ଅନ୍ତୋଦୟ ଅନ୍ନ ଯୋଜନା ହିତାଧିକାରୀଙ୍କ କରିସ୍ମା: ଉଭୟ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାରେ ପାଉଛନ୍ତି ଚାଉଳ

ଭବାନୀପାଟଣା: ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଖାଦ୍ୟ ନିରାପତ୍ତା ଆଇନ ଅନୁଯାୟୀ ସମସ୍ତ ଗରିବ ଲୋକଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ଚାଉଳ ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି । ସରକାରୀ ଯୋଜନାକୁ କାର୍ଯ୍ୟକାରୀ କଲାବେଳେ ଏହାର ପ୍ରଣୟନ ନେଇ ବିଭାଗୀୟ ଅଧିକାରୀମାନେ ଅଣଦେଖା କରୁଥିବା ଯୋଗୁଁ ସଠିକ ଲୋକ ଯୋଜନାର ସୁଫଳ ନପାଇ ଏହାର ବାଟବଣା ହେଉଥିବା ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲାରେ ଅନ୍ତୋଦୟ ଅନ୍ନ ଯୋଜନାରେ ହିତାଧିକାରୀ ଉଭୟ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ଅନ୍ତୋଦୟ ଚାଉଳ ହାତଉଥିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି ହୋଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦରବ୍ଲକର ସିକୁଆଁ ପଞ୍ଚାୟତର ସାଲେଗାଁର ଅର୍ଜୁନ ସାହୁ ଅନ୍ତୋଦୟ କାର୍ଡରେ ଦୀର୍ଘବର୍ଷ ଧରି ଚାଉଳ ପାଇ ଆସୁଥିଲେ । ସେହି ଅର୍ଜୁନ ସାହୁ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ବ୍ଲକ ଦିଗସିରା ପଞ୍ଚାୟତର ଗୌଡତୋଲା ଗ୍ରାମରେ ଅନ୍ତୋଦୟ କାର୍ଡରେ ଚାଉଳ ପାଇ ଆସୁଛନ୍ତି । ଗୌଡତୋଲା ଗ୍ରାମରେ ଅର୍ଜୁନ ସାହୁଙ୍କ ପତ୍ନୀ ଯଶବତୀ ସାହୁ ସିରିଏଲ ନଂ-୬୪୨, ଅନ୍ତୋଦୟ କାର୍ଡନଂ ୦୫୧୩୦୭୧୦୭୩୮ ରେ ପରିବାରରେ ୪ ଜଣ ସଦସ୍ୟ ଥିବା ବେଳେ ମାସିକ ୩୫ କେଜି ଚାହଉଳ ଉଠାଣ କରିଥାନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଏହି ଚାଉଳ ଦିଗସିରା ପଞ୍ଚାୟତରୁ ପାଇ ଆସୁଛନ୍ତି ।

ସେହିଭଳି ଭବାନୀପାଟଣା ସଦରବ୍ଲକର ସିକୁଆଁ ପଞ୍ଚାୟତର ଅର୍ଜୁନ ସାହୁ ଅନ୍ତୋଦୟ ଯୋଜନାରେ ଦୀର୍ଘବର୍ଷ ଧରି ଚାଉଳ ପାଇ ଆସୁଥିଲେ । ଅଧାରଲିଙ୍କ ହେବା ପରେ ଦୁଇଟି ଜିଲ୍ଲାରେ ଅନ୍ତୋଦୟ କାର୍ଡ ଥିବା ଘଟଣା ଗତ ଫେବୃୟାରୀ ମାସରେ ପ୍ରଘଟ ହୋଇଥିଲା । ତାଙ୍କ ସମ୍ପର୍କିୟ ସମିତିସଭ୍ୟ ଓ ୱାର୍ଡସଭ୍ୟା ଥିବା ଯୋଗୁଁ ପଞ୍ଚାୟତରେ ଏକ ବୈଠକ କରି ରିଜୋଲେସନ ମାଧ୍ୟମରେ ଅର୍ଜୁନ ସାହୁଙ୍କ ଅନ୍ତୋଦୟ କାର୍ଡରେ ତାଙ୍କ ଭାଇ ଲିଙ୍ଗରାଜ ସାହୁଙ୍କ ନାମରେ ଦରଜ କରାଇବାରେ ଚଞ୍ଚକତା କରିଥିଲେ । ଲିଙ୍ଗରାଜ ସାହୁଙ୍କ ପତ୍ନୀ କ୍ଷୀରଦେଇ ସାହୁ , ସିରିଏଲ ନଂ-୧୪୯, ଅନ୍ତୋଦୟ କାର୍ଡ ନଂ -୧୫୦୧୧୦୧୦୬୮୮ରେ ୨ ଜଣ ପରିବାର ସଦସ୍ୟ ଥିବା ବେଳେ ପ୍ରତିମାସରେ ୩୫ କେଜି ଚାଉଳ ପାଇ ଆସୁଛନ୍ତି । ଅର୍ଜୁନ ସାହୁଙ୍କ ଡମି ଭାବରେ ସେହି ପୁରୁଣା ଅନ୍ତୋଦୟକାର୍ଡରେ ଚାଉଳ ନେଉଛନ୍ତି ।

କଳାହାଣ୍ଡି ଜିଲ୍ଲାରେ ବହୁ ଦୁସ୍ଥ, ଗରିବ ଓ ଅସହାୟ ଲୋକଙ୍କୁ ଅନ୍ତୋଦୟ କାର୍ଡ ମିଳି ପାରୁନଥିବା ବେଳେ ଜଣେ ହିତାଧିକାରୀ ୨ଟି ଜିଲ୍ଲାରେ ଅନ୍ତୋଦୟକାର୍ଡରେ ଚାଉଳ ପାଇବା ଘଟଣା ଯୋଗାଣ ବିଭାଗ ଓ ପଞ୍ଚାୟତର କାର୍ଯ୍ୟକାରୀତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗରିବ ଲୋକେ ଅନ୍ତୋଦୟ କାର୍ଡ ଖଣ୍ଡେ ପାଇବା ପାଇଁ ୱାର୍ଡସଭ୍ୟ ଠାରୁ ଆରମ୍ଭ କରି ସରପଞ୍ଚ ଓ ଯୋଗାଣ ସହାୟକ ପର୍ଯ୍ୟନ୍ତ ଯେତେ ନେହୁରା ହେଲେ ମଧ୍ୟ ମିଳି ପାରେ ନାହିଁ । କିନ୍ତୁ ବର୍ଷବର୍ଷ ଧରି ପଞ୍ଚାୟତ ପ୍ରତିନିଧି ଓ ପଞ୍ଚାୟତ ଅଧିକାରୀ ମାନଙ୍କ ଜାଣତରେ ବର୍ଷବର୍ଷ ଧରି ଜଣେ ହିତାଧିକାରୀ ଅନ୍ତୋଦୟ ଚାଉଳ କିଭଳି ଉଠାଣ କରୁଛି ତାହା ଏବେ ତଦନ୍ତ ସାପେକ୍ଷ ଅଟେ । ଏହା ଏକ ଉଦାହରଣ ହୋଇଥିବା ବେଳେ ଏଭଳି ବହୁ ଡମି ହିତାଧିକାରୀ ବେଧଡକ ଭାବରେ ଚାଉଳ ଉଠାଣ କରିଚାଲିଛନ୍ତି ।

ପଞ୍ଚାୟତ ପ୍ରତିନିଧି ଓ ଅଧିକାରୀମାନେ ବେନାମି କାର୍ଡ ରଖି ଚଞ୍ଚକତା କରି ଚାଉଳ ଉଠାଣ କରି ଚାଲିଥିବା ବେଳେ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ସାଧାରଣରେ କ୍ଷୋଭପ୍ରକାଶ ପାଇଛି । କଳାହାଣ୍ଡି ଜିଲ୍ଲାର ସୀମାନ୍ତ ବ୍ଲକ ମାନଙ୍କରେ ଏଭଳି ଜାଲ ହିତାଧିକାରୀ ବିଭାଗୀୟ ଅଧିକାରୀ ମାନଙ୍କ ଜାଣତରେ ଚାଲିଥିବା ଅଭିଯୋଗ ହୋଇଛି । ୨୦୧୫ ମସିହାରେ ରାସନକାର୍ଡ ସହିତ ଆଧାରଲିଙ୍କ ହୋଇଥିବା ବେଳେ ଭବାନୀପାଟଣା ବ୍ଲକ ଯୋଗାଣ ବିଭାଗ ଓ ସିକୁଆଁ ପଞ୍ଚାୟତ ଅଧିକାରୀମାନେ ଅର୍ଜନୁ ସାହୁଙ୍କ ଅନ୍ତୋଦୟ କାର୍ଡ ୨ଟି ଜିଲ୍ଲାରେ ଥିବା ଜାଣି ପାରିଲେ ନାହିଁ ତାହା ଏବେ ସନ୍ଦେହଜନକ ଅଟେ ।

ବର୍ଷ ବର୍ଷ ଧରି ଚଞ୍ଚକତା କରି ଚାଉଳ ଉଠାଣ ହୋଇଥିବା ବେଳେ ପରେ ଗତ ଫେବୃୟାରୀ ମାସରେ କିଭଳି ଜଣାପଡିଲା ତାହା ଏବେ ସାଧାରଣରେ ଚକିତ କରିଛି । ଏ ନେଇ ସିକୁଆଁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭୂବନେଶ୍ବର ସିଂଙ୍କୁ ପଚାରିବାରୁ ଏ ବିଷୟରେ ମୁଁ କିଛି କହିପାରିବି ନାହିଁ , ସରପଞ୍ଚ ସବୁ ଜାଣିଛନ୍ତି ତାଙ୍କୁ ପଚାରନ୍ତୁ ବୋଲି କହିଥିଲେ । ଭବାନୀପାଟଣା ସଦରବ୍ଲକ ଯୋଗାଣ ଅଧିକାରୀ ସନ୍ତୋଷ ପ୍ରଧାନଙ୍କୁ ପଚାରିବାରୁ ଅର୍ଜୁନ ସାହୁଙ୍କ ପରିବାର କଳାହାଣ୍ଡି ଜିଲ୍ଲାର ସିକୁଆଁ ପଞ୍ଚାୟତ ଓ ବଲାଙ୍ଗୀର ଜିଲ୍ଲାର ଦିଗସିରା ପଞ୍ଚାୟତରେ ଅନ୍ତୋଦୟ ଅନ୍ନ ଯୋଜନାରେ ବହୁ ଦିନରୁ ଚାଉଳ ପାଇ ଆସୁଥିଲେ। ଆଧାର ଲିଙ୍କ ହେବା ପରେ ଚଳିତବର୍ଷ ଫେବୃୟାରୀ ମାସରେ ୨ଟି ସ୍ଥାନରେ ଚାଉଳ ପାଉଥିବା ଜଣାପଡିଥିଲା । ବର୍ତ୍ତମାନ ସିକୁଆଁ ପଞ୍ଚାୟତରୁ ଅନ୍ତୋଦୟ ଚାଉଳ ପାଉଥିବା ବେଳେ ବଲାଙ୍ଗୀର ଜିଲ୍ଲାରୁ ତାଙ୍କର ଅନ୍ତୋଦୟ ଅନ୍ନ ଯୋଜନା କାର୍ଡକୁ କଟା ଯାଇଛି ବୋଲି କହିଥିଲେ । ବର୍ତ୍ତମାନ ମଧ୍ୟ ବଲାଙ୍ଗୀର ଜିଲ୍ଲାର ଦିଗସିରା ପଞ୍ଚାୟତର ଗୌଡତୋଲା ଗ୍ରାମରୁ ଅର୍ଜୁନ ସାହୁଙ୍କ ପରିବାର ଅନ୍ତୋଦୟ ଅନ୍ନ ଯୋଜନାରେ ଚାଉଳ ଉଠାଣ କରୁଛନ୍ତି । ଏହି ଘଟଣାର ଭିଜିଲାନ୍ସ ସ୍ତରୀୟ ତଦନ୍ତ କରାଗଲେ ଅନ୍ତୋଦୟକାର୍ଡର ଗୁମର ଖୋଲିବ ବୋଲି ସାଧାରଣରେ ଦାବୀ ହୋଇଛି ।

ସମ୍ବନ୍ଧିତ ଖବର