ ଦୂରତାକୁ ପଳାଇ ଯାଇଥିଲେ। ଖବର ପାଇ ରଘୁନାଥପୁର, ବିରିଡ଼ି ଓ ସାଲେପୁରରୁ ୫ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ ଲିକ୍‌ ବନ୍ଦ କରିଥିଲେ। ଏଥିପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ୧ ଘଣ୍ଟାରୁ ଅଧିକ ସମୟ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ବାରମ୍ବାର ଉକ୍ତ ଶୀତଳଭଣ୍ଡାରରୁ ବିଷାକ୍ତ ଗ୍ୟାସ ଲିକ୍‌ ହେବା ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ସେମାନେ ନିଜକୁ ଅସୁରକ୍ଷିତ ମଣିବା ସହ ଭୟ ଓ ଆଶଙ୍କାରେ ରହୁଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର