ଡମ୍ପିଂୟାର୍ଡ ପାଲଟିଛି ବେଲଗୁଣ୍ଠା ଶ୍ମଶାନ: ଏଠି ଶବ ଭୋଗୁଛି ଯନ୍ତ୍ରଣା

ବେଲଗୁଣ୍ଠା: ଗତ କିଛି ବର୍ଷ ହେବ ଗଂଜାମ ଜିଲ୍ଲା ବେଲଗୁଣ୍ଠା ସହରର ବିକାଶର ଗତି ଶିଥିଳ ହୋଇନଥିବା ବେଳେ ଶ୍ମଶାନର ଅବସ୍ଥା କହିଲେ ସରିବ ନାହିଁ । ଏଠାକୁ ଶବ ସତ୍କାର ପାଇଁ ଆସୁଥିବା ବ୍ୟକ୍ତିମାନେ ତ ଅସୁବିଧା ଭୋଗୁଛନ୍ତି ତା ସହ ଶବ ମଧ୍ୟ ଯନ୍ତ୍ରଣା ଭୋଗିବା ପରି ଲାଗୁଛି ।ସହରର ମୁଖ୍ୟ ରାସ୍ତା ରୁ କିଛି ଦୁର ତଥା ସୁତୁମସର ରୋଡ଼ରେ ଅବସ୍ଥିତ ଏହି ଶ୍ମଶାନଟି ବେଲଗୁଣ୍ଠାର ଡମ୍ପିଂୟାର୍ଡ ପାଲଟିଛି। ଶ୍ମଶାନର ଭିତରେ ବେଲଗୁଣ୍ଠା ସହରର ସମସ୍ତ ଅଳିଆ, ଆବର୍ଜନା ବହୁ ବର୍ଷ ଧରି ପଡି ରହି ପଚିସଢି ଦୁର୍ଗନ୍ଧ ମୟ ପରିବେଶ ସୃଷ୍ଟି ହୋଇଛି । ଶବ ସତ୍କାର ପାଇଁ ଜାଊଥିବା ଲୋକେ ଦୁର୍ଗନ୍ଧ ମୟ ପରିବେଶ ମଧ୍ୟରେ ଶେଷ ପର୍ଯ୍ୟନ୍ତ ରହିବାକୁ ମଙ୍ଗୁ ନଥିବା ଜାଣାପଡିଛି । ବର୍ତ୍ତମାନର କରୋନା ପରିସ୍ଥିତିରେ ଏ ପରି ପରିବେଶ ନେଇ ବେଲଗୁଣ୍ଠା ସହରର ବୁଦ୍ଧିଜୀବିମାନେ ଚିନ୍ତା ପ୍ରକଟ କରିଛନ୍ତି । ଶ୍ମଶାନକୁ ଯିବା ପାଇଁ ରାସ୍ତାରେ ପଚା ପାଣି ଭର୍ତ୍ତି ହୋଇ ରହିଛି, ଶବ ସତ୍କାର ସ୍ଥାନରେ ମଧ୍ୟ ପାଣି ଜମିରହିଛି ।

ଫଳରେ ଶବ ସତ୍କାର ପାଇଁ ସ୍ଥାନ ଅଭାବରୁ ସତ୍କାର ପାଇଁ ଯାଉଥିବା ବେଲଗୁଣ୍ଠା ବାସିନ୍ଦା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସତ୍କାର ପାଇଁ ସ୍ଥାନ ନିରୁପଣ କରୁ କରୁ ଶବ ଦୁଇ ଘଣ୍ଟା ପଡିରହୁଥିବା ଲକ୍ଷ୍ୟ କରାଯାଇଛି ।ଏହାକୁ ନେଇ ବହୁ ଥର ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ବର୍ତ୍ତମାନ ସୁଦ୍ଧା ମିଳିପାରୁନାହିଁ । ଫଳରେ ବେଲଗୁଣ୍ଠା ଶ୍ମଶାନକୁ ନେଇ ସହରବାସୀଙ୍କ ମନର ତୀବ୍ର ଅସନ୍ତୋଷ ଦେଖାଦେଇଛି । ବେଲଗୁଣ୍ଠା ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ରଙ୍କ ସହ ଯୋଗାଯୋଗ କରିବାରୁ, ବେଲଗୁଣ୍ଠା ସମସ୍ତ ଶ୍ମଶାନ ନବୀକରଣ ପାଇଁ ତଥା ମୋଡେଲ୍ କ୍ରେମାଟୋରିୟମ କରିବା ପାଇଁ ୭୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଆସନ୍ତା ଦୁଇ ତିନି ଚାରି ମାସ ମଧ୍ୟରେ ଯୁଦ୍ଧ କାଳୀନ ଭିତ୍ତିରେ ତାହା ସମାପ୍ତ ହେବ । ସହରବାସୀ ଏ ନେଇ ପ୍ରଶାସନକୁ ସହଯୋଗ କରିବା ପାଇଁ ସେ ନିବେଦନ କରି ନିଜର ପ୍ରତିକ୍ରିୟା ଜଣାଇଛନ୍ତି ।

ସମ୍ବନ୍ଧିତ ଖବର